କୋଭିଡ୍‌ ପରିଚାଳନା ଏମିତି: ପଜିଟିଭ୍-ନେଗେଟିଭ୍ ଖେଳରେ ଫସୁଛନ୍ତି ଲୋକ

ଡ୍ରାଇଭ୍‌-ଇନ୍‌ରେ କେତେ ଟିକା ନଷ୍ଟ ହୋଇଛି, ହିସାବ ନାହିଁ
ଲୋକଙ୍କୁ ‘ଅମାନିଆ’ ସଜାଇ ପୁଲିସ୍‌କୁ ଅଖଣ୍ଡ କ୍ଷମତା

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ): ସରକାରୀ ହସ୍ପିଟାଲ୍‌ରେ କୋଭିଡ୍‌ ଟେଷ୍ଟ କଲେ ପଜିଟିଭ୍। ‌ସେହିଦିନ ଘରୋଇ ହସ୍ପିଟାଲ୍‌ରେ ଟେଷ୍ଟ କଲେ ‌ନେଗେଟିଭ୍। ଗୋଟିଏ ଦୁଇଟି ଘଟଣା ନୁହେଁ। ରାଉରକେଲା ଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ଏମିତି ଅଭିଯୋଗ ତାଲିକା ଲମ୍ବି ଚାଲିଛି। ତ୍ରୁଟିପୂର୍ଣ୍ଣ ଟେଷ୍ଟର ଶିକାର ହୋଇଥିବା ବ୍ୟକ୍ତି କେତେ ଯେ ମାନସିକ ସ୍ତରରେ ଦୁର୍ବଳ ହେଉଛି, ତାହା ଦାୟିତ୍ବରେ ଥିବା ଅଧିକାରୀମାନେ ବୁଝିବାକୁ ଅସମର୍ଥ। କାହାର ରିପୋର୍ଟ ଠିକ୍? ସରକାରଙ୍କର ନା ଘରୋଇ ହସ୍ପିଟାଲ୍‌ର? ଏହାର ଉତ୍ତର ଦେବ କିଏ? ଯାହାର ରିପୋର୍ଟ ଭୁଲ୍‌, ସେଠି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?

Berlin.de

ଗତ ମେ’ ମାସ ୮ ତାରିଖରେ ଭୁବନେଶ୍ବରରେ ବିଏମ୍‌ସି ଆରମ୍ଭ କଲା ଡ୍ରାଇଭ୍‌-ଇନ୍ ଟିକାକରଣ। ହଜାର ହଜାର ଲୋକ କାର୍‌ରେ ବସି ଟିକା ନେଲେ। କିନ୍ତୁ ୧୨ ଦିନ ପରେ ସ୍ବାସ୍ଥ୍ୟ ବିଭାଗର ମନେ ପଡ଼ିଲା ଯେ ଏହା କୁଆଡ଼େ ଭୁଲ୍‌ ବାଟ ଥିଲା ଓ ଏଥିରେ ଟିକା ନଷ୍ଟ ହେଉଛି। ସ୍ବାସ୍ଥ୍ୟ ବିଭାଗ ନାକ ତଳେ ଏହା ଘଟୁଥିଲେ ବି ସେମାନଙ୍କ ପାଖରେ ଖବର ପହଞ୍ଚିବାକୁ ୧୨ ଦିନ ଲାଗିଗଲା। ଯଦିଓ ଗଣମାଧ୍ୟମରେ ନିଇତି ଏହା ଖବରର ଶିରୋନାମା ପାଲଟୁଥିଲା।

ମେ’ ତୃତୀୟ ସପ୍ତାହରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଖୋଲାଖୋଲି ଘୋଷଣା କଲା, ଡୋର୍‌-ଟୁ-ଡୋର୍‌ ଟିକାକରଣ ହେବ। ଶଯ୍ୟାଶାୟୀ, ଦିବ୍ୟାଙ୍ଗ ଲୋକ ଉପକୃତ ହେବେ। ବ୍ରହ୍ମପୁରରେ ଘରେ ଟିକାକରଣ ଆରମ୍ଭ ବି ହେଲା। କିନ୍ତୁ ୫ ଦିନ ପରେ ସ୍ବାସ୍ଥ୍ୟ ବିଭାଗ ଜାଣିଲା ଯେ ଏହା ବି ଠିକ୍ ବାଟ ନୁହେଁ। ତାହା ପରେ ରୋକ୍ ଲାଗିଲା। ପ୍ରଶାସନ ଘୋଷଣା କରିବା ଦିନ ବିଭାଗ ଖବର ପାଇପାରିଲା ନାହିଁ କି ରୋକ୍ ଲଗାଇଲା ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ୨୦ ଦିନ ପରେ ଅର୍ଥାତ ଆଜି ଭୁବନେଶ୍ବରରେ ଶଯ୍ୟାଶାୟୀ ଲୋକମାନଙ୍କୁ ଘରେ ଟିକା ଦିଆଯିବା ପାଇଁ ବିଏମ୍‌ସି ପକ୍ଷରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଗଞ୍ଜାମ ପାଇଁ ଯେଉଁ କାମ ଭୁଲ୍‌ ଥିଲା ‌ଭୁବନେଶ୍ବର ପାଇଁ ୧୫ ଦିନ ପରେ କିପରି ଠିକ୍ ହୋଇଗଲା?

Thai PBS World

ଲକ୍‌ଡାଉନ୍ ସମୟରେ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟକଳାପ ଏବେ ଆଉ ଏକ ସଙ୍ଗୀନ ସମସ୍ୟା ଭାବେ ଉଭା ହୋଇଛି। ଲୋକ ‘ଅମାନିଆ’ ହେଉଥିବାରୁ ମହାମାରୀ ବ୍ୟାପୁଛି ବୋଲି ଦାୟିତ୍ବରେ ଥିବା ଅଧିକାରୀମାନେ ଏକପାଖିଆ ଭାବେ ମନ୍ତବ୍ୟ ଦେଇ ଚାଲିଛନ୍ତି। ଆଉ ଏହାର ସୁଯୋଗ ନେଉଛନ୍ତି କିଛି ପୁଲିସ୍‌ କର୍ମଚାରୀ। ‘ଅମାନିଆ’ ଶବ୍ଦଟି ସେମାନଙ୍କୁ ବେଶ୍‌ ସୁହାଉଛି। ଯାହାକୁ ପାରୁଛନ୍ତି ତାହାକୁ ‘ଅମାନିଆ’ ସଜାଇ ଜୁଲମ ଚାଲିଛି। କିଛି ଜାଗାରେ ପୁଲିସ୍‌ ଏମିତି ଲୋକଙ୍କୁ ବ୍ୟବହାର କରୁଛି ଯେ ଯେମିତି ସମସ୍ତେ ଅପରାଧୀ। ଲୋକଙ୍କ ବ୍ୟକ୍ତିଗତ ମାନ ସମ୍ମାନ ପ୍ରତି ପୁଲିସ୍‌ ଯେମିତି ଆଖି ବୁଜି ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନିଇତି ଛୋଟ ବଡ଼ ଘଟଣା ଏମିତି ଘଟିଚାଲିଛି। କରୋନା ଲକ୍‌ଡାଉନ୍ ଲୋକଙ୍କୁ ଜୀବନ, ଜୀବିକା ଉପରେ ଶକ୍ତ ପ୍ରହାର ମାରିଥିଲା ବେଳେ ପୁଲିସ୍‌ ଓ ପ୍ରଶାସନର ଆଚରଣ ଦିନକୁ ଦିନ ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ୁଛି। ଯେମିତି ସମ୍ବେଦନଶୀଳତା ସବୁ ଆଡ଼ୁ ଲୋପ ପାଇଗଲାଣି।

କୋଭିଡ୍‌ ମହାମାରୀ ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ଲୋକଙ୍କୁ ଏୟା କର, ସେୟା କର ବୋଲି ନିଇତି ଗୁଡ଼ାଏ ଉପଦେଶ ଶୁଣିବାକୁ ମିଳୁଛି। ସେହି ଉପଦେଶ ମଧ୍ୟରେ ବି ତାଳମେଳ ରହୁନି। ପୁଣି କୋଭିଡ୍‌ ପରିଚାଳନା କରୁଥିବା ପ୍ରଶାସନ ଭିତରେ ଏପରି ସମନ୍ବୟର ଅଭାବ ଓ ବାସ୍ତବ ସମସ୍ୟା ପ୍ରତି ଆଖି ବୁଜିଦେବା ‌ଯୋଗୁ କୋଭିଡ୍‌ ପରିଚାଳନା ବ୍ୟବସ୍ଥାଟି ସନ୍ଦେହ ଘେରକୁ ଚାଲିଯାଉଛି। ପ୍ରଶାସନର ଏପରି ମନମାନି ଓ ଉତ୍ତରଦାୟିତ୍ବ ନ ରହିବା ଲୋକଙ୍କର ପୂରା ବ୍ୟବସ୍ଥା ଉପରୁ ଆସ୍ଥା ତୁଟାଇ ଦେଉଛି।

ଲକ୍‌ଡାଉନ୍‌ କଟକଣାରେ ତ ଆହୁରି ବିଚିତ୍ର ସ୍ଥିତି। ଲକ୍‌ଡାଉନ୍ ଆରମ୍ଭରେ ସରକାର ଘୋଷଣା କରିଥିଲେ ଯେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରଖିବା ପାଇଁ ପଦକ୍ଷେପ ନିଆଯାଉଛି। ଗ୍ୟାରେଜ୍, ଗାଡ଼ି ପାର୍ଟସ୍‌ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସକାଳୁ ଗାଡ଼ି ନେଇ ବାହାରିବାକୁ ମନା। ଗାଡ଼ି ନେଇ ବାହାରିଲେ ପୁଲିସ୍‌ ନାଲି ଆଖି ଦେଖାଉଛି, ମାର୍‌ପିଟ୍‌ କରୁଛି। କାରଣ ଦେଖାଇଲେ ବି ବହୁ ସ୍ଥାନରେ ପୁଲିସ୍‌ ମାନିବାକୁ ନାରାଜ। ଆଉ ଏକ ଅଦ୍ଭୂତ କଟକଣା ଲୋକଙ୍କୁ ନାକେଦମ୍ କରୁଛି ଓ ପୁଲିସ୍‌କୁ ବର୍ବର ହେବାକୁ ବେଶ୍‌ ଉତ୍ସାହିତ କରୁଛି। ସରକାର ନିୟମ କରିଛନ୍ତି ଯେ ଚାଲି ଚାଲି ଘର ପାଖରେ ୫୦୦ ମିଟର ଭିତରେ ଯାହା କିଣାକିଣି କରିବେ। ଏଠି ପ୍ରଶ୍ନ ଉଠୁଛି, ସବୁଆଡ଼େ ଘର ପାଖର ୫୦୦ ମିଟର ଭିତରେ ସବୁ ଜିନିଷ ଉପଲବ୍ଧ ହେଉଛି କି? ବିଶେଷ କରି ସବୁ ଗଳିକନ୍ଦିରେ ଆମିଷ ଦୋକାନ ରହିଛି କି? ଆଉ ଯଦି ଗାଡ଼ି ବାହାର କରି କିଛି ବାଟ ଦୂରକୁ ଯାଇ କିଣାକିଣି କଲେ ପୁଲିସ୍‌ ମାଡ଼ି ବସୁଛି। ଆହୁରି ମଧ୍ୟ ଦୋକାନ ଖୋଲିବାର ସମୟ ମାତ୍ର ୪ ଘଣ୍ଟା ରଖାଯାଇଛି। କମ୍ ସମୟ ମିଳୁଥିବାରୁ ଲୋକମାନେ ବାଧ୍ୟ ହୋଇ ଦୋକାନରେ ଏକା ସମୟରେ ଗହଳି କରୁଛନ୍ତି। ତିନିଟି ପର୍ଯ୍ୟାୟରେ ଲକ୍‌ଡାଉନ୍ ହୋଇଥିଲେ ମଧ୍ୟ ଏହି ବାସ୍ତବ ସ୍ଥିତି ସମ୍ପର୍କରେ ନିୟମ କରୁଥିବା ଅଧିକାରୀମାନେ ଜାଣି ନ ପାରିବା ହିଁ ବ୍ୟବସ୍ଥାର ଏକ ବିରାଟ ତ୍ରୁଟି।

କୋଭିଡ୍‌ ପରିଚାଳନା ପାଇଁ ସାରା ରାଜ୍ୟ ଉପରେ ସ୍ବାସ୍ଥ୍ୟ ବିଭାଗର ନଜର ନ ରହିବା ଆଶ୍ଚର୍ଯ୍ୟଜନକ ବିଷୟ। ଡ୍ରାଇଭ୍‌-ଇନ୍ ଓ ଡୋର୍‌-ଟୁ-ଡୋର୍‌ ଟିକାକରଣ ଯଦି ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି, ତେବେ ପ୍ରଶ୍ନ ଉଠୁଛି, ଏହା କରିବାକୁ ସ୍ଥାନୀୟ ପ୍ରଶାସନକୁ ଅନୁମତି ଦେଲା କିଏ? ବିନା ଅନୁମତିରେ ପ୍ରଶାସନ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇପାରିବ କି? ଘୋଷଣା ହେଲା ଦିନ ସ୍ବାସ୍ଥ୍ୟ ବିଭାଗ ଶୋଇଥିଲା କାହିଁକି? ଏହି ପ୍ରକ୍ରିୟାରେ ଅଧିକ ଟିକା ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଯୁକ୍ତି ବାଢ଼ିଛି। ଯେତିକି ଦିନ ଡ୍ରାଇଭ୍‌-ଇନ୍ ଟିକାକରଣ ହୋଇଛି, ସେଥିରେ କେତେ ଟିକା ନଷ୍ଟ ହୋଇଛି, ତାହାର ହିସାବ କରାଯାଇଛି କି? ସାରା ରାଜ୍ୟରେ ଶଯ୍ୟାଶାୟୀ ଲୋକଙ୍କୁ ଟିକା କିପରି ଦିଆଯିବ, ତାହାର ମାର୍ଗଦର୍ଶିକା ସ୍ବାସ୍ଥ୍ୟ ବିଭାଗ ବି ଜାରି କରୁ ନାହିଁ। ସେହିପରି କୋଭିଡ୍‌ ଟେଷ୍ଟ ରିପୋର୍ଟ କାହିଁକି ବାରମ୍ବାର ତ୍ରୁଟିପୂର୍ଣ୍ଣ ହେଉଛି, ସେଥି ପାଇଁ ବିଶେଷଜ୍ଞଙ୍କୁ ନେଇ ସ୍ବାସ୍ଥ୍ୟ ବିଭାଗ ଠୋସ୍ କାରଣ ନ ଖୋଜିବା ଆହୁରି ଚିନ୍ତାଜନକ। କେବଳ ଲୋକଙ୍କୁ ‘ଅମାନିଆ’ ଆଖ୍ୟା ନ ଦେଇ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଜାଡ଼ିବା ପାଇଁ ଉଦ୍ୟମ କରାଯିବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର