କୋଭିଡ୍ ସାମଗ୍ରୀ କିଣା ମାମଲା: ମନ୍ତ୍ରୀ, ଅଫିସରଙ୍କ ଅଡ଼ୁଆ ବଢ଼ିଲା

ଭିଜିଲାନ୍ସ ବି ଲୋକାୟୁକ୍ତଙ୍କ ନଜରରେ ରହିବ, ହେମନ୍ତଙ୍କୁ କ୍ରୟ କମିଟି କଢ଼ାଯିବା ବିଜ୍ଞପ୍ତି କାହିଁକି ଦେଲେନି ସରକାର?

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାସ୍କ ଓ କୋଭିଡ୍ ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତ ଦେଇଥିବା ରାୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ରାୟକୁ ନିରେଖି ଦେଖିଲେ, ଧରାପଡ଼ିଯାଉଛି ଯେ କୋଭିଡ୍ ସାମଗ୍ରୀ କିଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉତ୍ତର ଲୋକାୟୁକ୍ତଙ୍କୁ ଆଦୌ ସନ୍ତୁଷ୍ଟ କରିପାରିନାହିଁ। ଲୋକାୟୁକ୍ତଙ୍କର ନିଜସ୍ବ ତଦନ୍ତ ସଂସ୍ଥା ନାହିଁ ଓ ସେ ଭିଜିଲାନ୍ସକୁ ତଦନ୍ତ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ଆଇନରେ ସ୍ପଷ୍ଟ ଭାବେ କୁହାଯାଇଛି। ଏଣୁ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ଧାରା ୨୦(୧)ବଳରେ ଲୋକାୟୁକ୍ତ ଏହି ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି। ଅର୍ଥାତ୍ ଭିଜିଲାନ୍ସ ତଦନ୍ତରେ କଣ ନିଷ୍କର୍ଷ ବାହାରିଲା, ତାହା ତଦନ୍ତକାରୀ ଅଧିକାରୀ ଲୋକାୟୁକ୍ତଙ୍କୁ ହିଁ ଜଣାଇବେ। ଏ କ୍ଷେତ୍ରରେ ଭିଜିଲାନ୍ସ ମଧ୍ୟ ଲୋକାୟୁକ୍ତଙ୍କ ନଜରରେ ରହିବେ। ଅର୍ଥାତ୍ ଯଦି ତଦନ୍ତ ଅଧିକାରୀ ନିରପେକ୍ଷତା ଅବଲମ୍ବନ ନ କରନ୍ତି, ତେବେ ତାହା ବିପଦ ସାବ୍ୟସ୍ତ ହୋଇପାରେ।

କେବଳ ସେତିକି ନୁହେଁ, ଲୋକାୟୁକ୍ତଙ୍କ ନିର୍ଦେଶ ପରେ ତତ୍କାଳୀନ କ୍ରୟ କମିଟିର ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଏମ୍‌ଡି ଯାମିନୀ ଷଡ଼ଙ୍ଗୀ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହେବେ। ଏହାବ୍ୟତୀତ ଜରୁରୀ କ୍ରୟ କମିଟି ଓ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଭିଜିଲାନ୍ସ ତଦନ୍ତ ପରିସରକୁ ଆସିବା ସମ୍ଭାବନା ବଢ଼ିଯାଇଛି। କାରଣ ଏହି ମାମଲାରେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କର ଦୋଷ ଝାଡ଼ି ଦେଇଛନ୍ତି। ସେ ଦାୟିତ୍ବ ନେବା ପୂର୍ବରୁ କିଣା ସରିଥିବା ଦର୍ଶାଇଛନ୍ତି। ତେବେ ଶ୍ରୀ ଶର୍ମା ଲୋକାୟୁକ୍ତଙ୍କୁ ଜଣାଇଛନ୍ତି ଯେ କୋଭିଡ୍ ସାମଗ୍ରୀ କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଧାରିତ ଦରରେ କିଣାଯାଇଛି। ଏହାକୁ ଜରୁରିକାଳୀନ କ୍ରୟ କମିଟି ଏବଂ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟି ଅନୁମୋଦନ କରିଛନ୍ତି। (ଏହି କମିଟିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସଦସ୍ୟ ଥିଲେ।) ସେହିଭଳି ରାଜ୍ୟ ଔଷଧ ନିଗମ ଏମ୍‌ଡି ଯାମିନୀ ଷଡ଼ଙ୍ଗୀ ଏହା ଦୋହରାଇବା ସହିତ ଏହିକଥା ବି ଜଣାଇଛନ୍ତି ଯେ ଏହି କିଣା ଉପରେ କ୍ୟାବିନେଟ୍ ମୋହର ବି ଲାଗିଛି। ଫଳରେ ଘଟଣା ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ହାସଲ ଲାଗି ଭିଜିଲାନ୍ସ ଏମାନଙ୍କ ମଧ୍ୟରୁ କାହାକୁ ବି ତଦନ୍ତ ପରିସରଭୁକ୍ତ କରିବା ଅସମ୍ଭବ ନୁହେଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏହି ଘଟଣାରେ ଭିଜିଲାନ୍ସର ଅଖଣ୍ଡ କ୍ଷମତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ତଳକୁ ଭିଜିଲାନ୍ସ କାହାକୁ ବି ଏହି ମାମଲାରେ ଡାକି ପଚରାଉଚରା କରିବା ବା ପ୍ରମାଣ ହାସଲ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯେଉଁ ତଥ୍ୟ ତାଙ୍କୁ ମିଳିନାହିଁ, ସେ ତଥ୍ୟ ମଧ୍ୟ ଏବେ ଭିଜିଲାନ୍ସକୁ ହାସଲ କରିବାକୁ ହେବ।

ଉଲ୍ଲେଖଥାଉକି, କେଉଁ ପରିସ୍ଥିତିରେ ଜରୁରିକାଳୀନ କ୍ରୟ କମିଟି ଗଠନ କରାଯାଇଥିଲା, ପୁଣି ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ କ୍ରୟ କମିଟି ତଦାରଖ ଦାୟିତ୍ବରୁ ହଠାତ୍ କାହିଁକି ଅବ୍ୟାହତି ଦିଆଗଲା, ସେ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ସଫେଇ ଦେଇଥିଲେ ହେଁ ଆବଶ୍ୟକ ରେକର୍ଡ ଦାଖଲ କରିନଥିବା ଘଟଣାକୁ ଲୋକାୟୁକ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ଆଗକୁ ଏହା ସରକାରଙ୍କ ଅଡ଼ୁଆ ବଢାଇବା ସମ୍ଭାବନାକୁ ଏଡ଼ାଇ ଦେଇହେଉନାହିଁ। ଲୋକାୟୁକ୍ତ ଏ ସଂପର୍କରେ ଜାଣିବା ଲାଗି ଆଗ୍ରହ ଦେଖାଇଥିଲେ। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଜଣାଇବା ଲାଗି କହିଥିଲେ। ମାତ୍ର ଏହା ସାଧାରଣ ପ୍ରଶାସନ ବିଭାଗ ଅନ୍ତର୍ଗତ ବୋଲି ଶ୍ରୀ ମହାପାତ୍ର ଜଣାଇବା ପରେ ଏ ସଂକ୍ରାନ୍ତରେ ଲୋକାୟୁକ୍ତ ତଥ୍ୟ ରଖିବାକୁ ମୁଖ୍ୟସଚିବଙ୍କୁ କହିଥିଲେ। କିନ୍ତୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଜଣାଇଥିଲେ ଯେ କୋଭିଡ୍-୧୯ ସଂକ୍ରମଣ କମିଯାଇଥିବା ପରିପ୍ରେକ୍ଷୀରେ ଶ୍ରୀ ଶର୍ମାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଥିଲା। ହେଲେ ଏ ସଂକ୍ରାନ୍ତ ସରକାରଙ୍କ ନିର୍ଦେଶନାମା ଲୋକାୟୁକ୍ତଙ୍କୁ ସାଧାରଣ ପ୍ରଶାସନ ବିଭାଗ ଦେଇନାହାନ୍ତି।

ମାସ୍କ ଓ ଅନ୍ୟ କୋଭିଡ୍‌ ସାମଗ୍ରୀ କିଣା କେଳେଙ୍କାରୀ ଘଟଣାରେ ଲୋକାୟୁକ୍ତ ଭିଜିଲାନ୍‌ସ ତଦନ୍ତ ନିର୍ଦେଶ ଦେଇଛନ୍ତି। ଭିଜିଲାନ୍‌ସର ଏସ୍‌ପି/ଅତିରିକ୍ତ ଏସ୍‌ପି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହାର ତଦନ୍ତ କରି‌‌ବେ। ଆସନ୍ତା ଫେବ୍ରୁଆରି ୧୫ତାରିଖ ସୁଦ୍ଧା ମାମଲାର ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି। ଲୋକାୟୁକ୍ତଙ୍କ ଦୁଇଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହ ଓ ଜଷ୍ଟିସ୍ ବି.କେ ନାୟକ ମାମଲାର ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର