ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୩୦୦ ପାର୍‌

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦ ହଜାର ଟପିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୩୨୦୫୩ ନମୁନା ପରୀକ୍ଷା ହୋଇଥିବା ବେଳେ ୧୮୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୭୨ରେ ପହଞ୍ଚିଛି। ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୩୦୦ ପାର୍ କରିଛି।

ମାର୍ଚ ୧୫ତାରିଖରେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଥମ ୫ ହଜାର ପାଇଁ ୩ମାସ ଲାଗିଥିଲା। ପରେ ୧୩୨ ଦିନରେ ୨୫ ହଜାର ଅତିକ୍ରମ କରିଥିଲା କରୋନା। ତେବେ ଗତ ଜୁଲାଇ ମାସଠାରୁ ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୭ଦିନରେ ଆହୁରି ୨୫ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୫ହଜାର ଆକ୍ରାନ୍ତ ମାତ୍ର ୩ ଦିନରେ ହିଁ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ତହିଁରୁ ୫ଜଣ ସଂକ୍ରମିତଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ ଜଟିଳ ରୋଗ ରହିଥିଲା। ଗଞ୍ଜାମର ୪୮ବର୍ଷର ମହିଳା,୫୭ବର୍ଷର ପୁରୁଷ, ଖୋର୍ଧାର ୫୮ବର୍ଷର ପୁରୁଷ, ରାୟଗଡ଼ାର ୬୫ବର୍ଷର ପୁରୁଷ, ଅନୁଗୁଳର ୪୪ବର୍ଷର ମହିଳା କୋ-ମର୍ବିଡିଟି ପାଇଁ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ବାଲେଶ୍ବର ୩୮ବର୍ଷର ଯୁବକ, ଗଞ୍ଜ‌ାମର ୫୭ବର୍ଷର ପୁରୁଷ, ୭୪ବର୍ଷର ମହିଳା ଓ ରାୟଗଡ଼ାର ୬୫ବର୍ଷର ପୁରୁଷ କେବଳ ଭୂତାଣୁର ଶିକାର ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୪୪ଜଣ ପ୍ରାଣ ହରାଇଛନ୍ତି। ତେବେ ଖୋର୍ଧାରେ ୪୨, ସୁନ୍ଦରଗଡ଼ ୧୯, ଗଜପତି ୧୬, ରାୟଗଡ଼ା ୧୪, କଟକ ୧୧, ନୟାଗଡ଼ ୮ ଓ ବାଲେଶ୍ବର ୭ ସମେତ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି। ରାଜ୍ୟର ୨୫ଟି ଜିଲ୍ଲା କରୋନା ମୃତ୍ୟୁ ରେକର୍ଡ କରାଯାଇଛି।

ଏହାବାଦ୍ ରାଜ୍ୟରେ ୫୩ଜଣ ଅଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଗତ ୨୪ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ୧୮୭୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ। ଖୋର୍ଧାରେ ସର୍ବାଧିକ ୨୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଗଞ୍ଜାମ ୨୬୦, ସୁନ୍ଦରଗଡ଼ ୧୧୯, କଟକ ୧୦୯, ନୟାଗଡ଼ ୧୦୫, ରାୟଗଡ଼ା ୯୮, ବାଲେଶ୍ବର ୮୧, ପୁରୀ ୮୦, କୋରାପୁଟ ୭୭, ମୟୂରଭଞ୍ଜ ୭୦, କେନ୍ଦ୍ରାପଡ଼ା ୫୮, ଭଦ୍ରକ ୫୦, କଳାହାଣ୍ଡି ୪୧, ସମ୍ବଲପୁର ଓ ଢେଙ୍କାନାଳରୁ ୩୬ଜଣ ଲେଖାଏଁ, ଜଗତସିଂହପୁର ୨୬, ବଲାଙ୍ଗୀର ୩୧, କନ୍ଧମାଳ ୩୦, ମାଲକାନାଗିରି ୨୪, ସୋନପୁର ୨୨, କେନ୍ଦୁଝର ୨୧, ବରଗଡ଼ ଓ ଅନୁଗୁଳ ୧୫ଜଣ ଲେଖାଏଁ, ବୌଦ୍ଧ ୧୦, ଝାରସୁଗୁଡ଼ା ୬, ନୂଆପଡ଼ା ୩ ଓ ଦେବଗଡ଼ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ୧୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ସଙ୍ଗରୋଧରୁ ଓ ୬୯୪ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ଗଞ୍ଜାମ ଜିଲ୍ଲା ସର୍ବାଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୩୫୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟରେ ଖୋର୍ଧା ଜିଲ୍ଲାରେ ୭୧୭୮, କଟକ ୩୩୮୭, ସୁନ୍ଦରଗଡ଼ ୨୫୭୨, ଗଜପତି ୨୧୧୧, ଯାଜପୁର ୧୭୦୨, ରାୟଗଡ଼ା ୧୬୭୯, ବାଲେଶ୍ବର ୧୫୬୯, ପୁରୀ ୧୩୯୫, କୋରାପୁଟ ୧୩୯୩, ସମ୍ବଲପୁର ୧୨୩୧, ନୟାଗଡ଼ ୧୨୦୩, ଭଦ୍ରକ ୧୧୧୭ ଓ କେନ୍ଦୁଝରରେ ୧୦୮୭ଜଣ ଚିହ୍ନଟ ହୋଇଛନ୍ତି। ୧୪ଟି ଜିଲ୍ଲାରେ ୧ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।

ଆଜି ରାଜ୍ୟରେ ୧୬୭୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ୩୮୯ ଗଞ୍ଜାମରୁ ରହିଥିବା ବେଳେ ୧୭୭ଜଣ ଖୋର୍ଧାରୁ ରହିଛନ୍ତି। ଏହାବାଦ୍ ସୁନ୍ଦରଗଡ଼ର ୧୬୩, କଟକ ୧୨୬, କୋରାପୁଟ ୧୨୦, ପୁରୀ ୧୦୦, ସମ୍ବଲପୁର ୬୧, ବରଗଡ଼ ୫୦, କେନ୍ଦୁଝର ଓ ରାୟଗଡ଼ା ୪୭ ଲେଖାଏଁ, କନ୍ଧମାଳ ୪୬, ନୟାଗଡ଼ ୩୫, ଯାଜପୁର ୩୪, ଗଜପତି ୩୩, କେନ୍ଦ୍ରାପଡ଼ା ୩୧, ବାଲେଶ୍ବର ୩୦, ମାଲାକାନାଗିରି ୨୮, ଭଦ୍ରକ ୨୬, ମୟୂରଭଞ୍ଜ ୨୫, ଢେଙ୍କାନାଳ ୨୪, କଳାହାଣ୍ଡି ୨୧, ବଲାଙ୍ଗୀର ୧୫, ସୋନପୁର ୧୪, ନବରଙ୍ଗପୁର ୧୧, ଜଗତସିଂହପୁର ୮, ଝାରସୁଗୁଡ଼ା ୬, ଅନୁଗୁଳ ୪, ବୌଦ୍ଧ ଓ ନୂଆପଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୬୪୭୮ ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର