ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ୨ଟି କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ କୋଭିଡ ହସ୍ପିଟାଲ ପାଇଁ ଦାବି ହେଇଥିଲା । ଆଜି ସନ୍ଧ୍ୟାରେ ଜିଲାପାଳ, ସିଡିଏମଓ ଓ ଓଏମସି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି । ଜିଲ୍ଲା ପ୍ରଶାସନ ଦ୍ଵାରା ଏହି କୋଭିଡ ହସ୍ପିଟାଲ ପରିଚାଳନା ହେବାକୁ ଥିବା ବେଳେ ଓଏମସି ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଗତ କିଛିଦିନ ଧରି ବିକାଶ ଗ୍ରୁପ ପକ୍ଷରୁ କୋଭିଡ ହସ୍ପିଟାଲ ପରିଚାଳନା ପାଇଁ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନା ର ଅବସାନ ଘଟିଛି । ଆଜି ବିକାଶ ଗ୍ରୁପ କୁ ଶେଷ ମୁହୂର୍ତ୍ତରେ କୋଭିଡ ହସ୍ପିଟାଲ ପରିଚାଳନା ରୁ ବାଦ୍ ଦିଆଯାଇଛି । ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏହି ହସ୍ପିଟାଲ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେବ । କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଭବାନୀପାଟଣା ଓ ଖମାର ହଳଦୀ ଠାରେ ୨ ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ ଆହୁରି ୫ ଟି ସ୍ୱାବ ସଂଗ୍ରହ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭବାନୀପାଟଣା ସହର ସ୍ଥିତ ତହସିଲ ଅଫିସ ନିକଟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ,ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ , ଜୁନାଗଡ଼ ହାଇସ୍କୁଲ , କେସିଙ୍ଗା ସରକାର ହାଇସ୍କୁଲ ଓ ଗୋଲାମୁଣ୍ଡା ବ୍ଲକ ର ଖମାର ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯିବ । ଏଥି ନିମନ୍ତେ ୧୨ ଜଣ ଲ୍ୟାବ ଟେକ୍ନିସିଆନ ଓ ତାଲିମ ଦିଆଯାଇଛି । ୫ ଟି ସ୍ୱାବ ସଂଗ୍ରହ କେନ୍ଦ୍ର ରେ ୧୪ ଜଣ ଲ୍ୟାବ ଟେକ୍ନିସିଆନ ନିୟୋଜିତ ହେବେ । ସେହିଭଳି ୧୦ ଟି ଆମ୍ବୁଲାନ୍ସ କୁ ପ୍ରସ୍ତୁତ କରି ରଖାଯାଇଛି ବୋଲି ସିଡିଏମଓ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି ମାର୍ଚ୍ଚ ମାସରେ ନିଜର ଗସ୍ତ ବିବରଣୀ ପ୍ରସ୍ତୁତ ରଖିବା ପାଇଁ କହିଛନ୍ତି ଯାହା କି ପରବର୍ତ୍ତୀ ସମୟରେ କାମରେ ଆସିବ । ସେହିଭଳି ଦୋକାନ ମାନଙ୍କୁ ଆସୁଥିବା ଗ୍ରାହକ ମାନଙ୍କ ନାମ ଠିକଣା ଓ ମୋବାଇଲ ନମ୍ବର ରଖିବାକୁ ନିବେଦନ କରିଛନ୍ତି ।