ସରକାରଙ୍କ ଅଡ଼ୁଆ ବଢ଼ା‌ଇଦେଲେ ସ୍ବାସ୍ଥ୍ୟମନ୍ତ୍ରୀ; କେନ୍ଦ୍ରକୁ ଟାଣିଲେ, ନିଜେ ବି ଫସିଲେ

ସ୍ପଷ୍ଟୀକରଣ ଦେଲେ ବାଗଚୀ, ତଥାପି ଦ୍ବନ୍ଦ୍ବ

ଭୁବନେଶ୍ବର : ବହୁଚର୍ଚିତ କୋଭିଡ୍ ସାମଗ୍ରୀ କିଣା ମାମଲା ଆଜି ନୂଆ ମୋଡ଼ ନେଇଛି। ଅଫିସରଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କୋଭିଡ ପାଇଁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସ୍ପଷ୍ଟୀକରଣ ପରେ ବି ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପ୍ରତିକ୍ରିୟା ନୂଆ ବିବାଦ ସୃଷ୍ଟି କଲାଣି। ୧୬ଟଙ୍କାରେ ମାସ୍କ କିଣା ବିବାଦରେ ସେ କେନ୍ଦ୍ରକୁ ଟାଣିଛନ୍ତି। ଫଳରେ କେନ୍ଦ୍ର ସରକାର ମଧ୍ୟ ବିବାଦ ଭିତରେ ଫସିଯାଇଛନ୍ତି।

ରାଜ୍ୟ ସରକାର ୧ ତାରିଖରେ ହେମନ୍ତ ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବରୁ ମୁକ୍ତି ଦେଇଥିଲେ। ପରେ ଶୁକ୍ରବାର ଆଉ ୯ ଅଧିକାରୀଙ୍କୁ କୋଭିଡ଼୍ କାମରୁ ଦୂରେଇ ଦେଇଛନ୍ତି। ରାଜ୍ୟରେ କରୋନା ସଙ୍ଗିନ୍ ସ୍ଥିତିରେ ଥିବା ବେଳେ କାହିଁକି ହଠାତ୍ ଶ୍ରୀ ଶର୍ମା ଓ ଅନ୍ୟମାନଙ୍କୁ ବିଦା କରାଗଲା, ତାହାକୁ ନେଇ ଚର୍ଚା ଜୋର ଧରିଛି। ଏଭଳିସ୍ଥିତିରେ ଆଜି (ଶନିବାର) ଅପରାହ୍ନରେ ରାଜ୍ୟ ସରକାରଙ୍କ କୋଭିଡ଼ ପାଇଁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଲେ ଯେ ଅଫିସର ଅଦଳବଦଳ ନିଷ୍ପତ୍ତିକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ଗୁଜବକୁ ବିଶ୍ୱାସ କରିବା ଅନାବଶ୍ୟକ। ଯେହେତୁ ରାଜ୍ୟ ସରକାର ମାର୍ଚ୍ଚ ମାସରେ କୋଭିଡ୍‌ ମୁକାବିଲାକୁ ସର୍ବପ୍ରଥମ ଓ ସର୍ବାଧିକ ପ୍ରାଥମିକତା ଦେଇଥିଲେ, ସେଥିପାଇଁ ଅନ୍ୟ ବିଭାଗରୁ ବରିଷ୍ଠ ପଦାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଆଣିବା ସହ କୋଭିଡ୍‌ ମୁକାବିଲାର ବିଭିନ୍ନ ଦାୟିତ୍ୱ ଦେଇଥିଲେ। ସଂପୃକ୍ତ ଅଧିକାରୀମାନେ ମଧ୍ୟ ବିଗତ ୩ ମାସ ଧରି କୋଭିଡ୍‌ ମୁକାବିଲାରେ ରାତିଦିନ ପରିଶ୍ରମ କରି କରି କ୍ଲାନ୍ତ ହୋଇ ପଡ଼ିଥିଲେ। ପୁଣି ସେମାନଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ମୂଳ ବିଭାଗ ଗତ ତିନିମାସ ହେଲା ଦୁର୍ବଳ ହୋଇ ପଡ଼ିଥିଲା। ସେଥିପାଇଁ ସେମାନଙ୍କୁ ବିଶ୍ରାମ ଦେବା ଲକ୍ଷ୍ୟରେ ସରକାର କୋଭିଡ୍‌ ଟିମ୍‌ରୁ ବାଦ ଦେଇ ସେମାନଙ୍କ ସ୍ଥାନରେ ନୂଆ ଯୋଦ୍ଧାଙ୍କୁ ଆଣିବାକୁ ଯୋଜନା କରିଛନ୍ତି। ଏହା କୋଭିଡ୍‌ ମୁକାବିଲା କ୍ଷେତ୍ରରେ କେବଳ ଏକ ରଣ କୌଶଳ ମାତ୍ର। ଏହା ପଛରେ ଅନ୍ୟ କୌଣସି ପ୍ରକାରର ନିହିତ ଉଦ୍ଦେଶ୍ୟ ନାହିଁ।

ହେଲେ ଏହାର କିଛି ମୁହୂର୍ତ ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ଆସିଥିଲେ ହେଁ ଅଫିସରଙ୍କ ଦାୟିତ୍ବ ଅପସାରଣ ପ୍ରସଙ୍ଗରେ ଉଁ କି ଚୁଁ କିଛି ବି କହିନଥିଲେ। ବରଂ ଝାରସୁଗୁଡାରୁ ସାରା ରାଜ୍ୟକୁ ସ୍ୱାସ୍ଥ୍ୟମନ୍ତ୍ରୀ ମାସ୍କ କିଣାରେ ଦୁର୍ନୀତି ହୋଇନଥିବା ନେଇ ଆଶ୍ୱସ୍ତିକର ବାଣୀ ଶୁଣାଇଥିଲେ। ଆଉ ଦି’ ପାଦ ଆଗକୁ ଯାଇ କହିଥିଲେ ଯେ ଲିଖିତ ଅଭିଯୋଗ ଆସିଲେ ସରକାର ଅବଶ୍ୟ ତଦନ୍ତ କରିବେ।

ହେଲେ ଶ୍ରୀ ଦାସଙ୍କ ସଫେଇ ସରକାରଙ୍କୁ ଏହି ପ୍ରସଙ୍ଗରେ ଅଧିକ ବିପଦ ଭିତରକୁ ଟାଣିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ୩ ଦିନ ଭିତରେ କେନ୍ଦ୍ର ସରକାର ହିଁ ମାସ୍କ ଦର ୬ ଟଙ୍କା ବଢାଇଦେଲେ। ୨୧ ମାର୍ଚ୍ଚରେ ମାସ୍କ ଦର ୧୦ ଟଙ୍କା କୁହାଯାଇଥିଲା ଓ ଏହାର ୩ ଦିନ ପରେ ଅର୍ଥାତ୍ ୨୪ ମାର୍ଚ୍ଚରେ ଦରକୁ ୧୬ ଟଙ୍କାକୁ ବଢାଇ କେନ୍ଦ୍ର ସରକାର ନୂଆ ବିଜ୍ଞପ୍ତି ଜାରି କଲେ। ହେଲେ କେଉଁ ପରିସ୍ଥିତିରେ ଏହି ୬ ଟଙ୍କା ବଢ଼ିଲା? ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ କିଛି ପ୍ରସ୍ତାବ ଦେଇଥିଲେ କି? ଯଦି ନା, ତେବେ କେନ୍ଦ୍ର ବିଜେପି ସରକାର କାହା ଚାପରେ ଆସି ମାସ୍କ ଦର ହଠାତ୍ ୬ ଟଙ୍କା ବୃଦ୍ଧି କଲେ? ଏହା ଉପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଯଦି ୧୦ ଟଙ୍କା ଦରରେ ମାସ୍କ ପାଉଥିଲେ, ତେବେ କେନ୍ଦ୍ର ୧୬ ଟଙ୍କା ଦର କଲା ବୋଲି କ’ଣ ସେହି ଦରରେ କିଣିବେ? ଅତୀତରେ ଡାଲି ଦୁର୍ନୀତିକୁ ଏହା ସ୍ମରଣ କରାଇ ଦେଇଛି।

New Indian Express

ଏଇଥିପାଇଁ ପ୍ରଶ୍ନ ଉଠୁଛି ଯେ ଏପ୍ରିଲ ୬ ତାରିଖରେ ଓଡ଼ିଶା ଔଷଧ ନିଗମ (ନୋଟିସ ନମ୍ବର ୪୧୯୩) ୧୦ ଟଙ୍କାରେ ମାସ୍କ କିଣିବା ପାଇଁ ନିଷ୍ପତ୍ତି ନେଇ ପ୍ରସ୍ତାବ ମାଗିଥିଲେ। ଏଥିରେ ମନ୍ତ୍ରୀଙ୍କ କହିବାନୁସାରେ ଟେଣ୍ଡର େହାଇନଥିଲା। ବରଂ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଯେଉଁମାନେ ମାସ୍କ ଦେବାକୁ ଆଗ୍ରହୀ, ସେମାନେ ଯୋଗାଣ କରନ୍ତୁ। ୭ ଦିନ ଭିତରେ ଦେଲେ ୫୦ ପ୍ରତିଶତ, ୧୫ ଦିନ ଭିତରେ ୨୫ ପ୍ରତିଶତ ଓ ୩୦ ଦିନ ଭିତରେ ଦେଲେ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିବ। ସେତେବେଳକୁ ତ କେନ୍ଦ୍ର ସରକାରଙ୍କ ନିର୍ଦେଶ ଆସିସାରିଥିଲା। ୧୬ ଟଙ୍କା ବଦଳରେ ୧୦ ଟଙ୍କାରେ ସରକାର କାହିଁକି ମାଗିଲେ?

କେବଳ ସେତିକି ନୁହେଁ, ରାଜ୍ୟ ସରକାର ୯ ଟଙ୍କା ୯୦ ପଇସା ଦରରେ ୫ ଲକ୍ଷ ମାସ୍କ କିଣିବାକୁ ଏପ୍ରିଲ ୧୫ ତାରିଖରେ ଅର୍ଡର ଦେଇଥିଲେ। ଅର୍ଥାତ୍ ସେତେବେଳେ ବି ୧୦ ଟଙ୍କା ଭିତରେ ମାସ୍କ କିଣିବା ପାଇଁ ସଂସ୍ଥା ରାଜି ଥିଲେ। ହଠାତ୍ କି ପରିସ୍ଥିତି ସୃଷ୍ଟି ହେଲା ଯେ ୨ ଦିନ ପରେ ଅର୍ଥାତ୍ ୧୭ ଏପ୍ରିଲରେ ୧୬ ଟଙ୍କା ଦରରେ ୩୦ ଲକ୍ଷ ମାସ୍କ କିଣିଲେ?

ଏବେ ପ୍ରଶ୍ନ ଉଠିଲାଣି, କେନ୍ଦ୍ର ସରକାର ଦର ବଢାଇବା ବାବଦରେ ରାଜ୍ୟ ସରକାର କେବେ ଅବଗତ ହେଲେ? ୨୪ ମାର୍ଚ୍ଚର ବିଜ୍ଞପ୍ତି ବାବଦରେ କଣ ୧୫ ଏପ୍ରିଲ ପରେ ରାଜ୍ୟ ଜାଣିଲେ?

କେବଳ ମାସ୍କ େକ୍ଷତ୍ରରେ ନୁହେଁ, ପିପିଇ ଆଦି ବିଭିନ୍ନ ସାମଗ୍ରୀ କିଣା କ୍ଷେତ୍ରରେ ସରକାର ଯଦି ଏବେ ଟେଣ୍ଡରକୁ ଯାଉଛନ୍ତି, ସେତେବେଳେ କାହିଁକି ଗଲେନି? କେତେ ମାସ୍କ ଆସିବ, କେତେ ପିପିଇ ଦରକାର, ଆଉ କେଉଁ ସାମଗ୍ରୀ କେତେ କିଣାଯିବ, ଏ ସଂକ୍ରାନ୍ତ ତାଲିକା କିଏ ପ୍ରସ୍ତୁତ କରିଥିଲେ?

ସେହିଭଳି ଗତ ୨୧ ତାରିଖରେ (ଚିଠି ନମ୍ବର ୮୭୩୫) ରାଜ୍ୟ ସରକାର ଯେଉଁ ନିର୍ଦେଶନାମା କରିଛନ୍ତି, ସେଥିରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ଅର୍ଥ ସଚିବଙ୍କ ଠାରୁ ଆରମ୍ଭକରି ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ଏହି ୯ ଜଣିଆ କମିଟିରେ ସଦସ୍ୟ ଥିଲେ। ସବୁ ଜରୁରୀ ସାମଗ୍ରୀ କିଣିବା କ୍ଷେତ୍ରରେ ଏମାନଙ୍କୁ ସରକାର ଦାୟିତ୍ବ ଦେଇଥିଲେ। ହେଲେ ଜୁନ୍ ୧ ତାରିଖରେ ଶ୍ରୀ ଶର୍ମାଙ୍କୁ ଦାୟିତ୍ବରୁ ଅବ୍ୟାହତି ନେଇ ଯେଉଁ ନିର୍ଦେଶନାମା ଜାରି କରାଯାଇଥିଲା ସେଥିରେ କୁହାଯାଇଛି ଯେ ତାଙ୍କର ମାର୍ଚ ୨୩ ତାରିଖ ନିଯୁକ୍ତି ଆଦେଶକୁ ବାତିଲ କରାଯାଇଛି। ଅର୍ଥାତ୍ ଶ୍ରୀ ଶର୍ମା ଏବେ ବି ଏହି ଜରୁରୀ କିଣା କମିଟିରୁ ହଟିନାହାନ୍ତି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୩ ତାରିଖରେ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ। ଏଥିରେ ଅର୍ଥ, ରାଜସ୍ବ, ପଞ୍ଚାୟତିରାଜ ଓ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ପ୍ରମୁଖ ସଚିବ ଥିଲେ। ଏମାନେ ବି କିଣା ଆଦିର ତଦାରଖ କରିବା କଥା କୁହାଯାଇଥିଲା। ହେଲେ ଏତେକଥା ଚର୍ଚ୍ଚାକୁ ଆସୁଥିବା ବେଳେ ମନ୍ତ୍ରୀସ୍ତରୀୟ କମିଟି ଚୁପ୍ କାହିଁକି? ସେମାନଙ୍କ ନଜରକୁ ଯଦି ଏସବୁ ଆସିଥିଲା, ତା ଉପରେ କି ପଦକ୍ଷେପ ନେଇଥିଲେ?

କରୋନା ସାମଗ୍ରୀ କିଣାରେ ଦୁର୍ନୀତି ହୋଇନାହିଁ: ନବ
ଝାରସୁଗୁଡ଼ା :  ରାଜ୍ୟରେ କରୋନା ମୁକାବିଲା ଲାଗି ଉଦ୍ଦିଷ୍ଟ ସାମଗ୍ରୀ ମାସ୍କ, ପିପିଇ କିଟ୍ କିମ୍ବା ସାନିଟାଇଜର୍‌ ଇତ୍ୟାଦି କିଣାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଶନିବାର ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ। ମାସ୍କ କିଣାରେ ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆସିଛି ତାର ତଦନ୍ତ ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ମାସ୍କ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି,  କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ମାସ୍କ କିଣିଛନ୍ତି। ପ୍ରଥମେ କେନ୍ଦ୍ର ସରକାର ୧୦ଟଙ୍କା ଦେଇ ମ‌ାସ୍କ କିଣାଯାଇପାରିବ ବୋଲି ଚିଠି କରିଥିଲେ। ଏହାପରେ ୧୬ଟଙ୍କା ଦେଇ କିଣି ହେବ ବୋଲି ଚିଠି ଲେଖିଲେ। ସେହି ଅନୁସାରେ ରାଜ୍ୟ ସରକାର ମାସ୍କ କିଣିଛନ୍ତି। କ୍ରୟ ପ୍ରକ୍ରିୟା ସଂପୂର୍ଣ୍ଣ ସ୍ବଚ୍ଛ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ସମୟରେ ଏଭଳି ମିଥ୍ୟା ଅଭିଯୋଗ ଆଣି କରୋନା ଯୋଦ୍ଧାଙ୍କର ମନୋବଳକୁ ଭାଙ୍ଗିବା ଉଚିତ ନୁହେଁ। ମାସ୍କ କିଣିବାରେ କୌଣସି ଦୁର୍ନୀତି ହୋଇନାହିଁ। କେନ୍ଦ୍ର ସରକାର ଆରମ୍ଭରୁ ୧୦ ଟଙ୍କାରେ ମାସ୍କ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ଏହାକୁ ୧୬ ଟଙ୍କାରେ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି, ମାର୍ଚ୍ଚ ୨୪ରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣାଯାଇଛି। ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆଇସିଏମ୍ଆର୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ କାମ କରିଛନ୍ତି। କୋଭିଡ୍‌ ମୁକାବିଲା ନେଇ  ରାଜ୍ୟର ଡାକ୍ତର, ମେଡିକାଲ ଷ୍ଟାଫ, ସରକାରୀ ଅଫିସର ଯେଭଳି ନିଷ୍ଠା ଦେଖାଇଛନ୍ତି ସେଥିପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର