୭୦ ରୋଗୀଙ୍କ ପାଇଁ ୪ ଶୌଚାଳୟ, ରାଜଧାନୀର କୋଭିଡ୍‌ ହସ୍ପିଟାଲର ରହଣି ଅନୁଭୂତି ବଖାଣିଲେ ରୋଗୀ

କୋଭିଡ୍‌ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ

ଭୁବନେଶ୍ବର : ରାଜଧାନୀରେ ଥିବା ଏକ କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀମାନଙ୍କୁ କିଭଳି ସୁବିଧା ଦିଆଯାଉଛି ତାହାର ଅନୁଭୂତି ବଖାଣିଛନ୍ତି ସୁସ୍ଥ ହୋଇ ଫେରିଥିବା ଜଣେ ରୋଗୀ। ହସ୍ପିଟାଲର ଗୋଟିଏ ଡର୍ମିଟୋରିରେ ସ୍ବଳ୍ପ କିମ୍ବା ଲକ୍ଷଣ ବିହୀନ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଛି। ହେଲେ ୭୦ଜଣ ରୋଗୀଙ୍କ ପାଇଁ ୪ଟି ଶୌଚାଳୟ। ଏଭଳି ପରିସ୍ଥିତିରେ ମହିଳା/ଯୁବତୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସୁସ୍ଥ ହୋଇଥିବା ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀ କହିଛନ୍ତି। ଯୁବତୀଙ୍କ କହିବା ମୁତାବକ, ବହୁ ସଂଖ୍ୟାରେ ରୋଗୀଙ୍କ ପାଇଁ ଏତେ କମ୍ ସଂଖ୍ୟକ ଶୌଚାଳୟ ବହୁ ସମସ୍ୟା ସୃଷ୍ଟି କରୁଛି। ଦିନଭରି ଶୌଚାଳୟରେ ଭିଡ଼ ଲାଗି ରହୁଛି। ଏପରିକି ହସ୍ପିଟାଲ ପରିସରରେ ମାସ୍କ, ସାନିଟାଇଜ୍ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଘର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ବାପା ହସ୍ପିଟାଲକୁ ଆସି ମାସ୍କ, ହ୍ୟାଣ୍ଡୱାସ୍ ଓ ସାନିଟାଇଜର ଦେଇଥିଲେ। ତେବେ ସଂପୃକ୍ତ ହସ୍ପିଟାଲରେ ଅନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀମାନେ ରହିଥିଲେ। ମାତ୍ର ସେମାନଙ୍କ ସଂପର୍କୀୟ ‌ନିକଟରେ ରହୁ ନ ଥିବାରୁ ସେମାନଙ୍କ ପାଇଁ ବହୁ ସମସ୍ୟା ହୋଇଥିବା ଯୁବତୀ ଜଣକ ‘ସମ୍ବାଦ’ କୁ ସୂଚନା ଦେଇଛନ୍ତି।

ସେହିପରି ସାମାଜିକ ଗଣମାଧ୍ୟମରେ କୋଭିଡ୍‌ ହସ୍ପିଟାଲ ସଂପର୍କିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଳଚେର ଅଞ୍ଚଳର ଜଣେ ଯୁବକ ନିଜେ ପଜିଟିଭ୍ ଥିବା ସହିତ ତାଙ୍କ ବାପା ମଧ୍ୟ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଯୁବକ ଜଣକ ତା‌ଳଚେରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବାପାଙ୍କୁ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଛି। ତେବେ ଯୁବକଙ୍କ ବାପାଙ୍କୁ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେଉଥିବା ବେଳେ ତାଙ୍କ ନିକଟକୁ କେହି ଡାକ୍ତର କିମ୍ବା ନର୍ସ ଚିକିତ୍ସା ପାଇଁ ଆସୁ ନ ଥିବା ସେ ଅଭିଯୋଗ କରିଛି। ଯଦିଓ ଏହି ଭିଡିଓ ୧୧ତାରିଖର ହୋଇଥିବା ବେଳେ ଏହା ଭିତରେ ଯୁବକଙ୍କ ବାପାଙ୍କୁ କି ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ତାହା ସେ ସ୍ପଷ୍ଟ କରି ନାହାନ୍ତି। ତେବେ କରୋନା ପାଇଁ ନୁହେଁ, କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଚିକିତ୍ସାରେ ଯେଉଁ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ଏ ଦୃଷ୍ଟିରୁ ଲୋକମାନେ ସୁରକ୍ଷିତ ରହିବା ପାଇଁ ଯୁବକ ଜଣକ ଭିଡିଓରେ ଅନୁ‌ରୋଧ କରିଛନ୍ତି। ଉଲ୍ଲେଖ ଯେ, କିଛିଦିନ ପୂର୍ବରୁ କଟକ ସିଏମ୍‌ସି ଅଞ୍ଚଳର ଜଣେ ଯୁବତୀଙ୍କୁ ରାଜଧାନୀର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ହସ୍ପିଟାଲରେ ଆଡମିସନ୍ ପାଇଁ ତାଙ୍କୁ ୫ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଦିନ ୧୧ଟାରୁ ଆଡମିସନ୍ ପାର୍ଇ ହସ୍ପିଟାଲରେ ପହଞ୍ଚିଥିବା ବେ‌ଳେ ଅପରାହ୍‌ଣ ସାଢ଼େ ୪ଟାରେ ତାଙ୍କୁ ଆଡମିସନ୍ ମିଳିଥିଲା। ଦିନଭ‌ରି ଆମ୍ବୁଲାନ୍‌ସ ଭିତରେ ଯୁବତୀ ଜଣକ ବସି ରହିଥିଲେ ଓ ସଂଖ୍ୟାରେ ତାଙ୍କୁ ଶୁଖିଲା ଖାଦ୍ୟ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ଯୁବତୀ ଜଣକ ଭିଡିଓ ଜରିଆରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର