ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର ଯଥେଷ୍ଟ ବୃଦ୍ଧି ପାଇଛି। ଏପରିକି ଗତ ୬ ଦିନ ସଂକ୍ରମଣ ହାର ୭.୬୭ ପ୍ରତିଶତ ରହିଛି। ଏହା ଜାତୀୟ ସଂକ୍ରମଣ ହାରଠାରୁ ମଧ୍ୟ ଅଧିକ। ମାତ୍ର ରାଜ୍ୟର ସମୁଦାୟ ସଂକ୍ରମଣ ହାର ୩.୨ ପ୍ରତିଶତ ରହିଛି। କିନ୍ତୁ ଜୁଲାଇ ମାସରେ ପଜିଟିଭ୍ ସଂଖ୍ୟା ଯେଉଁଭଳି ଭାବେ ବଢ଼ି ଚାଲିଛି, ଆସନ୍ତା କିଛି ଦିନ ଭିତରେ ସମୁଦାୟ ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କମ୍ ସଂକ୍ରମଣ ହାର ଓ ଅଧିକ କୋଭିଡ୍ ପରୀକ୍ଷା କରୁଥିବା ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତାଲିକା ପ୍ରକାଶ ପାଇଥିଲା, ସେଥିରେ ଓଡ଼ିଶାର ସ୍ଥାନ ନାହିଁ।
ଜୁନ୍ ୩୦ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ରାଜ୍ୟରେ ୩୧ ହଜାର ୮୦୩ ନମୁନା ପରୀକ୍ଷା କରାଯାଇଛି। ଏହି ସମୟରେ ୨୪୬୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ହାର ୭.୬୭ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁଲାଇରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଯେଉଁ ଆଶଙ୍କା ରହିଥିଲା, ତାହା ଧୀରେ ଧୀରେ ସତ ହେବାରେ ଲାଗିଛି। ଯଦିଓ ଏହି ସମୟରେ ରାଜ୍ୟରେ କୋଭିଡ୍ ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟିଛି, ତଥାପି ପ୍ରତିଦିନ ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି।
ଅପରପକ୍ଷରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଂକ୍ରମଣ ହାର ଓ କୋଭିଡ ପରୀକ୍ଷା ସଂପର୍କିତ ଏକ ତାଲିକା ପ୍ରକାଶ କରିଛି। ଦେଶର ସଂକ୍ରମଣ ହାର ୬.୬୭ ପ୍ରତିଶତ ରହିଛି। ତାଲିକାରେ ଶୀର୍ଷରେ ରହିଛି ପଣ୍ଡିଚେରୀ। ଏଠାରେ ସଂକ୍ରମଣ ହାର ୫.୫୫ ପ୍ରତିଶତ ଥିବା ବେଳେ ୧୦ଲକ୍ଷ ଜନସଂଖ୍ୟାରେ ୧୨ ହଜାର ୫୯୨ କୋଭିଡ୍ ପରୀକ୍ଷା ହେଉଛି। ଏହା ପଛରେ ଚଣ୍ଡୀଗଡ଼, ଆସାମ, ତ୍ରିପୁରା, କର୍ଣ୍ଣାଟକ, ରାଜସ୍ଥାନ, ଗୋଆ ଓ ପଞ୍ଜାବ ରହିଛନ୍ତି। ମାତ୍ର ଓଡ଼ିଶା ଏଥିରେ ସ୍ଥାନ ପାଇନାହିଁ।
ରାଜ୍ୟରେ ଏବେ ୧୦ଲକ୍ଷ ଜନସଂଖ୍ୟାରେ ୬୬୯୬ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଉଛି। ଜୁନ୍ ୨୯ରୁ ୬ ଜୁଲାଇ ଭିତରେ ରାଜ୍ୟରେ ହାରହାରି ସଂକ୍ରମଣ ୬ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/covid-a.jpeg)
