କଟକରେ ବଢ଼ୁଛି ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଗୋଟିଏ ଦିନରେ ୨୫ ପଜିଟିଭ୍

ଆଚାର୍ଯ୍ୟ ହରିହର‌ରୁ ଚିହ୍ନଟ ହେଲେ ୪ ରୋଗୀଙ୍କ ସମେତ ୬ ଜଣ
ଓଟି, ରେଡିଓଥେରାପି, କେମୋଥେରାପି ଓ ଆଡମିସନ୍ ବନ୍ଦ
ଏସ୍‌ସିବିରେ ରୋଗୀ, ସିକ୍ୟୁରିଟି ଗାର୍ଡ ସଂକ୍ରମିତ
ଏସ୍‌ଡିପିଓ, ଥାନା ଆଇଆଇସି ପତ୍ନୀଙ୍କ ସମେତ ୭ ଆକ୍ରାନ୍ତ

କଟକ : କଟକରେ ଚେର ଲମ୍ବାଇଲାଣି କରୋନା। ଜିଲ୍ଲାରେ ଯେଭଳି ଜଣଙ୍କଠାରୁ ଜଣଙ୍କୁ କରୋନା କାୟା ବିସ୍ତାର କରୁଛି, ସେଥିରେ ଯଦି କଡ଼ା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସ୍ଥିତି ବେକାବୁ ହେବା ଆଶଙ୍କା କରାଯାଉଛି। ସବୁଠୁ ଉଦବେଗର କାରଣ ହୋଇଛି ଜିଲ୍ଲାର ପୁଲିସ ଅଧିକାରୀ, କର୍ମଚାରୀ, କଟକ ବ‌ଡ‌ ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ରୋଗୀ, ନର୍ସ ଓ ସିକ୍ୟୁରିଟି ଗାର୍ଡ କରୋନାରେ ସଂକ୍ରମିତ ହେବା। ଏହାକୁ ନେଇ ବଡ ମେଡିକାଲରେ ରୋଗୀ, ଡାକ୍ତର ଓ କର୍ମଚାରୀ ମହଲରେ ବି ଆତଙ୍କ ବଢିବାରେ ଲାଗିଛି।

ଆଚାର୍ଯ୍ୟ ହରିହର କର୍କଟ ‌କେନ୍ଦ୍ରରେ ଗତକାଲି ଦୁଇ ଜଣ ନର୍ସ କରୋନା ସଂକ୍ରମିତ ହୋଇଥିବାବେଳେ ଆଜି ଆଉ ୪ ଜଣ କର୍କଟ ରୋଗୀଙ୍କ ସମେତ ୬ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ସ୍ଥିତିରେ କର୍କଟ କେନ୍ଦ୍ରରେ ଆଡମିସନ୍, ଓଟି, ରେଡିଓଥେରାପି, କେମୋଥେରାପି ୟୁନିଟ୍ ସବୁକୁ ବନ୍ଦ କରି ଦିଆଯାଇଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫ଦିନରେ ୯ଜଣ କରୋନା ସଂକ୍ରମିତ ହେବାପରେ କେନ୍ଦ୍ରର ସେବିକାମାନେ ନିଜର ସୁରକ୍ଷା ଦାବି କରିଛନ୍ତି। ଭଡାରେ ରହୁଥିବା ସେବିକାମାନଙ୍କୁ ଘର ମାଲିକମାନେ ଘରେ ପୁରାଉ ନାହାନ୍ତି। ତେଣୁ କେନ୍ଦ୍ର ପରିସରରେ କ୍ବାରାଣ୍ଟିନ୍‌ କେନ୍ଦ୍ର ଖୋଲିବା ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲାର ଜଣେ ଥାନା ଆଇଆଇସି କରୋନାରେ ସଂପର୍କିତ ହୋଇଥିବା ବେଳେ ସିଡିଏ ସେକ୍ଟର-୯ରେ ରହୁଥିବା ତାଙ୍କ ପରିବାରରୁ ପତ୍ନୀ ବି ଆଜି କରୋନାରେ ସଂକ୍ରମିତ ଥିବା ଜଣା ପଡିଛି। ସେହି ପୁଲିସ ଅଧିକାରୀଙ୍କ ସଂପର୍କରେ ଆସି ଜିଲ୍ଲାର ଜଣେ ପୁଲିସ ଏସ୍‌ଡିପିଓ, ତାଙ୍କ ଡ୍ରାଇଭର ଏବଂ ଥାନାର ୪ ଜଣ ପୁଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। କଟକ ବଡ ଡାକ୍ତରଖାନା ମେଡିସିନ୍‌ ବିଭାଗର ଜଣେ ସିକ୍ୟୁରିଟି ଗାର୍ଡ, ନ୍ୟୁରୋସର୍ଜରି ବିଭାଗର ଜଣେ ରୋଗୀ କରୋନା ସଂକ୍ରମିତ ହୋଇଛନ୍ତି। ନ୍ୟୁରୋସର୍ଜରି ବିଭାଗର ରୋଗୀ କେନ୍ଦ୍ରାପଡାର ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତରଙ୍କ ସମେତ ୨୦ ଜଣ ମେଡିକାଲ କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ପଠାଇ ଦିଆଯାଇଛି। ଆସନ୍ତାକାଲି ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ। ଆଜି ସଂକ୍ରମିତଙ୍କ ମଧ୍ୟରେ ଏନ୍‌ଡିଆରଏଫ୍‌ର ଜଣେ ଯବାନ ଅଛନ୍ତି। କଟକ ଜିଲ୍ଲାରୁ ଆଜି ଗୋଟିଏ ଦିନରେ ୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରୁ କଟକ ଜିଲ୍ଲା ଅଞ୍ଚଳର ହେଉଛନ୍ତି ୧୮ଜଣ। ଗୋଷ୍ଠୀ ସଂକ୍ରମଣକୁ ଯଦିଓ ସରକାର ଏଯାଏ ସ୍ବୀକାର କରି ନାହାନ୍ତି କିନ୍ତୁ ବଡମ୍ବା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସୃଷ୍ଟି ହୋଇଥିବା ଘଟଣା ଗୋଷ୍ଠୀ ସଂକ୍ରମଣ ସ୍ଥିତିର ଏକ ଉଦାହରଣ ବୋଲି ଧରାଯାଇପାରେ ବୋ‌ଲି ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି।

www.telegraphindia.com

ସୂଚନା ଯୋଗ୍ୟ ଯେ ଗଲା ୨୪ ତାରିଖରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଚିକିତ୍ସିତ ହେଉଥିବା ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ୨୯ ବର୍ଷୀୟ କର୍କଟ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଉକ୍ତ କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଗତ୍‌ସିଂହପୁରର ୨ଜଣ, ଅନୁଗୁଳ ଓ କେନ୍ଦୁଝରର ଜଣେ ଲେଖାଏ ରୋଗୀ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ଆହାର କେନ୍ଦ୍ରର ଜଣେ କର୍ମଚାରୀ ଓ ଜଣେ ରୋଗୀ ସଂପର୍କୀୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତୁରନ୍ତ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କର୍କଟ କେନ୍ଦ୍ରରୁ ୬ଜଣ କରୋନା ସଂକ୍ରମିତ ହେବାପରେ କେନ୍ଦ୍ରର ଅଧାରୁ ଅଧିକ କର୍ମଚାରୀ ଏବେ ସଙ୍ଗରୋଧରେ ଅଛନ୍ତି। ଫଳରେ ରୋଗୀ ସେବା ପ୍ରଭାବିତ ହୋଇଥିବା ବେଳେ ଏବେବି କେନ୍ଦ୍ରରେ ଦେଢ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଚାର୍ଯ୍ୟ ହରିହରର ୩ଜଣ ରୋଗୀ ରେଡିଏସନ୍‌ ଚିକିତ୍ସା ନେଉଥିବା ବେଳେ ଉକ୍ତ ବିଭାଗକୁ ମଧ୍ୟ ସିଲ୍‌ କରି ଦିଆଯାଇଛି। ଏସ୍‌ସିବିର ଆଇସୋଲେସନ୍‌ ୱାର୍ଡରୁ ଆଜି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଏନ୍‌ଡିଆରଏଫ୍‌ ଯବାନ, ଚୌଦ୍ବାର ଚାରବାଟିଆର ୩୮ବର୍ଷର ମହିଳା, ମେଡିସିନ୍ ବିଭାଗର ସୁରକ୍ଷାକର୍ମୀ, ଭଦ୍ରକର ଜଣେ ମହିଳା ଅଛନ୍ତି। ଜିଲ୍ଲାର ମାହାଙ୍ଗା ଅଞ୍ଚଳରୁ ମଧ୍ୟ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର