କରୋନା ମହାମାରୀରେ ମହାଦୁର୍ନୀତି : ଲୋକାୟୁକ୍ତଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ବର : ବହୁଚର୍ଚ୍ଚିତ କୋଭିଡ୍ ସାମଗ୍ରୀ କିଣା ମହାଦୁର୍ନୀତି ଆଜି ନାଟକୀୟ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ େନଇ ଆଜି କଂଗ୍ରେସ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଛି। ଦଳ ବରିଷ୍ଠ ନେତାମାନେ ସରକାରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂଗ କିଟ, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ପୂର୍ବାହ୍ନ ୧୧ଟା ସମୟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଶିଷ୍ଟ ଆଇନଜୀବୀ ଧରଣୀଧର ନାୟକ, ମନୋରଞ୍ଜନ ଦାସ ପ୍ରମୁଖଙ୍କ ଗହଣରେ ଯାଇ ଶ୍ରୀ ଦାସ ଲୋକାୟୁକ୍ତଙ୍କୁ ଭେଟି ପିଟିସନ ପ୍ରଦାନ କରିଥିଲେ। ଲୋକାୟୁକ୍ତ ଅଧ୍ୟକ୍ଷ ପିଟିସନକୁ ଗ୍ରହଣ କରି ଆଇନ ଅନୁସାରେ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ନେତାମାନେ କହିଥିଲେ।

କୋଭିଡ଼୍ ସାମଗ୍ରୀ କିଣାରେ ହୋଇଥିବା କେଳେଙ୍କାରୀକୁ ନେଇ ଗତ ମେ’ ମାସରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପରବର୍ତୀ ସମୟରେ ଦୁଇ ଡଜନରୁ ଅଧିକ କୋଭି଼ଡ୍ ସାମଗ୍ରୀ ଧରି ଆସିଥିବା ଟ୍ରକ୍ ଭୁବନେଶ୍ବରରେ ଅଟକିରହିବା ପରେ ଏହି ପ୍ରସଙ୍ଗ ଅଧିକ ବିବଦମାନ ସ୍ଥିତିକୁ ଚାଲିଯାଇଥିଲା। ଠିକ୍ ଏମିତି ସମୟରେ କୋଭି଼ଡ୍ ସାମଗ୍ରୀ କିଣା କମିଟିରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଜୁନ୍ ୧ରେ ଦାୟିତ୍ବ ମୁକ୍ତ କରିବା ଓ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ପରେ ସମସ୍ତ ଅଫିସରଙ୍କୁ ଏଥିରୁ ଦୂରେଇ ଦେବା ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲେ ଓ ବିରୋଧୀକୁ କଡ଼ା ପ୍ରତିଜବାବ ଦେଇଥିଲା ବିଜେଡି।

ସମ୍ବନ୍ଧିତ ଖବର