ଭୁବନେଶ୍ବର : ରାଜ୍ୟରେ ହେଉଥିବା କୋଭିଡ୍ ମୃତ୍ୟୁର ୪୮ ଘଣ୍ଟା ଭିତରେ ଡେଥ୍ ଅଡିଟ୍ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ କମିଟି ଜିଲ୍ଲାସ୍ତରରେ କାର୍ଯ୍ୟକ୍ଷମ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ କୋଭିଡ୍ ପଜିଟିଭ୍/ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ମେଡିକାଲ ରେକର୍ଡ ଯାଞ୍ଚ କରିବା ସହିତ କିଭଳି ଅଧିକରୁ ଅଧିକ ଜୀବନ ରକ୍ଷା ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।
ଗତ ବର୍ଷ ଅକ୍ଟୋବର ୧୦ ତାରିଖରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଓ ମୃତ୍ୟୁର ଅଡିଟ୍ କରିବା ଲାଗି ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟିକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଚିଠି ଜାରି ହୋଇଛି। ପୂର୍ବରୁ ଜାରି ହୋଇଥିବା ଚିଠିରେ କୋଭିଡ୍ ରୋଗୀଙ୍କୁ ଠିକ୍ ସମୟରେ ଓ ଉତ୍ତମ ଚିକିତ୍ସା ଦେବା ଉପରେ ଗୁରୁତ୍ବ ଦିଆଯାଇଛି। କୋଭିଡ୍ ବ୍ୟବସ୍ଥାରେ ରୋଗୀଙ୍କୁ ମିଳୁଥିବା ସେବା ଓ ମୃତ୍ୟୁ ସଂପର୍କରେ ଜିଲ୍ଲାସ୍ତରୀୟ କମିଟି ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ପଦବିର ଜଣେ ଅଧିକାରୀ ଏହି କମିଟିର ମୁଖ୍ୟ ରଖିବା ସହିତ ସ୍ଥାନୀୟ ସିଡିଏମ୍ଓ, ଆଇସିୟୁ ତାଲିମପ୍ରାପ୍ତ ଡାକ୍ତର ଓ ମେଡିକାଲ ଅଧିକାରୀ ଏଥିରେ ସଦସ୍ୟ ରହିପାରିବେ ବୋଲି କୁହାଯାଇଛି।