କୋଭିଡ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଉଦଯାପିତ

ଭୁବନେଶ୍ୱର : କୋଭିଡ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପରଦା ନଇଁଛି। ଓରି ଫାର୍ମ, ଜେବିଏସ୍‌ ଏଜୁକେସନ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ କର୍ପୋରେସନ ପକ୍ଷରୁ ଅନଲାଇନ୍‌ରେ ହୋଇଥିବା ଏହି ଉତ୍ସବରେ ପର୍ଯ୍ୟଟନ ଚଳଚ୍ଚିତ୍ର, ଜନଜାତି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏଥିସହ ‘ବାତାୟନ’ କବିତା ଉତ୍ସବ ଆୟୋଜିତ ହୋଇଥିଲା। ୩ଟି ଉତ୍ସବରେ ୩୪ ଦେଶରୁ ଚଳଚ୍ଚିତ୍ର ଓ ସାରସ୍ବତ ଜଗତର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ୧୭ଟି ଭାଷାରେ ୩ଶହ କବିତା ପାଠ ହୋଇଥିଲା। ୩୪ଟି ଦେଶରୁ ୭ଶହ ପର୍ଯ୍ୟଟନ ଚଳଚ୍ଚିତ୍ର ଏବଂ ୨୮ ଦେଶରୁ ୨୦ ଭାଷାରେ ୩୦୦ଟି ଜନଜାତି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ହିତେଶ କୁମାରଙ୍କ ଚଳଚ୍ଚିତ୍ର ‘କ୍ୟା କରୁଁ’ ଓ ଆଫ୍ରିକାର ଓଲିଭେର୍‌ ଗ୍ରାନ୍‌ଚେରଂଙ୍କୁ ପର୍ଯ୍ୟଟନ ଚଳଚ୍ଚିତ୍ର ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। କବିତା ଉତ୍ସବରେ ଓଡ଼ିଶାର ମିନତି ଦାସ, ଶୁଭଶ୍ରୀ ପାଣି ଓ ଅଭିଷେକ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।

ଜନଜାତି ଫିଲ୍ମ ବର୍ଗରେ ସାନ୍ତାଳି ଫିଲ୍ମ ‘ବନିଆଗାଁ’ ବିଜେତା ହୋଇଥିବା ବେଳେ ନିର୍ଦେଶକ ଆଲୋକେଶ ସାହାଙ୍କୁ ଶ୍ରେଷ୍ଠ ନର୍ଦେଶକ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ସମ୍ପାଦନା ପାଇଁ ଦେବବ୍ରତ ଶାହା ଓ ପ୍ରଣୟ ସରକାର ଏବଂ ଶ୍ରେଷ୍ଠ ଅଭିନେତା ଭାବେ ୱିଲସନ ବେସ୍ରାଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶାର ଗଦାଧର ପାତ୍ରଙ୍କ ଚଳଚ୍ଚିତ୍ର ‘‌କରୋନା ତୁ ଫେରିଯା’ ଶ୍ରେଷ୍ଠ କାହାଣୀ ବର୍ଗରେ ପୁରସ୍କୃତ ହୋଇଥିଲା। ଏହି ଅବସରରେ ଛଉ ନୃତ୍ୟଶିଳ୍ପୀ ତପନ କୁମାର ପଟ୍ଟନାୟକ, ଚିତ୍ରଶିଳ୍ପୀ ନିବେଦିତା ମହାପାତ୍ର, ଚଳଚ୍ଚିତ୍ର ନିର୍ମାତା ମୁରଲୀଧର ହଲ୍ଲାପା, ଆଫଗାନିସ୍ତାନର ପ୍ରଫେସର ଗୁଲାମମିର, କ୍ବାଦ୍ରାତୁଲ୍ଲା, ମାରିଆନା ବୁର୍ଗୋ ଓ ଆସାମର ମଣିରାମ ସିଂଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଉତ୍ସବ‌ର ଅଧ୍ୟକ୍ଷ ତଥା ଶିଳ୍ପୋଦ୍ୟୋଗୀ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, କୋଲକାତାର ଇଭେଣ୍ଟ ଉଦ୍ୟୋଗୀ ବିଭାସ ବନ୍ଦୋପାଧ୍ୟାୟ ଓ ହାଇଦ୍ରାବାଦର ଇଭେଣ୍ଟ ନିର୍ଦେଶକ ଭି.ଭି ମହେଶ୍ବରରାଓ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର