ଓଡ଼ିଶା ସରକାରଙ୍କୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
୨୬ ଜିଲ୍ଲାରେ ୫୦୦୦ ଶଯ୍ୟା ପ୍ରସ୍ତୁତ
ଭୁବନେଶ୍ବର : ଆଜି ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଜଗତସିଂହପୁର, ନବରଙ୍ଗପୁର ଜିଲ୍ଲାରେ ଆଉ ପାଞ୍ଚଟି ସ୍ବତନ୍ତ୍ର କୋଭିଡ଼-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ଏହା ଲୋକାର୍ପିତ ହୋଇଥିଲା। ଏସବୁ ମେଡ଼ିକାଲରେ ମୋଟ ୮୨୫ଟି ଶଯ୍ୟା ରହିଛି। ଏଥିସହିତ ୨୬ଟି ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ସରକାର ପୂର୍ଣ୍ଣାଙ୍ଗ ରୂପ ଦେଇସାରିଲେଣି, ଯାହାର ଶଯ୍ୟା ସଂଖ୍ୟା ୫୦୦୦।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ହେଉଛି କି ଏକ ଯୁଦ୍ଧ। ଆମକୁ ଜିତିବାକୁ ପଡ଼ିବ। ଓଡ଼ିଶା ୩୦ ଦିନର ରେକର୍ଡ ସମୟ ମଧ୍ୟରେ ୫୦୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ କରିବାକୁ ସକ୍ଷମ ହୋଇଛି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ତାଙ୍କ ପରିବାରର ତ୍ୟାଗକୁ ପ୍ରଶଂସା କରିଥିଲେ। କେବଳ ସେତିକି ନୁହେଁ, ଏନଟିପିସି, ଏମସିଏଲ, ଆଇଓସିଏଲ୍, ପିପିଟି ଓ ନାଲକୋର ଅବଦାନକୁ ବି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କୋଭିଡ୍ ମୁକାବିଲା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ତାଙ୍କର ବିଶ୍ବାସ ରହିଛି କୋଭି଼ଡ଼ ମୁକାବିଲା କ୍ଷେତ୍ରରେ ଓଡ଼ିଶା ନିଶ୍ଚୟ ସଫଳ ହେବ।
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। କହିଥିଲେ, ଓଡ଼ିଶା ଓ ଭାରତ ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ଏହି ସଂକଟରୁ ମୁକୁଳିଆସିବେ। ଏହି ଅବସରରେ ଶ୍ରୀ ଯୋଶୀ ସୂଚନା ଦେଇଥିଲେ ଯେ ନାଲକୋ ଓ ଏମସିଏଲ୍ କର୍ମଚାରୀ ୨.୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଅନୁଗୁଳର ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ଏମସିଏଲ୍ ସହାୟତାରେ ହୋଇଛି ଓ ସମ୍ ହସ୍ପିଟାଲ ଏହାର ପରିଚାଳନା କରିବେ। ବରଗଡ଼ରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଭାରତୀୟ ତୈଳନିଗମ ସହାୟତା ପ୍ରଦାନ କରିଛନ୍ତି ଓ ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଏହାର ପରିଚାଳନା କରିବ। ସୁନ୍ଦରଗଡ଼ରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଜିଲ୍ଲା ପ୍ରଶାସନ ପରିଚାଳନା କରିବେ ଓ ଏନଟିପିସି ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପାରାଦୀପରେ ୭୫ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ପରିଚାଳନା କରିବେ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ଏଥିପାଇଁ ଆର୍ଥିକ ସହାୟତା ଦେବ। ନବରଙ୍ଗପୁରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ଜିଲ୍ଲା ପ୍ରଶାସନ ଓ ଖ୍ରୀଷ୍ଟିଆନ୍ ହସ୍ପିଟାଲ ଦ୍ବାରା ପରିଚାଳନା କରାଯିବ ଏଭଂ ନାଲକୋ ଏଥିପାଇଁ ସହଯୋଗ ଯୋଗାଇ ଦେବେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ଦେବେ ଓ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।