ଫ୍ଲୁ’ ଲକ୍ଷଣ ଥିଲେ ସିଧାସଳଖ ହସ୍ପିଟାଲକୁ ଆସନ୍ତୁନି, ଖୁବ୍‌ଶୀଘ୍ର ସବୁ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ

ଘରୋଇ ହସ୍ପିଟାଲରେ କୋଭିଡ୍‌ ଆକ୍ରାନ୍ତ ଭର୍ତ୍ତି ମନା, କ୍ୟାପିଟାଲ ହସ୍ପିଟାଲ ସଂକ୍ରମିତଙ୍କର ଆଉ ଥରେ ନେଗେଟିଭ୍ ଆସିଲେ ଛଡ଼ାଯିବ

ଭୁବନେଶ୍ବର: କୌଣସି ବ୍ୟକ୍ତିଙ୍କର ଯଦି ‌ଫ୍ଲୁର ଲକ୍ଷଣ ଥାଏ, ସେମାନେ ସିଧାସଳଖ ହସ୍ପିଟାଲକୁ ଆସିବା ଦରକାର ନାହିଁ। ସେମାନେ ୧୦୪ ସହାୟତା ନମ୍ବରକୁ କଲ୍‌ କରନ୍ତୁ। ଏହି ନମ୍ବର ୨୪ଘଣ୍ଟିଆ ଉପଲବ୍ଧ ହେଉଛି। ପ୍ରତି ସିଫ୍‌ଟରେ ଡାକ୍ତର ରହୁଛନ୍ତି। ଡାକ୍ତରଙ୍କ ମତାମତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଧଳ କହିଲେ ଯେ ଫ୍ଲୁ ଲକ୍ଷଣ ଥିବା ରୋଗୀଙ୍କୁ ପୃଥକବାସ କରାଯିବ, ପରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଯଦି ତାଙ୍କର କୋଭିଡ ପଜିଟିଭ୍ ଆସେ ତା’ହାଲେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୭ଟି କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। କୋଭିଡ-୧୯ ବା କରୋନା ଏକ ସଂକ୍ରମିତ ରୋଗ ହୋଇଥିବାରୁ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିବା ଜରୁରୀ ଥିଲା। ଆଗାମୀ ଦିନରେ ସବୁ ଜିଲ୍ଲା‌ରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାଫଳରେ ଅନ୍ୟ ସାଧାରଣ ରୋଗୀଙ୍କ ପାଇଁ ଏହା କୌଣସି ପ୍ରକାର ସମସ୍ୟା ସୃଷ୍ଟି କରିବ ନାହିଁ। ଏବେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ ସିଟି ହସ୍ପିଟାଲରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି ଆଡମିଟ୍‌ ନାହାନ୍ତି। ସେଠାରେ ଅନ୍ୟ ରୋଗୀମାନେ ଯାଇ ଚିକିତ୍ସା କରିପାରିବେ। କ୍ୟାପିଟାଲ ହସ୍ପିଟାଲରେ ଆଡମିଟ୍ ଥିବା କରୋନା ସଂକ୍ରମିତଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି। ଆସନ୍ତା ୨୪ଘଣ୍ଟା ଭିତରେ ଦୁଇ ଥର ନେଗେଟିଭ୍ ଆସିଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ସରକାରୀ ଡାକ୍ତରଖାନାରେ ଫ୍ଲୁ ଲକ୍ଷଣ ଥିବା ରୋଗୀମାନଙ୍କ ପାଇଁ ଯେପରି ସ୍ବତନ୍ତ୍ର କୋଭିଡ କର୍ଣ୍ଣର କରାଯାଇଛି, ସେହିପରି ସମସ୍ତ ଘରୋଇ ଡାକ୍ତରଖାନା ଏହି କର୍ଣ୍ଣର କରିବା ବାଧ୍ୟ। ଯଦି ସେଠାକୁ କୌଣସି କରୋନା ସନ୍ଦିଗ୍ଧ ଆସନ୍ତି ତେବେ ତାଙ୍କୁ ପୃଥକବାସ କରିବା ସହିତ ତୁରନ୍ତ ଆଇଡିଏସ୍‌ପି ସେଲ୍‌କୁ ଜଣାଇବେ। ପରବର୍ତୀ ସମୟରେ ତାଙ୍କ ପରୀକ୍ଷା କରାଯିବ। ତେବେ ଯେଉଁ ଘରୋଇ ହସ୍ପିଟାଲ କୋଭିଡ ହସ୍ପିଟାଲ ଭାବେ ଘୋଷଣା କରାଯାଇ ନାହିଁ, ସେହି ହସ୍ପିଟାଲ କୋଭିଡ୍ ରୋଗୀଙ୍କୁ ଆଡମିଟ୍‌ କରିପାରିବେ ନାହିଁ। କରୋନାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ମାହାମାରୀ ଭାବେ ଘୋଷଣା କରିଥିବାରୁ ରାଜ୍ୟ ସରକାର କରୋନା ପାଇଁ ଯେଉଁ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି ତାହାକୁ ସମସ୍ତ ଘରୋଇ ହସ୍ପିଟାଲ ମାନିବାକୁ ବାଧ୍ୟ ବୋଲି ଶ୍ରୀ ଧଳ ସୂଚନା ଦେଇଥିଲେ।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଥିଲେ କରୋନା କେବଳ ନିକଟତମ ସଂପର୍କୀୟ ଓ ଡ୍ରପଲେଟ୍‌ ଦ୍ବାରା ବ୍ୟାପିଥାଏ। ତେଣୁ ଏଭଳି ଆକ୍ରାନ୍ତଙ୍କୁ ପୃଥକବାସରେ ରଖାଯିବା ଜରୁରୀ। ଯାହାଫଳରେ ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ ନାହିଁ। ବିଶ୍ବରେ ଚୀନ୍‌, ଆମେରିକା ଓ ଇଟାଲୀରେ ହସ୍ପିଟାଲରେ ହିଁ ଅନ୍ୟମାନେ ସଂକ୍ରମିତ ହେଉଥିବା ନଜରକୁ ଆସିଛି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ରଭାବେ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି। ଯାହାଫଳରେ ଅନ୍ୟ ସାଧାରଣ ରୋଗୀ ହସ୍ପିଟାଲକୁ ଯାଇ ନିଜର ଚିକିତ୍ସା କରାଇ ପାରିବେ। ଏହାସହ ସମସ୍ତ ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ ନିଜର ସ୍ବତନ୍ତ୍ରଭାବେ କୋଭିଡ କର୍ଣ୍ଣର କରିବା ପାଇଁ ବାଧ୍ୟ। ଯଦି ସେଠାକୁ କୌଣସି ସନ୍ଦିଗ୍ଧ ଆସନ୍ତି ତେବେ ସେମାନେ ରୋଗୀଙ୍କୁ ପୃଥକବାସରେ ରଖିବା ସହିତ ଏହାକୁ କୋଭିଡ ହସ୍ପିଟାଲକୁ ରେଫର କରିବେ। ଅପରପକ୍ଷରେ ପ୍ରତି ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା ଜରୁରୀ ହୋଇଥାଏ। ଯାହାର ମାଇଲ୍‌ଡ ବା ହଲ୍‌କା ଲକ୍ଷଣ ରହିଛି ସେମାନେ ଘରେ ସଙ୍ଗରୋଧ ରହିପାରିବେ। ଯଦି ଘରେ ଥିବା ସମୟରେ ତାଙ୍କର ଲକ୍ଷଣ ବୃଦ୍ଧି ପାଇବ ତା’ହାଲେ ତାଙ୍କୁ ହସ୍ପିଟାଲକୁ ଆଣି ଚିକିତ୍ସା କରାଯିବ ବୋଲି ପ୍ରଫେସର ଡା.ମହାନ୍ତି ସୂଚନା ଦେଇଛନ୍ତି।

ମାନବିକତାକୁ ଲକ୍‌ଡାଉନ୍‌ କରିବାନି: ସୁବ୍ରତ ବାଗଚୀ
ଭୁବନେଶ୍ବର: ରୋଗୀ ସେବାରେ ନିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଉଚିତ ନୁହେଁ। ଆମେ ଏବେ ଲକ୍‌ଡାଉନ୍‌ରେ ରହିଛେ, ହେଲେ ଆମ ମାନବିକତାକୁ ଲକ୍‌ଡାଉନ୍‌ରେ ରହିବାକୁ ଦେବା ନାହିଁ। ମଣିଷପଣିଆ ନ ହରାଇବାକୁ ଅନୁରୋଧ କରିଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେ କହିଥିଲେ, ଓଡ଼ିଶା ବିକାଶ ପ୍ରାଧିକରଣ ପକ୍ଷରୁ ଗତବର୍ଷ ଅରେଞ୍ଜ କ୍ରସ୍ ନାମକ ଏକ ନର୍ସିଂ ସଂସ୍ଥାକୁ କ୍ରିଟିକାଲ କେୟାର ନର୍ସ ତାଲିମ ପାଇଁ ନିଯୁକ୍ତ କରାଯାଇଥିଲା। ଅନେକ ସମୟରେ ବୟସ୍କ ବ୍ୟକ୍ତି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥାନ୍ତି। ଡାକ୍ତର ଅନେକ ସମୟରେ ଏଭଳି ବ୍ୟକ୍ତିଙ୍କୁ ହସ୍ପିଟାଲରେ ନ ରଖି ଘରେ ତତ୍ତ୍ବାବଧାନରେ ରଖିବା ଲାଗି ପରାମର୍ଶ ଦେଇଥାନ୍ତି। ଘରେ ଏହି ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଦକ୍ଷତାର ଆବଶ୍ୟକତା ପଡ଼ିଥାଏ। ଅରେଞ୍ଜ କ୍ରସ୍ ନର୍ସିଂ ତାଲିମ୍ ପାଇଥିବା ଯୁବକ/ଯୁବତୀଙ୍କୁ ଘରେ କିଭଳି କ୍ରିଟିକାଲ କେୟାର ଦିଆଯିବ, ସେ ସଂପର୍କରେ ତାଲିମ୍ ଦେଇଥାଏ। ଏଭଳି ତାଲିମ୍ ନେଇଥିବା ଦୁଇଜଣ ନର୍ସ ସାରା ରାତି ରୋଗୀସେବା କରିବା ପରେ ସକା‌ଳେ ଘରକୁ ଫେରିବା ପରେ ଘର ମାଲିକ ଓ ପଡ଼ୋଶୀ ସେମାନଙ୍କୁ ଘର ଛାଡ଼ିବା ପାଇଁ କହିଥିଲେ। ଏହି ସଂସ୍ଥାର ଅଧିକାରୀ ଓ ପୁଲିସକୁ ଏ ସଂପର୍କରେ ସୂଚନା ଦିଆଯିବା ପରେ ସେମାନଙ୍କ ସହାୟତାରେ ‌ନର୍ସଙ୍କ ଜିନିଷପତ୍ର ସହ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଲା। ଭୂତାଣୁ ସଂକ୍ରମଣକୁ ନେଇ ସମସ୍ତଙ୍କୁ ଚିନ୍ତା ଘାରିଛି। ମାତ୍ର ଏହାର ଅର୍ଥ ନୁହେଁ ଯେ ରୋଗୀ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଓ ଏପରିକି ତାଙ୍କୁ ଘରୁ ବାହର କରିବା ଲାଗି କହିବା। ମଣିଷ ଲକ୍‌ଡାଉନ୍‌ରେ ରହିପାରେ ହେଲେ ମାନବିକତା ନୁହେଁ ବୋଲି ଶ୍ରୀ ବାଗଚୀ କହିଥିଲେ।

ସମ୍ବନ୍ଧିତ ଖବର