ବାରିପଦାରେ ଡାକ୍ତରଙ୍କ ସମେତ ୩ କରୋନା ଆକ୍ରାନ୍ତ

ଆଇଡିଏସପି କାର୍ଯ୍ୟାଳୟ ୩ ଦିନ ଛୁଟି, କ୍ବାରାଣ୍ଟିନ୍‌ରେ କର୍ମଚାରୀ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମୋଟ ସଂଖ୍ୟା ୧୨୧ରେ ପହଞ୍ଚିଛି। ସବୁଠୁ ବଡ଼କଥା ହେଲା, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପିଆରଏମ୍ ମେଡିକାଲ କଲେଜର ଜଣେ ଡାକ୍ତରଙ୍କ ସମେତ ଆଇଡିଏସ୍‌ପିରେ କାର୍ଯ୍ୟରତ ଜଣେ ଏପି଼ଡୋମିଓଲୋଜିଷ୍ଟ ଓ ଜଣେ ମହିଳା ଡାଟାଏଣ୍ଟ୍ରି ଅପରେଟର ଅଛନ୍ତି। ମହାମାରୀ ଭୂତାଣୁରେ ୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହେବା ପରେ ମେଡିକାଲ କଲେଜରେ ଏକପ୍ରକାର ଆତଙ୍କ ଖେଳିଯାଇଛି।

ମିଳିଥିବା ସୂଚନାନୁସାରେ, କରୋନା ଲଢ଼େଇରେ କାର୍ଯ୍ୟ କରୁଥିବା ଏହି ୩ ଜଣ ପ୍ରମୁଖ କର୍ମଚାରୀ ଲୋକାଲ୍‌ କଣ୍ଟାକ୍ଟ୍‌ରୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। କାରଣ ଏହି ୩ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସହିତ ଜିଲ୍ଲାର ଅଧିକାଂଶ ଅଧିକାରୀ, କର୍ମଚାରୀ ଓ ଡାକ୍ତର କଣ୍ଟାକ୍ଟ୍‌ରେ ଆସିଛନ୍ତି। ତେଣୁ ଏମାନେ କିପରି ସଂକ୍ରମିତ ହେଲେ ସେ ‌ନେଇ ତନାଘନା ଚାଲିଛି। ଆଜି ଚିହ୍ନଟ ହୋଇଥିବା ଅନ୍ୟ ୯ ଜଣଙ୍କ ମଧ୍ୟରୁ ବାଙ୍ଗିରିପୋଷି, ରରୁଁଆ ଓ ଜିବିନଗରରୁ ଜଣେ ଲେଖା ପଜିଟିଭ୍‌ ରହିଛନ୍ତି। ଜିବିନଗରରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଲୋକାଲ୍‌ କଣ୍ଟାକ୍ଟରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ରାସଗୋବିନ୍ଦପୁରରୁ ୨ ଜଣ, କୁସୁମୀ ବ୍ଲକ୍‌ରୁ ୩ ଜଣ ରହିଛନ୍ତି। ଆଜି ଗୋଟିଏ ଦିନରେ ୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୧୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ ଏହାମଧ୍ୟରେ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ୭୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଏହାସହିତ ବାରିପଦା ପୌରାଞ୍ଚଳରୁ ଆଉ ଜଣେ ମଧ୍ୟ ଲୋକାଲ୍‌ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବାରୁ ଏକାଧିକ ଲୋକଙ୍କ ସଂପର୍କରେ ଆସିଥିବାର ସନ୍ଦେହ କରାଯାଉଛି। ଏଥିପାଇଁ ଏଡିଏମ୍‌ଓ ପବ୍ଲିକ୍‌ ହେଲ୍‌ଥ ଆଇଡିଏସ୍‌ପି କାର୍ଯ୍ୟାଳୟକୁ ତିନି ଦିନ ପାଇଁ ବନ୍ଦ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ସଂପୃକ୍ତ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଇଛି।

ସମ୍ବନ୍ଧିତ ଖବର