ସ୍ଥାନୀୟ ସଂକ୍ରମଣ ୧୫ରୁ ୩୩%କୁ ବୃଦ୍ଧି
ଆଉ ୫ ମୃତ୍ୟୁକୁ ନେଇ ସଂଖ୍ୟା ୬୧ ଛୁଇଁଲା
୨୪ଘଣ୍ଟାରେ ୫୭୦ ଚିହ୍ନଟ, ୩୮୮ ସୁସ୍ଥ
ଭୁବନେଶ୍ବର : ଜୁଲାଇ ମାସର ପ୍ରଥମ ୧୦ ଦିନ ରାଜ୍ୟରେ କରୋନା ଚିତ୍ରକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ସ୍ଥାନୀୟ ସଂକ୍ରମଣଠାରୁ ଆରମ୍ଭ କରି କରୋନା ମୃତ୍ୟୁ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ସବୁଥିରେ ବୃଦ୍ଧି ଘଟିଛି। ଆଗକୁ ପରିସ୍ଥିତି ଆହୁରି ସଂଗିନ ହେବ ବୋଲି ଏବେଠାରୁ ଜଳ ଜଳ ଦିଶିଲାଣି। ବିଶେଷକରି ସ୍ଥାନୀୟ ସଂକ୍ରମଣ ଚଳିତମାସ ଆରମ୍ଭରୁ ମାତ୍ର ୧୫ ପ୍ରତିଶତ ଥିବା ବେଳେ ଏବେ(ଆଜିର ଦିନରେ) ୩୩ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ମାସ ଆରମ୍ଭରୁ ରାଜ୍ୟରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଥିଲେ ତାହାର ୧୫ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହୁଥିବା ବେଳେ ୧୦ତାରିଖ ବେଳକୁ ଏଥିରେ ଅପ୍ରତ୍ୟାଶିତ ବୃଦ୍ଧି ହୋଇଛି।
ରାଜ୍ୟରେ କରୋନା ବୃଦ୍ଧି ହାର (ଗ୍ରୋଥ୍ ରେଟ୍) ମଧ୍ୟ ଜାତୀୟ ହାରଠାରୁ ଅଧିକ ହେଲାଣି। ୧୦ ଦିନରେ ରାଜ୍ୟରେ ୫୨୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଚଳିତମାସ ଆରମ୍ଭରୁ ଏହା ୩ ପ୍ରତିଶତ ଥିବା ବେଳେ ଏହାର ପରବର୍ତୀ ଦିନ ଗୁଡ଼ିକରେ ଏହା ୫ ପ୍ରତିଶତରୁ ଅଧିକ ରହିଥିବା ରେକର୍ଡ କରାଯାଇଛି। ଟିପିଆର ମଧ୍ୟ ଗତ ୯ ତାରିଖ ଦିନ ରାଜ୍ୟରେ ସର୍ବାଧିକ(୧୧.୬୯ %) ରହିଥିଲା। ଜୁଲାଇ ମାସ ୧ତାରିଖରେ ଏହା ୫.୭୩ ପ୍ରତିଶତ ରହିଥିଲା। ସେହିପରି ମେ ମାସ ଆରମ୍ଭ ପର୍ଯ୍ୟନ୍ତ ରାଜ୍ୟରେ ୭ କରୋନା ମୃତ୍ୟୁ ହୋଇଥିବା ବେଳେ ଜୁନ୍ ମାସରେ ୧୮ଜଣ ଓ ଜୁଲାଇ ମାସରେ ଏ ପର୍ଯ୍ୟନ୍ତ ୩୬ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ରାଜ୍ୟରେ ପ୍ରତ୍ୟେକ ଦିନ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେବା ଚିନ୍ତାର କାରଣ ପାଲଟିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଉ ୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଅଣ କୋଭିଡ୍ରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ୫୫ବର୍ଷର ଓ ୭୨ବର୍ଷର ମଧୁମେହରେ ପୀଡ଼ିତ ଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିପରି ଭୁବନେଶ୍ବରର ମଧୁମେହରେ ପୀଡ଼ିତ ୫୬ବର୍ଷର ମହିଳା, କଟକ ଜିଲ୍ଲାର ୪୬ବର୍ଷର ପୁରୁଷ ମଧୁମେହ, ଉଚ୍ଚ ରକ୍ତଚାପ ଓ ହାଇପରଥାଇରଏଡ୍ରେ ପୀଡ଼ିତ ଥିଲେ। ସେହିପରି ପୁରୀ ଜିଲ୍ଲାର ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ୭୦ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ୬୧ରେ ପହଞ୍ଚିଛି। ଏହାବାଦ୍ କେନ୍ଦ୍ରାପଡ଼ା ଜିଲ୍ଲାର ୬୨ବର୍ଷର ମହିଳାଙ୍କର ବ୍ରେନ୍ ଟ୍ୟୁମରରେ ମୃତ୍ୟୁ ହୋଇଛି। କରୋନା ପଜିଟିଭ୍ ହେବା ପୂର୍ବରୁ ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଓ ଆଜ୍ମା ଭଳି ରୋଗ ଥିଲା। ତେବେ ସରକାରୀ ଭାବେ ଅଣ କୋଭିଡ୍ ମୃତ୍ୟୁ ୧୮ ଛୁଇଁଛି।
/sambad/media/post_attachments/wp-content/uploads/2020/06/covid-19-1-300x178.jpg)
ଗତ ୨୪ଘଣ୍ଟାରେ ରାଜ୍ୟର ୧୯ଟି ଜିଲ୍ଲାରୁ ୫୭୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ୨୧୮ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩୪ରେ ପହଞ୍ଚିଛି। ତେବେ ଗତ ୧୦ ଦିନରେ ଗଞ୍ଜାମ ଜିଲ୍ଲାରେ କେବଳ ୩୨୧ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଏହାବାଦ୍ କଟକ ୪୬, ସୁନ୍ଦରଗଡ଼ ୪୪, ଯାଜପୁର ୪୦, ନୟାଗଡ଼ ଓ ଖୋର୍ଧା ୩୭, ଝାରସୁଗୁଡ଼ା ୩୧, ଗଜପତି ୨୫, ଜଗତସିଂହପୁର ୧୬, ପୁରୀ ୧୫, କେନ୍ଦୁଝର ୧୪, କୋରାପୁଟ ଓ ଅନୁଗୁଳରୁ ୧୧ଜଣ ଲେଖାଏ, ମୟୂରଭଞ୍ଜ ୧୦, କେନ୍ଦ୍ରାପଡ଼ା ୬, ବାଲେଶ୍ବର ଓ ବୌଦ୍ଧ ୩ଜଣ ଲେଖାଏ, ଭଦ୍ରକ ୧, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ରହିଛନ୍ତି। ୫୭୦ ପଜିଟିଭ୍ଙ୍କ ମଧ୍ୟରୁ ୩୮୪ଜଣ ସଙ୍ଗରୋଧ କେନ୍ଦ୍ରରୁ ୧୮୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬ରେ ପହଞ୍ଚିଛି। ୭ଟି ଜିଲ୍ଲାରେ ୫ଶହରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏ ପର୍ଯ୍ୟନ୍ତ ୯୬୫୬ଜଣ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି।
ଆଜି ୩୮୮ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗଞ୍ଜାମ ୧୮୭, ଖୋର୍ଧା ୩୭, କେନ୍ଦୁଝର ୩୧, ଯାଜପୁର ୨୭, କଟକ ୨୬, ନୟାଗଡ଼ ୧୮, ପୁରୀ ୧୬, ସମ୍ବଲପୁର ୧୪, ବାଲେଶ୍ବର ୧୧, ୮ ଅନୁଗୁଳ, କେନ୍ଦ୍ରାପଡ଼ା ୬, ଗଜପତି ଓ ଝାରସୁଗୁଡ଼ା ୨ଜଣ ଲେଖାଏ, ବରଗଡ଼, ଭଦ୍ରକ ଓ ଦେବଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ୮୩୬୦ ଜଣ ରୋଗୀ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ସାରିଲେଣି। ଗଞ୍ଜାମ ଜିଲ୍ଲାରେ ଏବେ ବି ୧୫୧୮ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।
/sambad/media/post_attachments/wp-content/uploads/2020/06/ganjam-300x202.jpg)
ଗଞ୍ଜାମରେ ୫୮୨ କୋଭିଡ୍ ଯୋଦ୍ଧା ସଂକ୍ରମିତ, ୪ ମୃତ୍ୟୁ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ଓ ସ˚କ୍ରମଣ ଶିଖର ଛୁଇଁଛି। କରୋନା ମୁକାବିଲାରେ ନିୟୋଜିତ କୋଭିଡ଼୍ ଯୋଦ୍ଧା ମାନେ ବି ବାଦ୍ ପଡ଼ିନାହାନ୍ତି। ଜିଲ୍ଲାରେ ଇତିମଧ୍ୟରେ ୪ଜଣ କୋଭିଡ଼୍ ଯୋଦ୍ଧା(୨ ଜଣ ଶିକ୍ଷକ, ଜଣେ ଅଙ୍ଗନୱାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ)ଙ୍କ ମୃତ୍ୟୁ ଘଟିଲାଣି। ସାରା ଜିଲ୍ଲାରେ ଆଜି ସୁଦ୍ଧା ୫୮୨ଜଣ କୋଭିଡ଼୍ ଯୋଦ୍ଧା ସ˚କ୍ରମିତ ହେଲେଣି। ସେମାନଙ୍କ ମଧ୍ୟରୁ ୨୮୬ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅଧିକାଂଶ ପୁଣି କାର୍ଯ୍ୟରେ ଯୋଗ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଉ ୨୯୬ ଜଣ ଚିକିତ୍ସାଧୀନ ରହିଛନ୍ତି। ଏହି କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଡାକ୍ତର, ପୁଲିସ, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ, ସରପଞ୍ଚ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ରହିଛନ୍ତି।