ବିରତିରେ ସଙ୍ଗରୋଧ କକ୍ଷକୁ ପୂରାଇ ଦେଲେନି ହୋଟେଲ କର୍ତ୍ତୃପକ୍ଷ : ଟାଟା କୋଭିଡ୍‌ ହସ୍‌ପିଟାଲ ଡାକ୍ତର-ପ୍ରଶାସନ ମୁହାଁମୁହିଁ

ଗଜପତିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀରେ କୋଭିଡ୍‌ ହସ୍‌ପିଟାଲ୍‌ରେ ନିୟୋଜିତ ଡାକ୍ତରୀଦଳ ଆଜି ୧୫ ଦିନିଆ ଡ୍ୟୁଟି ପରେ ନିର୍ଧାରିତ ସଙ୍ଗରୋଧ କକ୍ଷ ପ୍ରସ୍ତୁତ ଥିବା ହୋଟେଲ୍‌କୁ ଆସିଥିଲେ। ହେଲେ ହୋଟେଲ୍‌ କର୍ତ୍ତୃପକ୍ଷ ଭିତରକୁ ପୂରାଇ ଦେଲେନି। ପୂର୍ବ ପ୍ରତିଶ୍ରୁତି ସତ୍ତ୍ବେ ପ୍ରଶାସନ ତରଫରୁ କୌଣସି ପ୍ରକାର ସଙ୍ଗରୋଧ ବ୍ୟବସ୍ଥା କରାଯାଇ ନଥିବା ଘଟଣାକୁ ନେଇ ଏମ୍‌କେସିଜି ମେଡିକାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବଡ଼ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ ଶେଷରେ ଡାକ୍ତରଙ୍କ ପାଇଁ ଏକ ହୋଟେଲରେ ସଙ୍ଗରୋଧ କକ୍ଷ ବ୍ୟବସ୍ଥା ହୋଇଛି।

ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଉଥିବା କରୋନା ପଜିଟିଭ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଶୀତଳାପଲ୍ଲୀ ସ୍ଥିତ ଟାଟା ମେଡିକୋକୁ କୋଭିଡ୍‌ ହସ୍‌ପିଟାଲରେ ପରିଣତ କରାଯାଇଛି। ବଡ଼ଡାକ୍ତରଖାନାରୁ ସେଠାକୁ ଡାକ୍ତରଙ୍କୁ ଡେପୁଟେସନ୍‌ରେ ପଠାଯାଉଛି। ସେହିପରି ନର୍ସ, ଟେକ୍ନିସିଆନ୍‌ ଓ ଅନ୍ୟ ଷ୍ଟାଫ୍‌ ମଧ୍ୟ ନିଯୁକ୍ତି କରାଯାଇଛି। କେବଳ ଡାକ୍ତରମାନଙ୍କୁ ୧୪ଦିନ ପାଇଁ ଡ୍ୟୁଟି କରିବାକୁ ସେଠାକୁ ପଠାଯାଉଛି। କର୍ମଚାରୀମାନେ କୋଡିଭ୍‌ ହସ୍‌ପିଟାଲରେ ୩ମାସ ପର୍ଯ୍ୟନ୍ତ ରହି ଚିକିତ୍ସା ସେବାରେ ସହଯୋଗ କରିବେ ବୋଲି ନିୟମ କରାଯାଇଛି। ସେଠାରେ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତ ୨୪ତାରିଖରୁ କୋଭିଡ୍‌ ହସ୍‌ପିଟାଲକୁ ଯାଇଥିବା ଏକ ଡାକ୍ତରୀଦଳର ଡ୍ୟୁଟି ଗତକାଲି ସମାପ୍ତ ହୋଇଥିଲା। ଆଜି ସକାଳେ ଅନ୍ୟ ଏକ ଟିମ୍‌ ଯିବା ପରେ ସେମାନେ ରିଲିଭ୍‌ ହୋଇଥିଲେ। ଗତ ୪ଦିନ ହେଲା କୋଭିଡ୍‌ ହସ୍‌ପିଟାଲରେ ସେମାନେ କରୋନା ପଜିଟିଭ୍‌ ରୋଗୀଙ୍କ ଚିକିତ୍ସା କରୁଥିଲେ। ଆଜି ସେହି ଡାକ୍ତରୀ ଦଳ ସକାଳ ସାଢ଼େ ୮ଟାରେ ବ୍ରହ୍ମପୁର ଆସିବା ପରେ ସେମାନଙ୍କ ପାଇଁ ବାଲାଜୀ ହାଟେଲରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଥିବା ନେଇ କୁହାଯାଇଥିଲା। କିନ୍ତୁ ବାଲାଜୀ ହୋଟେଲ ବନ୍ଦ ଥିବାରୁ ସେମାନେଙ୍କୁ ନନ୍ଦନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ହୋଟେଲକୁ ନିଆଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ସେଠାରେ ମଧ୍ୟ ଡାକ୍ତରଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ୫ଜଣିଆ ଡାକ୍ତରୀ ଦଳ ନିରାଶ ହୋଇ ଏମ୍‌କେସିଜି ମେଡିକାଲ କଲେଜକୁ ଫେରି ଆସିଥିଲେ। ସେମାନେ ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷା ଏବଂ ବଡ଼ ଡାକ୍ତରଖାନା ଅଧୀକ୍ଷକଙ୍କୁ ଅବଗତ କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ତଳେ ଅସହାୟ ଅବସ୍ଥାରେ ବସି ରହିଥିଲେ। ଡାକ୍ତରଙ୍କୁ ଅବହେଳା କରାଯାଉଥିବା ଘଟଣା ପ୍ରଚାର ହେବା ପରେ କିଛି ସମୟ ମଧ୍ୟରେ କଲେଜ ସମ୍ମୁଖରେ ଶତାଧିକ ଜୁନିୟର୍‌ ଡାକ୍ତର ଏବଂ ପିଜି ଡାକ୍ତର ଏକାଠି ହୋଇଥିଲେ। ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ତୁରନ୍ତ ଡାକ୍ତରଙ୍କ ସୁବିଧା କରିବା ପାଇଁ ଦାବି କରିଥିଲେ।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଖବର ପାଇ ମେଡିକାଲ କଲେଜରେ ପହଞ୍ଚି କୋଭିଡ୍‌ ହସ୍‌ପିଟାଲରୁ ଡ୍ୟୁଟି ସାରି ଆସିଥିବା ଡା. ନିରଂଜନ ସାହୁ, ଡା. ସମ୍ବିତ ପଟେଲ, ଡା. ଦୁର୍ଗାପ୍ରସାଦ ମୁର୍ମୁ ଓ ଡା. ସମୀର ନାୟକଙ୍କ ସହିତ ଆଲୋଚନା କରିଥିଲେ। ଡାକ୍ତରୀ ଦଳ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଡାକ୍ତରଙ୍କ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲା। ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, କଲେଜ ଅଧ୍ୟକ୍ଷା ଦୀପ୍ତିମୟୀ ତ୍ରିପାଠୀ, ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ଉପସ୍ଥିତିରେ ମାମଲା ସାମାଧାନ କରାଯାଇଥିଲା। ଶେଷରେ କୋଭିଡ୍‌ ହସ୍‌ପିଟାଲରୁ ଆସିଥିବା ଡାକ୍ତରୀ ଦଳକୁ ବାଲାଜୀ ‌ହୋଟେଲରେ ରଖାଯାଇଥିଲା ବୋଲି ଅଧୀକ୍ଷକ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର