କୋଭିଡ୍‌-୧୯ ଯୋଗୁଁ ରାଜ୍ୟରେ ମୁଣ୍ଡପିଛା ଆୟବ୍ୟୟ ଓ ଅଭିବୃଦ୍ଧି ପ୍ରଭାବିତ ହୋଇଛି : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର: କୋଭିଡ୍‌-୧୯ ଯୋଗୁଁ ରାଜ୍ୟରେ ଅଭିବୃଦ୍ଧି ହାର ଓ ମୁଣ୍ଡପିଛା ଆୟବ୍ୟୟ ପ୍ରଭାବିତ ହୋଇଛି ବୋଲି ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।  ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତ‌ର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୨୦୨୦-୨୧ରେ ମୁଣ୍ଡ ପିଛା ଆୟ (-୫.୭୧%) କମିଥିଲା, କିନ୍ତୁ ୨୦୨୧-୨୨ରେ (+୯.୭୯%) ବଢିବ ବୋଲି ଆକଳନ କରାଯାଇଛି।

କରୋନା ସଂକ୍ରମଣଜନିତ ଅଚଳାବସ୍ଥା ଯୋଗୁଁ ରାଜ୍ୟର ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟବ୍ୟୟ ପ୍ରଭାବିତ କେତେ ପ୍ରତିଶତ ପ୍ରଭାବିତ ହୋଇଛି? ବର୍ଷ ୨୦୨୦-୨୦୨୧ ଏବଂ ବର୍ଷ ୨୦୨୧-୨୦୨୨ କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶା ପାଇଁ ଯୋଜନା ସହାୟତା ଅନୁଦାନ ବାବଦରେ କେତେ ଟଙ୍କା ବରାଦ ଥିଲା ଏବଂ ଦୁଇଟି ଆର୍ଥିକ ବର୍ଷ ଶେଷସୁଦ୍ଧା କେତେ ଟଙ୍କା ମିଳିଲା? ଏହାଦ୍ବାରା କେଉଁ କେନ୍ଦ୍ରୀୟ ଯୋଜନା କେତେ ମାତ୍ରାରେ ପ୍ରଭାବିତ ହୋଇଛି ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିଲେ।

ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଜନା ଓ ସଂଯୋଜନ ବିଭାଗରୁ ହସ୍ତଗତ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ଏବଂ ମୁଣ୍ଡପିଛା ଆୟର ତଥ୍ୟାବଳୀ ଥିବା ସାରଣୀ ଦେଇଛନ୍ତି।

ଉକ୍ତ ସାରଣୀ ଅନୁସାରେ, ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟରେ ସାମଗ୍ରିକ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟରେ ହ୍ରାସ ଘଟିଥିଲା ଏବଂ ଅଭିବୃଦ୍ଧି ହାର ଋଣାତ୍ମକ ଥିଲା। କିନ୍ତୁ, ଆର୍ଥିକ ବର୍ଷ ୨୦୨୧-୨୨ରେ ଉଭୟ ସାମଗ୍ରିକ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟ ଏବଂ ଅଭିବୃଦ୍ଧି ହାର ବୃଦ୍ଧି ପାଇବ ବୋଲି ଆଗୁଆ ଆକଳନରୁ ଜଣାପଡୁଛି।

ସେହିପରି, ଓଡ଼ିଶାର ମହାଲେଖାକାରଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଯୋଜନା ସହାୟତା ଅନୁଦାନ ବାବଦକୁ ୩୨୦୦୦.୨୬ କୋଟି ଟଙ୍କା ବଜେଟ୍‌ ଅଟକଳ କରାଯାଇଥିବା ବେଳେ ବାସ୍ତବରେ ୨୩୦୬୮.୩୫ କ‌ୋଟି ଟଙ୍କା ମିଳିଥିଲା।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଯୋଜନା ସହାୟତା ଅନୁଦାନ ବାବଦକୁ ୩୭୯୬୩.୩୨ କୋଟି ଟଙ୍କା ବଜେଟ୍‌ ଅଟକଳ କରାଯାଇଥିବା ବେଳେ ଜାନୁଆରି ଶେଷସୁଦ୍ଧା ୧୩୨୭୭.୬୪ କ‌ୋଟି ଟଙ୍କା ମିଳିଛି।

ସମ୍ବନ୍ଧିତ ଖବର