ବିପଦରେ ଶିଶୁଭବନରେ ଚିକିତ୍ସିତ ୬୦ ଶିଶୁ!

ସାଧାରଣ ଓପିଡି ଭିତରେ କରୋନା ଚିକିତ୍ସା, ମେଡିସିନ୍ ଡାକ୍ତର, ଫାର୍ମିସିଷ୍ଟଙ୍କ ସ୍ବାବ୍ ସଂଗ୍ରହ; ଆଉଟଡୋର ବନ୍ଦ

କଟକ : ଶିଶୁ ଭବନ ପରିସରରେ ଜାପାନ ସହାୟତାରେ ନିର୍ମିତ କୋଠାର ତଳ ମହଲାର ସାଧାରଣ ଓପିଡି ଭିତରେ ଖୋଲାଯାଇଛି କରୋନା ସନ୍ଦିଗ୍ଧଙ୍କ ପାଇଁ ଫିବର୍ କ୍ଲିନିକ୍। ଫିବର କ୍ଲିନିକର ଓପିଡି ଟିକଟ ପାଇଁ ବି ପୃଥକ ବ୍ୟବସ୍ଥା କରାଯାଇ ନାହିଁ। ଗୋଟିଏ ସ୍ଥାନରୁ ସାଧାରଣ ରୋଗୀ ଏବଂ କରୋନା ସନ୍ଦିଗ୍ଧ ଓପିଡି ଟିକଟ ନେଉଛନ୍ତି। ଉଭୟ ଶିଶୁ ରୋଗୀ ଓପିଡି କାଉଣ୍ଟର ସାମ୍‌ନାରେ ଥିବା ଖାଲି ସ୍ଥାନରେ ଡାକ୍ତରଙ୍କୁ ଅପେକ୍ଷା କରୁଛନ୍ତି। ଏଭଳି ଖାମଖିଆଲ ଢଙ୍ଗରେ ଫିବର କ୍ଲିନିକ୍ ଖୋଲାଯାଇଥିବାରୁ ଶିଶୁଭବନ ଓ୍ବାର୍ଡରେ ଏବେ ଚିକିତ୍ସିତ ହେଉଥିବା ପାଖାପାଖି ୬୦ ଜଣ ଗୁରୁତର ଶିଶୁ ରୋଗୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଶିଶୁଭବନରେ ଚିହ୍ନଟ ହୋଇଥିବା ସାଲେପୁରର ଶିଶୁପୁତ୍ର ଗଲା ଶନିବାର ନିର୍ଦ୍ଦିଷ୍ଟ ଭାବେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛି, ସେ ନେଇ ବର୍ତ୍ତମାନ ଆକଳନ କରିବା କଷ୍ଟକର ହୋଇପଡ଼ିଛି। କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ ପାଇଁ ଖୋଲାଯାଇଥିବା ଫିବର କ୍ଲିନିକ୍ ସାଧାରଣ ଓ୍ବାର୍ଡ, ଓପିଡିଠାରୁ ଦୂରରେ ନକରି ହସ୍‌ପିଟାଲ ଭିତରେ ଖୋଲିବା ଘଟଣା ଏବେ ରୋଗୀ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି। କୌଣସି ମୁହୂର୍ତ୍ତରେ ଓ୍ବାର୍ଡରୁ ଓ୍ବାର୍ଡ କରୋନା ମାଡ଼ିଯିବାର ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଶିଶୁଭବନରେ ପ୍ରଥମଥର ଜଣେ ଶିଶୁପୁତ୍ର କରୋନା ଚିହ୍ନଟ ପରେ ଅନ୍ୟ ଶିଶୁ ରୋଗୀଙ୍କ ଜୀବନ ବିପଦକୁ ଠେଲି ହୋଇଛି। ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ସେମାନେ କରୋନା ରୋଗରେ ସଂକ୍ରମିତ ହୋଇଥା’ନ୍ତି। ବାହାରକୁ ସହଜରେ ଜଣାପଡ଼େନାହିଁ। ବହୁତ କମ୍ କ୍ଷେତ୍ରରେ ଶିଶୁଙ୍କ ଦେହରେ ଥଣ୍ଡା, କାଶ ଭଳି କରୋନା ଲକ୍ଷଣ ଦେଖାଯାଏ। କିଡନି ରୋଗ, ମସ୍ତିଷ୍କ ସଂକ୍ରମଣ, ହୃଦ୍‌ରୋଗ ସମସ୍ୟା ଥିବା ଶିଶୁ ରୋଗୀ ଖୁବ ଶୀଘ୍ର କରୋନାରେ ଆକ୍ରାନ୍ତ ହୁଅନ୍ତି। ଏମାନେ ବଞ୍ଚିବା ବି କଷ୍ଟକର ହୋଇପଡ଼ୁଥିବା ସମ୍ପୃକ୍ତ ଡାକ୍ତର ମତ ରଖିଛନ୍ତି। ଶିଶୁଭବନରେ ଦୈନିକ ୨୫୦ରୁ ୩୦୦ ଶିଶୁ ରୋଗୀ ଓପିଡିକୁ ଆସୁଥିବାରୁ ବର୍ତ୍ତମାନ ଓ୍ବାର୍ଡରେ କିଡନି ରୋଗୀ ପାଖାପାଖି ୧୦ ଜଣ, ମସ୍ତିଷ୍କ ସଂକ୍ରମଣ ରୋଗୀ ୪୦ ଜଣ, ହୃଦରୋଗୀ ୨୦ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ମ୍ୟାଲେରିଆ, ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏଭଳି ଗୁରୁତର ଶିଶୁ ରୋଗୀ ଶିଶୁଭବନରେ ଭର୍ତ୍ତି ହୋଇଥିବାବେଳେ ଜାପାନ କୋଠାର ତଳ ମହଲାର ୯ ନମ୍ବର ରୁମରେ ଫିବର କ୍ଲିନିକ୍ ଅନ୍ୟ ବିଭାଗ ସହିତ ଖୋଲିବା ନିଷ୍ପତ୍ତି ସାଧାରଣ ଶିଶୁ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଉଠିଛି। ଫିବର କ୍ଲିନିକ ପାଖରେ ହିଁ ଏକ୍ସରେ, ଲାବ୍ରୋଟୋରି, ସର୍ଜରୀ ଆଉଟଡୋର୍, ମେଡିସିନ ଆଉଟଡୋର, ବାୟୋକେମେଷ୍ଟ୍ରି, ସର୍ଜରୀ ଓଟି, ଜରୁରୀକାଳିନ ଓ୍ବାର୍ଡ, ଦୁଇଟି ଓପିଡି ଟିକଟ କାଉଣ୍ଟର ରହିଛି। ଅନ୍ୟ ବିଭାଗର ଡାକ୍ତର, କର୍ମଚାରୀ, ଶିଶୁ ରୋଗୀ, ଆଟେଣ୍ଡାଣ୍ଟ ସଂକ୍ରମିତ ହେବା ନେଇ ଆଶଙ୍କା କରାଯାଉଛି। ଗୋଟିଏ କାଉଣ୍ଟର ସାଧାରଣ ରୋଗୀଙ୍କ ପାଇଁ ଥିବା ବେଳେ ଅନ୍ୟଟି ଫିବର୍ କ୍ଲିନିକ୍ ପାଇଁ ରହିଛି। ତେବେ ଦୁଇଟି କାଉଣ୍ଟର ମଧ୍ୟରେ ଗୋଟିଏ ଫୁଟ ଦୂରତା ବି ନାହିଁ। କରୋନା ସନ୍ଦିଗ୍ଧଙ୍କ ସ୍ବାବ୍ ସଂଗ୍ର, ଫିବର କ୍ଲିନିକ ଏବଂ ସେମାନଙ୍କ ଓପିଡି ଟିକଟ କାଉଣ୍ଟର ହସପିଟାଲ ବାହାରେ କରାଯିବାର ଆବଶ୍ୟକତା ଥିବା ବେଳେ ଶିଶୁଭବନ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ରବିବାର ରାତିରେ କରୋନି ପଜିଟିଭ ଚିହ୍ନଟ ପରେ ଆଜି କେବଳ ଫିବର କ୍ଲିନିକ ଏବଂ ଓପିଡି କାଉଣ୍ଟର ବିଶୋଧନ କରାଯାଇଥିବାବେଳେ ହସପିଟାଲ ଆଖପାଖ ଅଞ୍ଚଳ ବିଶୋଧନ କରାଯାଇନାହିଁ। କରୋନା ଚିହ୍ନଟ ହେବାର ୨୪ ଘଣ୍ଟା ବିତିଯାଇଥିବା ବେଳେ ଠିକ୍ ଢଂଗରେ ବିଶୋଧନ କରାନଯିବା ଘଟଣା ପ୍ରତିକ୍ରିୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଶିଶୁଭବନରେ କରୋନା ଚିହ୍ନଟ ହୋଇଥିବା ଶିଶୁ ରୋଗୀର ସଂସ୍ପର୍ଶରେ ଦୁଇ ଜଣ ହସପିଟାଲ୍ କର୍ମଚାରୀ ଆସିଥିବା କୁହାଯାଉଛି। ଜଣେ ପେଡିଆଟ୍ରିକ ମେଡିସିନ ଡାକ୍ତର ଏବଂ ଅନ୍ୟ ଜଣେ ଫାର୍ମାସିଷ୍ଟ। ଉଭୟଙ୍କ ସ୍ବାବ୍‌ ପରୀକ୍ଷା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ ରିପୋର୍ଟ ନେଗେଟିଭ୍ ନଆସିବା ପର୍ଯ୍ୟନ୍ତ ସେମାନଙ୍କୁ ହସ୍‌ପିଟାଲ କାର୍ଯ୍ୟରୁ ବାଦ୍ ଦିଆଯାଇଛି। ଅନ୍ୟପଟେ ଆଜି ଶିଶୁଭବନ ଆଉଟ୍‌ଡୋରକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ସଂକ୍ରମିତ ଅଞ୍ଚଳକୁ ବିଶୋଧନ କରିବା ଉଦ୍ଦେଶ୍ୟରେ ବନ୍ଦ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର