ରାଜ୍ୟରେ ସଂକ୍ରମଣ ଦେଢ଼ ଲକ୍ଷ ପାର୍‌ : ଖୋର୍ଧା ଶୀର୍ଷରେ; ୧୭ ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦିନକରେ ୩୯୧୩ ପଜିଟିଭ୍, ୧୦ ମୃତ, ୩୩୬୩ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଆଜି ଦେଢ଼ ଲକ୍ଷ ଅତିକ୍ରମ କରିଛି। ଗତ ୨୪ଘଣ୍ଟାରେ ୩୯୧୩ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟା ୧ଲକ୍ଷ ୫୦ହଜାର ୮୦୭ରେ ପହଞ୍ଚିଛି। ଦେଶରେ ଦେଢ଼ ଲକ୍ଷ ସଂଖ୍ୟା ପାର୍ କରିଥିବା ରାଜ୍ୟ ଭିତରେ ଓଡ଼ିଶା ୧୦ମ ରାଜ୍ୟ ପାଲଟିଛି। ସେହିପରି ସର୍ବାଧିକ ସକ୍ରିୟ ଚିକିତ୍ସାଧୀନ ରୋଗୀ ତାଲିକାରେ ଓଡ଼ିଶା ୭ମ ସ୍ଥାନରେ ରହିଛି।

ଆଜି ଚିହ୍ନଟ ୩୯୧୩ ଆକ୍ରାନ୍ତଙ୍କ ମଧ୍ୟରେ ୨୩୪୮ଜଣ ସଙ୍ଗରୋଧରୁ ଓ ୧୫୬୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଦିନକରେ ୧୭ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏତେ ସଂଖ୍ୟକ ଜିଲ୍ଲାରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟର ପ୍ରଥମ ଘଟଣା। ‌ଖୋର୍ଧାରେ ସର୍ବାଧିକ ୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୮୨, ପୁରୀ ୨୧୨, ଝାରସୁଗୁଡ଼ା ୧୬୨, କେନ୍ଦ୍ରାପଡ଼ା ୧୫୬, ମୟୂରଭଞ୍ଜ ୧୪୭, ବରଗଡ଼ ୧୪୬, ବଲାଙ୍ଗୀର ୧୪୨, ସମ୍ବଲପୁର ୧୪୧, ବାଲେଶ୍ବର ୧୩୪, ଯାଜପୁର ଓ ନୂଆପଡ଼ାରୁ ୧୨୮ ଲେଖାଏଁ, ଭଦ୍ରକ ୧୨୩, ନବରଙ୍ଗପୁର ୧୧୨, ଜଗତସିଂହପୁର ୧୦୮, ଅନୁଗୁଳ ୧୦୩, କୋରାପୁଟ ୧୦୦, ଷ୍ଟେଟ୍‌ ପୁଲ୍‌ ୧୦୭, ରାୟଗଡ଼ା ୯୮, ସୋନପୁର ୯୧, ଗଞ୍ଜାମ ଓ କନ୍ଧମାଳ ୮୬ ଲେଖାଏଁ, କେନ୍ଦୁଝର ୭୬, ଢେଙ୍କାନାଳ ୭୪, ମାଲକାନଗିରି ୬୮, ବୌଦ୍ଧ ୬୧, କଳାହାଣ୍ଡି ଓ ନୟାଗଡ଼ ୬୦ ଲେଖାଏଁ, ସୁନ୍ଦରଗଡ଼ ୩୫, ଗଜପତି ୧୬ ଓ ଦେବଗଡ଼ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଖୋର୍ଧାରେ ସର୍ବାଧିକ ୨୫,୯୯୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଗଞ୍ଜାମରୁ ୧୯,୨୧୧, କଟକ ୧୩,୦୧୫, ପୁରୀ ୬୨୮୭, ରାୟଗଡ଼ା ୬୦୮୬, ଯାଜପୁର ୫୭୩୪, ମୟୂରଭଞ୍ଜ ୫୬୧୮, ସୁନ୍ଦରଗଡ଼ ୫୫୩୩, ବାଲେଶ୍ବର ୫୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଦେବଗଡ଼ ଜିଲ୍ଲାରେ ୩୭୩ ରୋଗୀଙ୍କୁ ବାଦ୍ ଦେଲେ ୨୯ ଜିଲ୍ଲାରେ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟରେ କେବଳ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ପାର୍ କରିଛି। ଖୋର୍ଧା ଜିଲ୍ଲାରେ ରାଜ୍ୟର ସର୍ବାଧିକ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି।

ସରକାରୀ ଭାବେ ରାଜ୍ୟରେ ଆଜି ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଖୋର୍ଧାରୁ ସର୍ବାଧିକ ୩ଜଣ ମୃତକ ଥିବାବେଳେ କଟକରୁ ୨, ସୁବର୍ଣ୍ଣପୁର, ମୟୂରଭଞ୍ଜ, କଳାହାଣ୍ଡି, ଗଞ୍ଜାମ ଓ ବାଲେଶ୍ବରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଗଞ୍ଜାମରେ ସର୍ବାଧିକ ୨୧୫ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୯୨, କଟକ ୪୭, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୩, ପୁରୀ ୨୫, ଗଜପତି ୧୮, ସମ୍ବଲପୁର ଓ ନୟାଗଡ଼ରେ ୧୬ ଲେଖାଏଁ, କନ୍ଧମାଳ ଓ ବାଲେଶ୍ବରରେ ୧୫ ଲେଖାଏଁ, ମୟୂରଭଞ୍ଜ ଓ ବାଲାଙ୍ଗୀରରୁ ୧୦ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୬୨୬ରେ ପହଞ୍ଚିଛି। ତେବେ ଗତମାସ ୧୩ତାରିଖ ପରଠାରୁ ରାଜ୍ୟରେ ଅଣ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇନାହିଁ।

ରାଜ୍ୟରେ ଆଜି ୩୩୬୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ସର୍ବାଧିକ ୮୦୬ଜଣ ଖୋର୍ଧା ଜିଲ୍ଲାରୁ ରହିଛନ୍ତି। କଟକ ୩୪୮, ପୁରୀ ୨୮୦, ମୟୂରଭଞ୍ଜ ୨୦୬, ରାୟଗଡ଼ା ୧୭୩, ଭଦ୍ରକ ୧୪୪, ସୁନ୍ଦରଗଡ଼ ୧୨୦, ଝାରସୁଗୁଡ଼ା ୧୧୯, ବରଗଡ଼ ୧୧୬, ଗଞ୍ଜାମ ୧୧୦, କଳାହାଣ୍ଡି ୮୯, ସୋନପୁର ୮୭, କନ୍ଧମାଳ ୮୫, କୋରାପୁଟ ୭୧, ବାଲେଶ୍ବର ଓ ସମ୍ବଲପୁର ୬୬ ଲେଖାଏଁ, ବୌଦ୍ଧ ୬୫, ନୟାଗଡ଼ ୫୮, କେନ୍ଦୁଝର ୫୧, କେନ୍ଦ୍ରାପଡ଼ା ୪୪, ଯାଜପୁର ୪୦, ବଲାଙ୍ଗୀର ୩୯, ଜଗତସିଂହପୁର ୩୧, ଗଜପତି ୨୯, ଅନୁଗୁଳ ୨୮, ଢେଙ୍କାନାଳ ୨୫, ନବରଙ୍ଗପୁର ୨୪, ମାଲକାନଗିରି ୨୨, ନୂଆପଡ଼ା ୧୭ ଓ ଦେବଗଡ଼ରୁ ୪ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୬୪୨ରେ ପହଞ୍ଚିଛି। ରାଜ୍ୟରେ ଏବେ ୩୧,୪୮୬ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର