ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ, ଖୋଲିବ କୋଭିଡ ହସ୍ପିଟାଲ

୩ ପୁରାତନ ମେଡିକାଲ କଲେଜରେ ୪୦ ଲେଖାଏ ଶଯ୍ୟା
ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ହଜାର ଟପିଲା
ଦିନକରେ ୮୧୬ ପଜିଟିଭ୍, ଜଣେ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ସରକାର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦିଆଯାଇଛି। ହସ୍ପିଟାଲର ଆବଶ୍ୟକତା ଅନୁଯାୟୀ ମାନବସମ୍ବଳ ନିୟୋଜିତ କରିବା ଲାଗି କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଏ ସଂକ୍ରାନ୍ତରେ ସବୁ ମେଡିକାଲ କଲେଜ, ସିଡିଏମ୍‌ଓ, ସବୁ ନିର୍ଦେଶକ ଓ ଅନ୍ୟମାନଙ୍କୁ ଚିଠି ଲେଖିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାସ୍ତରରେ ଘରୋଇ ହସ୍ପିଟାଲ ପକ୍ଷରୁ ଖୋଲିଥିବା ଡିସିଏଚ୍‌ ଏବେ ବନ୍ଦ ରହିଛି। ତେଣୁ ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି ଓ ବୁର୍ଲାର କୋଭିଡ ହସ୍ପିଟାଲରେ ୪୦ଟି ଲେଖାଏ ଶଯ୍ୟା ରହିବ। ଏଥିରେ ଆଇସିୟୁ, ଏଚ୍‌ଡିୟୁ, ଓଟି, ଲେବର ରୁମ୍‌କୁ ମିଶାଇ ୨୦ ଓ ବଳକା ୨୦ରୁମ୍ ଏମ୍‌ସିଏଚ୍ ପାଇଁ ସଂରକ୍ଷିତ ରହିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଆଇସିୟୁ/ଏଚ୍‌ଡିୟୁକୁ ମିଶାଇ ୨୦ ଶଯ୍ୟା ରହିବ। ଯଦି ହସ୍ପିଟାଲରେ ୧୦ରୁ କମ୍ ରୋଗୀ ଆଡମିଟ୍‌ ହୋଇଥାନ୍ତି ତାହାଲେ ମେଡିକାଲ କଲେଜ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀଙ୍କ ଦ୍ବାରା ଏହାର ପରିଚାଳନା କରାଯିବ।

Twitter

ସେହିପରି ୨୦ଟି ଶଯ୍ୟା ପାଇଁ ପ୍ରତି ସିଫ୍‌ଟରେ ଜଣେ ଲେଖାଏ ଡାକ୍ତର, ୨ଜଣ ନର୍ସିଂ ଷ୍ଟାଫ୍, ୧୦୦ ଶଯ୍ୟା ପାଇଁ ଜଣେ ଫାର୍ମାସିଷ୍ଟ ଓ ଲାବ୍ ଟେକ୍‌ନିସିଆନ୍ ରହିବେ। ଆଇସିୟୁ, ଓଟି, ଲେବର ରୁମ୍ ପାଇଁ ଆନୁପାତିକ ଭିତ୍ତିରେ ମାନବ ସମ୍ବଳ ରହିପାରିବ। ଏହାସହ ହସ୍ପିଟାଲ ପାଇଁ ଆବଶ୍ୟକ ହାଉସକିପିଂ, ସୁରକ୍ଷାକର୍ମୀ, ଆଟେଣ୍ଡାଣ୍ଟ ‘ନିର୍ମଳ’ ଯୋଜନାରେ ଜାରି ନିୟମ ଅନୁସାରେ ନିୟୋଜିତ ହୋଇପାରିବ। ରୋଗୀଙ୍କ ସ୍ଥାନାନ୍ତର ପାଇଁ ଏସ୍‌ସିବି, ଏମ୍‌କେସିଜି, ବୁର୍ଲା, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ବର, କଟକ ମ୍ୟୁନିସିପାଲଟିକୁ ସ୍ବତନ୍ତ୍ରଭାବେ ଆମ୍ବୁଲାନ୍‌ସ ଯୋଗାଇବାକୁ କୁହାଯାଇଛି। ଯେହେତୁ ଲବେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତି ହେଉଛନ୍ତି ତେଣୁ ଘରୋଇ ଡିସିଏଚ୍‌ର ଆବଶ୍ୟକତା ନାହିଁ। ତେବେ ଘରୋଇ ହସ୍ପିଟାଲଭାବେ କେବଳ ସମ୍ ହସ୍ପିଟାଲ ପୂର୍ବଭଳି ଜାରି ରହିବ। କୋଭିଡ ହସ୍ପିଟାଲ ବାବଦରେ ହେବାକୁ ଥିବା ଖର୍ଚକୁ ସିଏମ୍‌ଆରଏଫ୍‌ କିମ୍ବା ପିଏଚ୍‌ଆରଏଫ୍‌ରୁ ଭରଣା କରାଯିବ ବୋଲି ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି।

ଅପରପକ୍ଷରେ ରାଜ୍ୟରେ ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ହଜାର ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୧୬ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସଂକ୍ରମଣ ୩ଶହରୁ ଖସି ଆସି ୨ଶହରେ ପହଞ୍ଚିଛି। ଜିଲ୍ଲାରୁ ୨୧୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ସୁନ୍ଦରଗଡ଼ ୧୪୧, କଟକ ୭୮, ସମ୍ବଲପୁର ୫୭, ମୟୂରଭଞ୍ଜ ୨୯, ଯାଜପୁର ୧୬, ପୁରୀ ୨୦ ଓ ଷ୍ଟେଟ୍‌ ପୁଲରୁ ୪୬ଜଣ ବାହାରିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଉ ଜଣଙ୍କ ମୃତ୍ୟୁ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାର ଚତୁର୍ଥ ଲହରରେ ବର୍ତମାନସୁଦ୍ଧା ୩ଜଣଙ୍କ ମୃତ୍ୟୁ ହେଲାଣି। ମୋଟ ମୃତ୍ୟୁ ସଂଖ୍ୟା ୯୧୨୯କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୫୩୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୫୩୭୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର