ବିଚାର ବିଭାଗରେ କରୋନା ପ୍ରଭାବ : ରାଜ୍ୟରେ ବିଚାରାଧୀନ ମାମଲା ୧୩ ଲକ୍ଷ ଟପିଲା

ଖୋର୍ଦ୍ଧାରେ ଗଡ଼ୁଛି ସବୁଠୁ ଅଧିକ ମାମଲା, ଗଜପତିରେ ସବୁଠୁ କମ୍

କଟକ : କରୋନା ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା। ମାର୍ଚ୍ଚ ଶେଷ ସପ୍ତାହରୁ ସାରା ରାଜ୍ୟରେ ଅଦାଲତି କାର୍ଯ୍ୟ ପ୍ରଭାବିତ ହୋଇଛି। ଏବେ କେବଳେ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବା ସହିତ ବିଚାରାଧୀନ ବନ୍ଦୀଙ୍କ ମାମଲା ଶୁଣାଣିକୁ ପ୍ରାଥମିକତା ଦିଆଯାଉଛି। କିନ୍ତୁ ଏଭଳି ସ୍ଥିତିରେ ଅଦାଲତରେ ସ୍ବାଭାବିକ କାର୍ଯ୍ୟ ହୋଇ ପାରୁ ନଥିବାରୁ ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବଢିବାରେ ଲାଗିଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ ଆରମ୍ଭରେ ସାରା ରାଜ୍ୟରେ ପ୍ରାୟ ୧୨ ଲକ୍ଷ ସାଢେ ୩୪ ହଜାର ମାମଲା ବିଚାରାଧୀନ ଥିବା ବେଳେ ଏବେ ଏପରି ମାମଲା ସଂଖ୍ୟା ୧୩ ଲକ୍ଷ ଟପିଲାଣି।

୨୦୨୦, ଜୁଲାଇ ୧୦ ତାରିଖ ସୁଦ୍ଧା ସାରା ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୧୩ ଲକ୍ଷ ୩ ହଜାର ୭୩୯ରେ ପହଞ୍ଚିଛି। ବିଭିନ୍ନ ଅଦାଲତରେ ୨ ଲକ୍ଷ ୬୭ ହଜାର ୧୮୮ଟି ସିଭିଲ କେସ୍ ଓ ୧୦ ଲକ୍ଷ ୩୬ହଜାର ୫୫୧ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ସାରାରାଜ୍ୟରେ ବିଭିନ୍ନ ଅଦାଲତରେ ୩୦ ବର୍ଷରୁ ଅଧିକ ପୁରୁଣା ମୋଟ ‌୪ ହଜାର ୬୦୭ଟି ମାମଲା ଗଡୁଛି। ବିଚାରାଧୀନ ମାମଲା ମଧ୍ୟରୁ ରାଜ୍ୟରେ ୧ ହଜାର ୫୨୩ଟି ଏପରି ସିଭିଲ ମାମଲା ଅଛି ଯାହା ୩୦ ବର୍ଷ ବା ତାଠାରୁ ପରୁଣା। ସେହିଭଳି ୩ ହଜାର ୮୪ଟି ୩୦ ବର୍ଷ ବା ତାଠାରୁ ପରୁଣା ଅପରାଧିକ ମାମଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଚାରାଧୀନ ଅବସ୍ଥାରେ ରହିଛି। ଏହି ୩୦ ବର୍ଷରୁ ପୁରୁଣା ମାମଲା ତାଲିକାରେ ଥିବା ତଥ୍ୟ ଅନୁସାରେ ୧୯୫୫ ମସିହାର ୨ଟି, ୧୯୬୦, ୧୯୬୪ ଓ ୧୯୬୬ର ଗୋଟିଏ ଲେଖାଏଁ, ୧୯୬୮ର ୨ଟି, ୧୯୬୯ର ଗୋଟିଏ, ୧୯୭୦ର ୨ଟି, ୧୯୭୧ର ୧୩ଟି, ୧୯୭୨ର ୪ଟି, ୧୯୭୩ର ୧୦ଟି, ୧୯୭୪ର ୧୨ଟି, ୧୯୭୬ର ୧୫ଟି ସିଭିଲ କେସ୍ ବିଚାରାଧୀନ ରହିଛି। ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ମସିହାର ମାମଲା ଗୁଡିକ ମଧ୍ୟରେ ଉଭୟ ସିଭିଲ ଓ କ୍ରିମିନାଲ କେସ୍ ରହିଛି। ୧୯୭୫ର ୧୧ଟି, ୧୯୭୭ର ୩୪ଟି, ୧୯୭୮ରୁ ୫୧ଟି, ୧୯୭୯ର ୭୫ଟି, ୧୯୮୦ର ୮୩ଟି, ୧୯୮୧ର ୨୪୧ଟି, ୧୯୮୨ର ୨୩୯ଟି, ୧୯୮୩ର ୩୩୬ଟି, ୧୯୮୪ର ୨୮୫ଟି, ୧୯୮୫ର ୪୬୧ଟି, ୧୯୮୬ର ୩୯୬ଟି, ୧୯୮୭ର ୮୦୪ଟି, ୧୯୮୮ର ୬୨୯ଟି, ୧୯୮୯ର ୮୯୮ଟି ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି।

ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୩୦ ହଜାର ୨୯୯ଟି ବିଚାରାଧୀନ ମାମଲା ରହିଥିବାବେଳେ ୧୦ରୁ ୨୦ ବର୍ଷ ପୁରୁଣା ୧ ଲକ୍ଷ ୬୪ ହଜାର ୪୧୧ଟି ବିଚାରାଧୀନ ମାମଲା ବିଭିନ୍ନ ଅଦାଲତରେ ପଡି ରହିଛି। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୨ ଲକ୍ଷ ୫୬ ହଜାର ୧୯୬। ୩ରୁ ୫ ବର୍ଷ ପୁରୁଣା ୨ ଲକ୍ଷ ୫ ହଜାର ୪୭୮ ବିଚାରାଧୀନ ମାମଲା ରହିଥିବା ବେଳେ ୧ ବର୍ଷରୁ ୩ ବର୍ଷ ପୁରୁଣା ମାମଲା ସଂଖ୍ୟା ୩ ଲକ୍ଷ ୫୦ ହଜାର ୯୩୫। ବର୍ଷକ ମଧ୍ୟରେ ହୋଇଥିବା ମାମଲା ମଧ୍ୟରୁ ୨ ଲକ୍ଷ ୯୧ ହଜାର ୮୧୩ଟି ଏବେ ବିଚାରାଧୀନ ରହିଛି। ୨୦୨୦ ବର୍ଷର ୧୫ ହଜାର ୭୮୧ଟି ସିଭିଲ କେସ୍ ଓ ୫୮ ହଜାର ୨୩୩ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି।

ରାଜ୍ୟର ତିନୋଟି ଜିଲ୍ଲାରେ ଲକ୍ଷାଧିକ ମାମଲା ବିଚାରାଧୀନ ରହିଛି। ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ରହିଥିବା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୧ ଲକ୍ଷ ୪୭ ହଜାର ୬୩୮ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲ୍ଲାରେ ଏବେ ୧ ଲକ୍ଷ ୧୪ ହଜାର ୮୩୨ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଜିଲ୍ଲାରେ ୧ ଲକ୍ଷ ୪୬୪ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଗଜପତି ଜିଲ୍ଲାରେ ସବୁ ଠାରୁ କମ୍ ୭ ହଜାର ୨୦ଟି ମାମଲା ବିଚାରାଧୀନ ରହିଛି। ମାଲକାନଗିରିରେ ୭ ହଜାର ୭୭୭ ଓ ଦେବଗଡ଼ରେ ୮ ହଜାର ୫୧ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର