ଓଡ଼ିଶାରେ କଡ଼ ଲେଉଟାଉଛି କରୋନା; ଲକ୍ଷଣ ବଦଳୁଛି, ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ କଡ଼ ଲେଉଟାଇବାକୁ ଆରମ୍ଭ କରିଛି। ୧୫ଦିନ ପରେ ଦୈନିକ ସଂକ୍ରମଣ ପୁଣିଥରେ ୩୦୦ ଡେଇଁଛି। କେବଳ ସଂଖ୍ୟା ବଢ଼ିନାହିଁ, କରୋନାର ଲକ୍ଷଣ ମଧ୍ୟ ବଦଳିଛି। ସାଧାରଣ ଭାବେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପ୍ରତି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇଛନ୍ତି।

ରାଜ୍ୟର ଗତ କିଛିଦିନ ଭିତରେ ସ୍କୁଲ, ମେଡିକାଲ କଲେଜରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଅଭିଭାବକମାନଙ୍କ ଭିତରେ ଛନକା ପଶିଛି। ଯଦିଓ ରାଜ୍ୟରେ ଏବେ କରୋନାର କୌଣସି ନୂତନ ଭାରିଏଣ୍ଟ ଚିହ୍ନଟ ହୋଇନାହିଁ, ତଥାପି ସମ୍ଭାବ୍ୟ ତୃତୀୟ ଲହର ଭୟ ଏବେ ବି ଦୂର ହୋଇନାହିଁ।ୟୁରୋପୀୟ ଦେଶଗୁଡ଼ିକରେ ପୁଣିଥରେ ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇଥିବାରୁ ଲୋକମାନେ ସତର୍କ ନ ହେଲେ ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ କରୋନାର ଏବେ ଲକ୍ଷଣ ବଦଳିଛି। ସାମାନ୍ୟ ଥଣ୍ଡା ଜ୍ବର ହେଲେ ମଧ୍ୟ ଲୋକମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ବର ହେବା ମାତ୍ରେ ତୁରନ୍ତ କୋଭିଡ ପରୀକ୍ଷା କରାଇନେବା ଜରୁରୀ। ପରୀକ୍ଷା କଲେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନେ ସୁରକ୍ଷିତ ରହିପାରିବେ। ତେବେ ସୁନ୍ଦରଗଡ଼ ଓ ଭିମ୍‌ସାରରେ ସଂକ୍ରମଣକୁ ନେଇ ଚିନ୍ତା କରିବାର ବିଶେଷ କାରଣ ନାହିଁ। ଏଠାରେ କରୋନା ସଂକ୍ରମଣ କିଛି ନିର୍ଦ୍ଦିଷ୍ଟ ପକେଟ୍‌ରେ ହେଉଛି। ଭିମ୍‌ସାର ଓ ସୁନ୍ଦରଗଡ଼ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସଂକ୍ରମଣକୁ ନେଇ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି। ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କଠାରେ ସିଭିୟରିଟି କମ୍ ରହିଛି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲରେ ସ୍ବତନ୍ତ୍ରଭାବେ ନିରୀକ୍ଷଣ କରାଯାଇଛି। ଆସନ୍ତା ୪/୫ଦିନ ଭିତରେ ସଂକ୍ରମଣ ଆୟତ୍ତକୁ ଆସିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତମାନ ଲୋକମାନେ କୋଭିଡ ନିର୍ଦେଶାବଳୀକୁ ମାନୁ ନାହାନ୍ତି। ଯାହାକି ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ। ତେଣୁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବା ଉଚିତ୍ ନୁହେଁ ବୋଲି ଡା.ମହାପାତ୍ର ସତର୍କ କରାଇଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରକେ ଶର୍ମା କୋଭିଡ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୧୪୧ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୮ହଜାର ୯କୁ ବୃଦ୍ଧି ପାଇଛି। ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୪୦୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର