ଭଗବାନଙ୍କ ଭରସାରେ ପୁରୀ ରେଡକ୍ରସ୍‌ ରୋଡ୍‌ରେ ଥିବା ଆଇଡିଏଚ୍ କୋଭିଡ ମେଡିକାଲ

କରୋନା ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସ‌ା, ଇନଚାର୍ଜଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋ‌ଷ

ପୁରୀ : ପୁରୀ ରେଡକ୍ରସ୍‌ ରୋଡ୍‌ରେ ଥିବା ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର ବା ବର୍ତ୍ତମାନର କୋଭିଡ ମେଡିକାଲକୁ ଭଗବନା ଭରସା। ଏହି ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିବା କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସ‌ା ମିଳୁନଥିବା ନେଇ ବ‌ାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ମେଡିକାଲର ପରିଚାଳନାଗତ ବିଭ୍ରାଟ ‌ଓ ମେଡିକାଲ ଦାୟିତ୍ବରେ ଥିବା ଇନଚାର୍ଜ ଉତ୍ପଳ ନନ୍ଦିଙ୍କ ଦାୟିତ୍ବହୀନତା ଯୋଗୁଁ ଏଠାରେ ଗୁରୁତର ସମସ୍ୟା ଉପୁଜିଛି। ଏଠାରେ କରୋନା ରୋଗୀଙ୍କୁ କିଭଳି ଚିକିତ୍ସ‌ା ମିଳୁଛି ତା’ର ଗୋଟିଏ ପରେ ଗୋଟିଏ ଚିତ୍ର ସା‌ମ୍ନାକୁ ଆସୁଛି। ଗୁରୁତର ରୋଗୀଙ୍କୁ ଆଇସିୟୁ ଭିତରେ ବିନା ଆଟେଣ୍ଡାଣ୍ଟ ଓ ଡାକ୍ତରରେ ଛାଡି ଦିଆଯାଉଛି। ରାତି ତମାମ ଆଇସିୟୁରେ ରୋଗୀ କେବଳ ଭଗବାନଙ୍କୁ ଭରସା କରି ବଞ୍ଚୁଛି। କିଛି ରୋଗୀ ବିନା‌ ଚିକିତ୍ସାରେ ଆଖି ବୁଜିଛନ୍ତି। ଦୁଇ ତିନି ଦିନ ଧରି ବେଡ୍‌ରେ ପଡ଼ିରହୁଥିଲେ ବି ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଉ ନାହିଁ। ଅନ୍ୟ ରୋଗରେ ପୀଡିତ ରୋଗୀଙ୍କୁ ଆଦୌ ଚିକିତ୍ସା କରାଯାଉନାହିଁ। ଏପରିକି ମେଡିକାଲ ଇନଚାର୍ଜ ଉତ୍ପଳ ନନ୍ଦିକୁ ନେଇ ପ୍ରବଳ ଅସନ୍ତୋ‌ଷ ଦେଖାଦେଇଛି।

ଶ୍ରୀନନ୍ଦି ମେଡିକାଲକୁ କମ୍‌ ଆସନ୍ତି। କୋଭିଡ୍‌ ମେଡିକାଲ‌ରେ କାମ କରି ବି ସେ ପୁରୀ ବାହାରେ ଘରୋଇ ଚିକିତ୍ସା କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ପୁରୀରେ କରୋନା ଏବେ ହୁ ହୁ ହୋଇ ବଢ଼ୁଥିବା ବେଳେ ଶ୍ରୀ ନନ୍ଦି ଶଯ୍ୟା ଖାଲି ନାହିଁ ବୋଲି କହି ରୋଗୀଙ୍କୁ ଆଡ୍‌ମିସନ ସୁଯୋଗ ଦେଉନଥିବା ଅଭିଯୋଗ ‌ହୋଇଛି। ନାନା ଅବ୍ୟବସ୍ଥା ଭିତରେ ଛନ୍ଦି ହୋଇଥିବା ଏହି ମେଡିକାଲରେ ଚିକିତ୍ସାଧୀନ ଥିବା ଫଟୋ ସାମ୍ବାଦିକ ସନ୍ତୋଷ ବରାଳଙ୍କୁ କୌଣସି ଚିକିତ୍ସା ସୁବିଧା ଦିଆଯାଉନାହିଁ। ସେ ଗୁରୁତର ଅସୁସ୍ଥ ଅଛନ୍ତି। ସନ୍ତୋଷ ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଗତକାଲି ଶ୍ରୀ ବରାଳ ନିଜେ ପାଣି ଗରମ କରୁଥିବା ବେଳେ ଗୋଡ଼ରେ ଗରମ ପାଣି ଢାଳି ହୋଇଯାଇଥିଲା। ଗରମ ପାଣି ଢାଳି ହେବାରୁ ସେ ଗୁରୁତର ହୋଇପଡ଼ିଥି‌ଲେ। ଗୋଡ଼ରେ ଫୋଟକା ହେବା ସହିତ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତେବେ ସେ ଡାକ୍ତର ଓ କର୍ମଚାରୀଙ୍କୁ ନେହୁରା ହୋଇଥିଲେ ହେଁ ଦୁଇ ଦିନ ଧରି ତାଙ୍କ କଥାକୁ କେହି ଶୁଣିନଥିଲେ। ଏ କଥା ଆଜି ଶ୍ରୀ ବରାଳ ତାଙ୍କ ଗୁରୁତର ଗୋଡ଼ର ଫଟୋ ସହିତ ମେଡ଼ିକାଲର ଘୋର ଅବ୍ୟବସ୍ଥାକୁ ନେଇ ସାମାଜିକ ଗଣମାଧ୍ୟମରେ ଗୁହାରି କରିଥିଲେ।ଏହାକୁ ନେଇ ପୁରୀର ଗଣମାଧ୍ୟ୍ୟମ ଓ ବୁଦ୍ଧିଜୀବୀଙ୍କ ମହଲରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁତର ରୋଗୀଙ୍କୁ ଏଭଳି ଅବହେଳା କରୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ‌ହୋଇଛି।

ସମ୍ବନ୍ଧିତ ଖବର