ସମ୍ବଲପୁର : ବନ୍ଦ ହେବ ସମ୍ବଲପୁର କୋଭିଡ୍‌ ହସ୍‌ପିଟାଲ

୫ ଦିନ ହେଲା ନୂଆ ରୋଗୀ ଭର୍ତ୍ତି ବନ୍ଦ
ଆଉ ମାତ୍ର ୨୭ ରୋଗୀ ଚିକିତ୍ସାଧୀନ
ପୂର୍ବଭଳି କାମ କରିବ ସଦର ହସ୍ପିଟାଲ
ଫେରିବନି ଭେଣ୍ଟିଲେଟର, ଆଇସିୟୁ

ସମ୍ବଲପୁର : ବନ୍ଦ ହେବ ସମ୍ବଲପୁର କୋଭିଡ୍‌ ଡାକ୍ତରଖାନା। ବର୍ତ୍ତମାନ ଏଠାରେ ଚିକିତ୍ସାଧୀନ ସାଧାରଣ ଶଯ୍ୟାର ୨୪ ଏବଂ ଆଇସିୟୁର ୩ ଜଣ ରୋଗୀ ଡିସ୍‌ଚାର୍ଜ ହେବା ପରେ ଏଠାରେ କୋଭିଡ୍‌ ଚିକିତ୍ସା ବନ୍ଦ କରି ଦିଆଯିବ। ଏଥିପାଇଁ ୫ ଦିନ ହେଲା ଏଠାରେ ନୂଆ କୋଭିଡ୍‌ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଉ ନାହିଁ। ଏହାପରେ ଆବଶ୍ୟକ ବିଶୋଧନ ସହିତ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ପୂର୍ବଭଳି ଜିଲ୍ଲା ସଦର ଡାକ୍ତରଖାନା କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଭିମ୍‌ସାର୍‌ କୋଭିଡ୍ ହସ୍‌ପିଟାଲ କାର୍ଯ୍ୟକାରୀ ହେବା ସହ ଜିଲ୍ଲାରେ ରୋଗୀ ସଂଖ୍ୟା କମୁଥିବା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମ୍ବଲପୁର କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ଥିବା ସମସ୍ତ ରୋଗୀ ଆସନ୍ତା ୧୫ ତାରିଖ ସୁଦ୍ଧା ସୁସ୍ଥ ହୋଇଯିବେ ବୋଲି ଆଶା ରହିଛି। ଏହାପରେ କୋଭିଡ୍‌ ହସ୍ପିଟାଲ ବଦଳରେ ଏହା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟ କରିବ ଓ ସାଧାରଣ ରୋଗୀଙ୍କ ଚିକିତ୍ସା ପୁଣିଥରେ ଆରମ୍ଭ ହେବ। ତେବେ କୋଭିଡ୍‌ ଚିକିତ୍ସା ପାଇଁ ଏଠାରେ ଖଞ୍ଜାଯାଇଥିବା ୩୦ଟି ଭେଣ୍ଟିଲେଟର ଓ ୨ଟି ଡାଇଲିସିସ ମେସିନ୍‌ ତଥା ଆଇସିୟୁ ଶଯ୍ୟା ଏଠାରୁ ଅପସାରଣ କରାଯିବ ନାହିଁ। ସଦର ଡାକ୍ତରଖାନାର ରୋଗୀ ମାନଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି କହାଯାଉଛି।

ପ୍ରକାଶଯୋଗ୍ୟ, ସଦର ଡାକ୍ତରଖାନା କୋଭିଡ ହସ୍‌ପିଟାଲ୍‌ରେ ପରିଣତ ହେବା ପରେ ଅଣକୋଭିଡ ରୋଗୀମାନେ ଅବହେଳିତ ହେଉଥିବା ଅଭିଯୋଗ ଆସିଥିଲା। ସଦର ଡାକ୍ତରଖାନାକୁ କୋଭିଡ ଡାକ୍ତରଖାନା ପରିଣତ କରିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ପ୍ରଥମେ କିଛି ଲୋକ ଓ ସଂଗଠନ ବିରୋଧ କରିଥିଲେ। ତେବେ ସେହି ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଦର ଡାକ୍ତରଖାନା ବନ୍ଦ ହୋଇ ଏପ୍ରିଲ ୨୨ ତାରିଖରେ କୋଭିଡ ଡାକ୍ତରଖାନା ଉଦ୍‌ଘାଟିତ ହୋଇଥିଲା। ଏହା ବଦଳରେ ଅଣକୋଭିଡ ରୋଗୀଙ୍କ ପାଇଁ ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର, ଅଇଁଠାପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ‌ମେତ ସହରାଞ୍ଚଳର ୮ଟି ପିଏଚ୍‌ସିରେ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏସବୁ ବ୍ୟବସ୍ଥା ସଦର ଡାକ୍ତରଖାନାର ବିକଳ୍ପ ହୋଇ ପାରିଲା ନାହିଁ। ଅଣକୋଭିଡ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେହିପରି ପ୍ରାଥମିକ ପର୍ଯ୍ୟାୟରେ ସମ୍ବଲପୁର କୋଭିଡ ଡାକ୍ତରଖାନାରେ ମଧ୍ୟ ବହୁବିଧ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବା ଅଭିଯୋଗ ହୋଇଥିଲା। ଆଇସିୟୁରେ ରୋଗୀ ମୃତ୍ୟୁ ବୃଦ୍ଧି ପାଇବାରୁ ମୁଖ୍ୟ ଶାସନ ସଚିବ ଏବଂ ଡିଏମ୍‌ଇଟି ପୃଥକ ଭାବରେ ଆସି ଏହାର ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେତିକି ବେଳେ ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ଭିମସାରରେ ସ୍ବତନ୍ତ୍ର କୋଭିଡ୍‌ ଡାକ୍ତରଖାନା ଖୋଲାଗଲା। ସେଠାରେ ଆଇସିୟୁ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲା। ଏହାପରେ ଭିମ୍‌ସାର୍‌ରୁ ରେଫର ହେଉଥିବା ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ‌ଗୁରୁତର କୋଭିଡ୍ ରୋଗୀ ଆଉ ସମ୍ବଲପୁର ଆସିଲେ ନାହିଁ। ଫଳରେ ସମ୍ବଲପୁର କୋଭିଡ୍ ହସ୍‌ପିଟାଲ୍ ଉପରେ ଚାପ ହ୍ରାସ ପାଇଲା। ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଡାକ୍ତରଖାନାରେ ଯେଉଁଠି ରୋଗୀ ସଂଖ୍ୟା ଦୈନିକ ହାରାହାରି ୧୨୦ରୁ ୧୩୦ ରହୁଥିଲା ତାହା ଆଜି ମାତ୍ର ୨୭ରେ ସୀମିତ ରହିଛି।

ସମ୍ବନ୍ଧିତ ଖବର