ଭୁବନେଶ୍ବର: ବିଶ୍ବବ୍ୟାପୀ କୋଭିଡର ପ୍ରଭାବ ଅପସରି ଗଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) କୋଭିଡ୍‌କୁ ଆଉ ମହାମାରୀ ନୁହେଁ ବୋଲି ଘୋଷଣା କରିସାରିଲାଣି। ହେଲେ କୋଭିଡ ସମୟରେ ରାଜ୍ୟ ସରକାର ଏହାର ମୁକାବିଲା ନେଇ ଯେଉଁ ଯେଉଁ ପଦକ୍ଷେପ ନେଇଥିଲେ ସେସଂପର୍କରେ ୩ବର୍ଷ ପରେ ବି ସୂଚନା ଦିଆଯାଉନାହିଁ। ଏଭଳି କେଉଁ ତଥ୍ୟ ରହିଛି ଯେ ତାହାକୁ ପ୍ରଦାନ କରିବା ଲାଗି ଅଧିକାରୀମାନେ କାହିଁକି ଯେ କୁଣ୍ଠାବୋଧ କରୁଛନ୍ତି ତାହା ବୁଝାପଡ଼ୁନାହିଁ।

Advertisment

୨୦୨୦ ମସିହା ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ପରବର୍ତୀ ସମୟରେ କୋଭିଡ୍‌ ସଂକ୍ରମଣ ସବୁ ଅଞ୍ଚଳକୁ ମାଡ଼ିଥିଲା। ଏପ୍ରିଲ ମାସ ବେଳକୁ ପ୍ରଥମ ମୃତ୍ୟୁ ମଧ୍ୟ ହୋଇଥିଲା। ଶହ ଶହ ରୋଗୀ ହସ୍ପିଟାଲରେ ଚିକିତ୍ସିତ ‌ହେଉଥିବାରୁ ସେମାନଙ୍କୁ କିଭଳି ଉନ୍ନତ ମାନର ଚିକିତ୍ସା ମିଳିପାରିବ ସେଥିପାଇଁ ସରକାର ପଦକ୍ଷେପ ନେଇଥିଲେ। କୋଭିଡ୍‌ ମୃତ୍ୟୁକୁ ନେଇ ବିବାଦ ଦେଖାଯିବା ପରେ ଏହାର ଅଡିଟ୍‌ କରିବା ପାଇଁ କମିଟି ଗଠନ କରିଥିଲେ। ଜିଲ୍ଲା-ମ୍ୟୁନିସିପାଲଟି-ରାଜ୍ୟସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟି କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ନା ତାଙ୍କ ମୃତ୍ୟୁ ଅନ୍ୟ କାରଣ ପାଇଁ ହୋଇଛି ତାହାର ଅନୁଧ୍ୟାନ କରିବ ବୋଲି କୁହାଯାଇଥିଲା।

କୋଭିଡ୍ ସଂପର୍କିତ ସୂଚନା ପାଇଁ ପ୍ରସ୍ତୁତ ହୋଇଥିବା କୋଭିଡ୍‌ ଡ୍ୟାସବୋର୍ଡରେ ରାଜ୍ୟରେ ୩ଟି ଲହରରେ ସମୁଦାୟ ୯,୨୦୪ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ପରବର୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦେଶ ହୋଇଥିଲା। ଏଥିରେ ରାଜ୍ୟର ପ୍ରାୟ ୨୧ହଜାର କୋଭିଡ ମୃତକଙ୍କ ସଂପର୍କୀୟଙ୍କୁ ୫୦ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଅଡିଟ୍‌ ସଂପର୍କରେ ଜାଣିବା ପାଇଁ ଜିଲ୍ଲାମାନଙ୍କୁ ନିଜ ଜିଲ୍ଲାରେ କୋଭିଡ ସଂକ୍ରମଣ ଓ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ରିପୋର୍ଟ ସଂପର୍କରେ ତଥ୍ୟ ମଗାଯାଇଥିଲା। ଗତ ଏପ୍ରିଲ ୩ ତାରିଖରେ ରାଜ୍ୟ ସରକାରଙ୍କୁ ତଥ୍ୟ ମଗାଯାଇଥିଲେ ହେଁ ୫ମାସ ପରେ ସବୁ ଜିଲ୍ଲା ତଥ୍ୟ ଦେଇ ନାହାନ୍ତି। କିଛି ଜିଲ୍ଲା ତଥ୍ୟ ଦେଇଥିଲେ ବି ଅନେକ ଜିଲ୍ଲା ଏସବୁ ତଥ୍ୟକୁ ଚାପି ରଖିଛନ୍ତି। ବିଶେଷକରି ଖୋର୍ଧା ଜିଲ୍ଲା ଅଧୀନ ଭୁବନେଶ୍ବର ଓ କଟକ ଜିଲ୍ଲାରେ ଅଧିକ ସଂଖ୍ୟକ ରୋଗୀ ପ୍ରାଣ ହରାଇଥିବା ବେଳେ ଏହି ଦୁଇ ଜିଲ୍ଲାରୁ କୌଣସି ସୂଚନା ମିଳୁନାହିଁ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୦ ମସିହା ଅକ୍ଟୋବର ୧୦ ତାରିଖରେ କୋଭିଡ୍‌ ମୃତ୍ୟୁର ଅଡିଟ୍‌ ପାଇଁ ହୋଇଥିବା ନିର୍ଦେଶନାମା ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ଓ ମ୍ୟୁନିସିପାଲଟିରେ କିଭଳି ଚିକିତ୍ସା ଓ ମୃତ୍ୟୁର ଅଡିଟ୍‌ ହେବ ତାହା ସଂପର୍କରେ ଉଲ୍ଲେଖ ରହିଛି। ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ଓ ଡିଏମ୍‌ଇଟିଙ୍କୁ ନେଇ ଗଠିତ କମିଟି ଗଣମାଧ୍ୟମକୁ କୋଭିଡ ମୃତ୍ୟୁ ସଂପର୍କରେ ସୂଚନା ଦେଉଥିଲେ। ମାତ୍ର ରାଜ୍ୟସ୍ତରୀୟ କମିଟି ଗଠନ ସଂପର୍କିତ କୌଣସି ସୂଚନା ବିଭାଗ ପକ୍ଷରୁ ଦିଆଯାଇନାହିଁ। ତା’ହାଲେ ଗଣମାଧ୍ୟମରେ ଆଗରେ ଏହି ଅଧିକାରୀମାନେ କିଭଳି ସୂଚନା ଦେଉଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ଆବେଦନକାରୀ ପ୍ରଦୀପ ପ୍ରଧାନ କହିଛନ୍ତି, ଆରମ୍ଭରୁ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସ୍ବଚ୍ଛତା ରହିନାହିଁ। କୋଭିଡ ମୃତ୍ୟୁକୁ ନେଇ ବହୁ ବିବାଦ ଦେଖାଦେବା ପରେ ରାଜ୍ୟ ସରକାର ଅଡିଟ୍‌ ପାଇଁ କମିଟି ଗଠନ କରିଥିଲେ। ଯାହାଫଳରେ କୋଭିଡ ମୃତ୍ୟୁରେ ସ୍ବଚ୍ଛତା ରହିବ ବୋଲି ଆଶା କରାଯାଉଥିଲା। ମାତ୍ର ଏବେ ବି ପୂର୍ଣ୍ଣାଙ୍ଗ ତଥ୍ୟ ଦିଆଯାଉନାହିଁ। ରାଜ୍ୟ ସରକାରଙ୍କ ସହଯୋଗରେ ଅନେକ ଘରୋଇ ହସ୍ପିଟାଲ କୋଭିଡ୍‌ ଚିକିତ୍ସା କରିଥିଲେ। ଏସବୁ ହସ୍ପିଟାଲରେ ଯେଉଁ ମୃତ୍ୟୁ ହୋଇଛି ତାହାର ତଥ୍ୟ ମିଳୁନାହିଁ। ବିଶେଷକରି ଖୋର୍ଧା ଜିଲ୍ଲାରେ ସରକାରୀ ସହଭାଗିତାରେ ଯେଉଁ କୋଭିଡ୍‌ ହସ୍ପିଟାଲ ଚାଲିଥିଲା ଏଠାରେ ମୃତ୍ୟୁ ସଂପର୍କିତ ଚିଠି ଖୋର୍ଧା ସିଡିଏମ୍‌ଓ, ବିଏମ୍‌ସି, ସ୍ବାସ୍ଥ୍ୟ ବିଭାଗ ଓ ଜନସ୍ବାସ୍ଥ୍ୟ ନିର୍ଦେଶାଳୟଙ୍କ ପର୍ଯ୍ୟନ୍ତ ଘୁରି ବୁଲୁଛି। ଏଥିରୁ ରାଜ୍ୟ ସରକାରଙ୍କ ସ୍ବଚ୍ଛତା ବାରି ହୋଇପଡ଼ୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।