ଚୌଦ୍ୱାର ସର୍କଲ ଜେଲ୍‌ରେ ସଂକ୍ରମଣ, ଅଣାୟତ୍ତ ହେବା ଆଶଙ୍କା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜେଲ୍‌ରେ ଉଚ୍ଚସ୍ତରୀୟ ଟିମ୍‌

ଚୌଦ୍ୱାର : ଆଚାର୍ଯ୍ୟ ହରିହରରେ ଚିକିତ୍ସିତ ହେଉଥିବା ଚୌଦ୍ୱାର ସର୍କଲ ଜେଲ୍‌ର ଜଣେ କଏଦୀ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜେଲ ପକ୍ଷରୁ ୪ଜଣ ୱାର୍ଡର୍‌ ସମ୍ପୃକ୍ତ କଏଦୀଙ୍କୁ କର୍କଟ କେନ୍ଦ୍ରରେ ଜଗୁଥିଲେ। ସେମାନଙ୍କ ଭିତରୁ ୩ଜଣଙ୍କ ସ୍ବାବ୍‌ ଭିତରୁ ଦୁଇଜଣଙ୍କର ରି‌ପୋର୍ଟ ନେଗେଟିଭ୍‌ ଓ ଜଣଙ୍କର ପଜିଟିଭ୍‌ ଆସିଛି। ଉକ୍ତ ୱାର୍ଡରଜଣକ ଜେଲ୍‌ ବ୍ୟାରେକ୍‌ରେ ରହିବା ସହ କ୍ୟାଣ୍ଟିନ୍‌ରେ ଖାଇଥିବାରୁ ଜେଲ୍‌ରେ ସଂକ୍ରମଣର ଆଶଙ୍କା ବଢ଼ିଯାଇଛି।

ଚୌଦ୍ବାର ସର୍କଲ ଜେଲରେ କରୋନା ସଂକ୍ରମଣ ସମ୍ପର୍କରେ ଯାଞ୍ଚ କରିବା ଉଦ୍ଦେଶ୍ୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନ ୧୦ଟା ସମୟରେ ଚୌଦ୍ବାର ଜେଲକୁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏମ୍.ଆର ଦାସଙ୍କ ନେତୃତ୍ବରେ କଟକ ଜିଲ୍ଲା ଦୌରାଜଜ ରାଜକୁମାର ସାହୁ ଓ ଷ୍ଟେଟ୍‌ ଲିଗାଲ ସେଲ ସମ୍ପାଦକ ଏମ୍. ଦାସଙ୍କ ସମେତ ବହୁ ଅଧିକାରୀ ପହଞ୍ଚି ପରିଦର୍ଶନ କରିଥିଲେ। ଜେଲ ଭିତରେ ଥିବା ସଂଗରୋଧ କେନ୍ଦ୍ର ଓ ଆଇସୋଲେସନ ୱାର୍ଡ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରି ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। କରୋନା ସଂକ୍ରମଣକୁ ଆଖିଆଗରେ ରଖି ଜେଲ ପରିସରରେ ୧୦୦ ଶଯ୍ୟା ପକାଯାଇଛି। କ୍ବାରାଣ୍ଟିନ ୱାର୍ଡରେ ପୁରୁଷଙ୍କ ପାଇଁ ୬୪ଟି ବେଡ୍‌ ଥିବାବେଳେ ମହିଳାମାନଙ୍କ ପାଇଁ ୮, ଆଇସୋଲେସନ ୱାର୍ଡରେ ପୁରୁଷଙ୍କ ପାଇଁ ୨୦ଟି ଓ ମହିଳାଙ୍କ ପାଇଁ ୮ଟି ବେଡ୍‌ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜେଲରେ ୮୪୩ଜଣ କଏଦୀ ଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମିତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ୱାର୍ଡର୍‌ଙ୍କର ଆଜି ରିପୋର୍ଟ ପଜିଟିଭ୍ ଆସିଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଉକ୍ତ ୱାର୍ଡର ନିକଟରେ ଅନ୍ୟ ଜେଲରୁ ବଦଳି ହୋଇ ଆସିଥିବାରୁ ସେ ଜେଲ୍‌ ବ୍ୟାରେକ୍‌ରେ ରହୁଥିଲେ ଓ କ୍ୟାଣ୍ଟିନରେ ଖାଉଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯେ, ଏହା ଭିତରେ ସେ ନିଜ ପରିବାରକୁ ଯାଇ ଫେରିଥିବା କୁହାଯାଉଛି। ଏହାକୁ ନେଇ ଜେଲ୍‌ ଭିତରେ ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଦେଇଛି। ତେବେ, ଜେଲ୍‌ ଭିତରେ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର