ଜଟିଳ ରୋଗରେ ଆକ୍ରାନ୍ତ ଥିଲେ ଘରେ ସଙ୍ଗରୋଧ ମନା
ସରକାରଙ୍କ ସବୁ ସର୍ତାବଳୀକୁ ମାନିବାକୁ ସମ୍ମତି ଦେବେ
ଘରୋଇ ସଂସ୍ଥା ବି ଖୋଲିପାରିବେ କୋଭିଡ୍ କେୟାର ହୋମ୍
ଭୁବନେଶ୍ବର : କରୋନା ସଂକ୍ରମିତଙ୍କ ପାଇଁ ଟିକିଏ ଆଶ୍ବସ୍ତିର ଖବର। କରୋନାରେ ସଂକ୍ରମିତ ବୋଲି ଚିହ୍ନଟ ପରେ ଏବେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇନପାରେ। ରାଜ୍ୟ ସରକାର ଆଜି ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଣିକି ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ହୋମ ଆଇସୋଲେସନ୍ ବା ଘରେ ସଙ୍ଗରୋଧରେ ରହିପାରିେବ। ସହରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମାରେ ରହୁଥିବା ବ୍ୟକ୍ତିମାନେ କେବଳ ଏହି ସୁବିଧା ପାଇବେ। ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସା ହେବାକୁ ସେମାନଙ୍କୁ ଅନୁମତି ମିଳିବ। ତେବେ ଏଭଳି ବ୍ୟକ୍ତିଙ୍କ ପାଇଁ ଘରର ଜଣେ ମୁରବୀ ଶ୍ରେଣୀୟ ବ୍ୟକ୍ତି ତାଙ୍କର ଟେଲିଫୋନ୍ ନମ୍ବର ଦେବେ ଓ ସେ ସରକାର-ରୋଗୀଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବେ। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କର ସମସ୍ତ କଥା ସେ ବୁଝିବେ।
ହୋମ୍ ଆଇସୋଲେସନରେ ଯେଉଁ ବ୍ୟକ୍ତି ରହିବେ, ତାଙ୍କର ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର ପ୍ରଦାନ କରିବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଦେବେ।
ତେବେ କିଛି ବିଶେଷ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏଭଳି ସୁବିଧା ପାଇପାରିବେ ନାହିଁ। ଏଚ୍ଆଇଭି ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ୍ ଅନୁମତି ମିଳିବନାହିଁ। ସେହିପରି କର୍କଟରୋଗୀ, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତ ସରକାରଙ୍କ ଏହି ସୁବିଧାରୁ ବଞ୍ଚିତ ହେବେ।
ମୁଖ୍ୟଶାସନ ସଚିବ କହିଲେ ଯେ ପାଖାପାଖି ୮୦% ଆକ୍ରାନ୍ତଙ୍କ ଠାରେ ଆଦୌ ଲକ୍ଷଣ ନାହିଁ ବା ସାମାନ୍ୟ ଲକ୍ଷଣ ରହିଛି। ସେମାନଙ୍କୁ ନେଇ କୋଭିଡ୍ ହସ୍ପିଟାଲରେ ରଖିବା ଦ୍ବାରା ଦୁଇଟି ସମସ୍ୟା ଉପୁଜୁଛି। ପ୍ରଥମତଃ ସଂପୃକ୍ତ ବ୍ୟକ୍ତି ମାନସିକ ଚାପ ଭିତରେ ରହୁଛନ୍ତି ଓ ଦ୍ବିତୀୟତଃ ଏଭଳି ପରିସ୍ଥିତିକୁ ଡରି ଅନେକ ସ୍ବାବ୍ ପରୀକ୍ଷା କରିବାକୁ ଚାହୁଁନାହାନ୍ତି। ଏହାବ୍ୟତୀତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ଚିକିତ୍ସା ବ୍ୟବସ୍ଥାର ସର୍ବାଧିକ ବ୍ୟବହାର କରିବା ନିମନ୍ତେ କୋଭିଡ୍ କେୟାର ହୋମ୍, କୋଭିଡ୍ କେୟାର ସେଣ୍ଟର ଏବଂ ହୋମ୍ ଆଇସୋଲେସନ୍ କ୍ଷେତ୍ରରେ ଏହି ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ତେବେ ଯେଉଁ ସନ୍ଦିଗ୍ଧ ଏବଂ କୋଭିଡ୍ ପଜିଟିଭ୍ ବ୍ୟକ୍ତିମାନଙ୍କର ହୋମ୍ ଆଇସୋଲେସନ୍ କିମ୍ବା ଉପରୋକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଆଇସୋଲୋସନ୍ ସୁବିଧା ନାହିଁ, ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପୃଥକବାସ କେନ୍ଦ୍ରରେ ରହିବେ। କେବଳ ସେତିକି ନୁହେଁ, ଯଦି ଆଇସୋଲେସନ୍ରେ ଥିବା ବ୍ୟକ୍ତିମାନଙ୍କର ଗୁରୁତର ଲକ୍ଷଣ ପ୍ରକାଶ ପାଇଲା ବା ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଲା ସେମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁପାଳନ କରିବେ ଓ କୋଭିଡ୍ ହସ୍ପିଟାଲ ଆସିବେ।
ଶ୍ରୀ ତ୍ରିପାଠୀ ଆହୁରି କହିଲେ ଯେ ଇତିମଧ୍ୟରେ ଅନେକ ସଂସ୍ଥା, ଅନୁଷ୍ଠାନ ଏବଂ କର୍ପୋରେଟ୍ ହାଉସ୍ମାନେ ସେମାନଙ୍କ ସଦସ୍ୟମାନଙ୍କ ଆନୁଷ୍ଠାନିକ ପୃଥକବାସ ଏବଂ ଲକ୍ଷଣବିହୀନ କେସ୍ର ପରିଚାଳନା ପାଇଁ ଅନୁରୋଧ କରିଥିଲେ। ସରକାର ସେମାନଙ୍କ ଅନୁରୋଧକୁ ବିଚାରକୁ ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର କେତେକ ସର୍ତ୍ତାବଳୀ ସହିତ ସେମାନଙ୍କୁ ଅନୁମତି ଦିଆଯାଇଛି।
ମୁଖ୍ୟସଚିବ ଆହୁରି କହିଥିଲେ ଯେ ପୌର ପରିଷଦ, ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର, ପୂର୍ବତଟ ରେଳବାଇର ବିଭିନ୍ନ କେନ୍ଦ୍ର, ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ପରିଚାଳିତ ସାଧାରଣ ଉଦ୍ୟୋଗ, କେନ୍ଦ୍ରୀୟ ଆର୍ମଡ୍ ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ଓଡ଼ିଶା ପୁଲିସ, ଓଡ଼ିଶା ଅଗ୍ନିଶମ ସଂସ୍ଥା, କାରାଗାର ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ, ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ସଂସ୍ଥା, ଆବାସିକ େୱଲ୍ଫେୟାର ସଂସ୍ଥା, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ ଅନୁଷ୍ଠାନମାନେ ସେମାନଙ୍କ ନିଜ ନିଜ କର୍ମଚାରୀଙ୍କ ପାଇଁ କୋଭିଡ୍ କେୟାର ହୋମ୍ ଏବଂ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରିପାରିବେ। ତେବେ ସେମାନେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସର୍ତ୍ତାବଳୀ ପାଳନ କରିବାକୁ ବାଧ୍ୟ। ସେହିପରି ଆପାର୍ଟମେଣ୍ଟମାନେ ମଧ୍ୟ ଏଭଳି ସୁବିଧାର ଫାଇଦା ନେଇପାରିବେ। ତେବେ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ସ୍ୱତନ୍ତ୍ର ମାର୍ଗଦର୍ଶିକା ସେମାନଙ୍କୁ ପାଳନ କରିବାକୁ ହେବ।