ପରୀକ୍ଷା ବଢ଼ିଲା, ପଜିଟିଭ୍ ବଢ଼ିଲେ : ୫୬୧ ପଜିଟିଭ୍ ସହ ରାଜ୍ୟରେ ନୂଆ ରେକର୍ଡ

୩ ଦିନରେ ହଜାରେ ଆକ୍ରାନ୍ତ, ମୋଟ ୮୦୦୦ ଡେଇଁଲା
ସଂକ୍ରମଣ ତାଲିକାରେ ଗଞ୍ଜାମ ପଛକୁ ଖୋର୍ଧା ଜିଲ୍ଲା

ଭୁବନେଶ୍ବର : ରାଜ୍ୟରେ ଗତ ୧ମାସରୁ ଅଧିକ ହେବ କମ୍ ସଂଖ୍ୟକ କୋଭିଡ୍‌ ପରୀକ୍ଷା ହେଉଥିଲା। ଆଇସିଏମ୍‌ଆର ନିର୍ଦେଶାବଳି ଆଳରେ କୋଭିଡ୍‌ ପରୀକ୍ଷା କମିଥିଲା। ଦୁଇଦିନ ତଳେ ଆଇସିଏମ୍‌ଆର ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ସବୁ ରାଜ୍ୟକୁ କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଦୁଆର ଦୁଆର ସର୍ଭେ କରି କୋଭିଡ଼୍ ସଂକ୍ରମିତଙ୍କୁ ଠାବ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଆଜି ରାଜ୍ୟରେ ଏହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୬୮୫୧ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୫୬୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ପଜିଟିଭ୍ ସଂଖ୍ୟାରେ ଏକ ରେକର୍ଡ।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଆଜି ଘୋଷଣା କରାଯାଇଛି। ସରକାର ଜଣାଇଛନ୍ତି ଯେ ଜଣେ ବ୍ୟକ୍ତି ଉଚ୍ଚ ରକ୍ତଚାପ ପୀଡ଼ିତ ଥିଲେ ଏବଂ ତାଙ୍କୁ ୬୬ ବର୍ଷ ହୋଇଥିଲା। ଅନ୍ୟଜଣଙ୍କର ବୟସ ୪୦ ବର୍ଷ ହୋଇଥିଲେ ହେଁ ସେ ମଧୁମେହରେ ପୀଡ଼ିତ ଥିଲେ। ସେମାନଙ୍କ ମୃତ୍ୟୁର କାରଣ ସଂପର୍କରେ ଅଧିକ ତର୍ଜମା ଜାରି ରହିଛି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି।

India TV News

ରାଜ୍ୟରେ ଏବେ ଦ୍ରୁତ ଗତିରେ କରୋନା ମାଡ଼ି ଚାଲିଛି। ଜୁଲାଇରେ ରାଜ୍ୟରେ କରୋନା ଶିଖର ଛୁଇଁବ ବୋଲି ରାଜ୍ୟ ସରକାର ଯେଉଁ ଆଶଙ୍କା କରିଥିଲେ, ତାହା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଲାଣି। ଗତ ମାସ ୩୦ ତାରିଖରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୭ହଜାର ପାର୍ କରିଥିବା ବେଳେ ମାତ୍ର ୩ ଦିନରେ ଏହା ୮ହଜାର ଅତିକ୍ରମ କରିଛି। ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୮୧୦୬ ରହିଛି। ୩ ଦିନ‌ରେ ହିଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ୧୦୦୦ ବୃଦ୍ଧି ଚିନ୍ତାଜନକ ହୋଇଥିଲେ ହେଁ, ସରକାର କହିଛନ୍ତି ଯେ ଠିକଣା ସମୟରେ କଣ୍ଟ୍ରାକ୍ଟ ଟ୍ରେସିଂ, ପରୀକ୍ଷା ଓ ଚିକିତ୍ସା କରାଯାଇପାରିଲେ, କରୋନାକୁ ମୁକାବିଲା କରାଯାଇପାରିବ। ଏହା କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମାଇବ। ଓଡ଼ିଶା ଏହି ଫର୍ମୁଲା ପ୍ରୟୋଗ କରିବା କାରଣରୁ ଏବେ ଯାଏ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଥିବା କୁହାଯାଇଛି। ବିଶେଷକରି ଦୁଆର ଦୁଆର ସର୍ଭେ କରୋନା ମୁକାବିଲା ପାଇଁ ଶ୍ରେଷ୍ଠ ଅସ୍ତ୍ର ହେବ ବୋଲି ସରକାର କହିଛନ୍ତି। ଏହାଦ୍ବାରା ଯେଉଁମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ବି ଦେଖାଯାଉଛି, ତାଙ୍କର ପରୀକ୍ଷା କରାଯାଇପାରୁଛି।

ପରିସଂଖ୍ୟାନ ସୂଚାଉଛି ଯେ ରାଜ୍ୟର ୨୦ଟି ଜିଲ୍ଲାରେ ୧୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇସାରିଲେଣି। ଅନ୍ୟ ୧୦ଟି ଜିଲ୍ଲାରେ ମଧ୍ୟ ଦ୍ରୁତ ଗତିରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଏସବୁ ଜିଲ୍ଲା ମଧ୍ୟ ଖୁବ୍ କମ୍ ଦିନରେ ୧୦୦ ସଂଖ୍ୟା ଟପିଯିବେ, ତାହା ଏଡ଼ାଇ ଦେଇ ହେଉନାହିଁ।

Sambad English

ତେବେ ଗଞ୍ଜାମ ଜିଲ୍ଲାରେ କରୋନା ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଜିଲ୍ଲାରେ ଗୋଟିଏ ଦିନରେ ୨୮୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରେ ୪୯ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ଏହାବାଦ୍ କଟକରେ ୮୧, ରାୟଗଡ଼ା ୭୬, ଖୋର୍ଧା ୨୬, ବରଗଡ଼ ୨୧, ବଲାଙ୍ଗୀର ୧୯, ମୟୂରଭଞ୍ଜ ୧୦, ସମ୍ବଲପୁର ୮, ଜଗତ୍‌ସିଂହପୁର ୬, କଳାହାଣ୍ଡି ୫, ‌କୋରାପୁଟ ୪, ଯାଜପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୨, ପୁରୀ, ଭଦ୍ରକ ଓ ଏନ୍‌ଡିଆରଏଫ୍‌ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୨୫ଜଣ ଓ ସ୍ଥାନୀୟ ସଂକ୍ରମିତ ୧୩୬ଜଣ ରହିଛନ୍ତି। କରୋନା ସଂକ୍ରମଣରେ ଗଞ୍ଜାମ ପରେ ଖୋର୍ଧା ୮୯୪ ଓ କଟକ ୭୦୨ ରୋଗୀଙ୍କ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ଆଜି ୨୦୩ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୩୮ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଏହାବାଦ୍ ଖୋର୍ଧା ୩୭, ଗଜପତି ୧୯, କଟକ ଓ ଜଗତ୍‌ସିଂହପୁରରୁ ୧୮ଜଣ ଲେଖାଏଁ, ସମ୍ବଲପୁର ୧୨, ଢେଙ୍କାନାଳ ୧୦, ଯାଜପୁର ୮, ବରଗଡ଼ ୭, ମୟୂରଭଞ୍ଜ ୬, ରାୟଗଡ଼ା ୫, ବାଲେଶ୍ବର ଓ କନ୍ଧମାଳରୁ ୩ଜଣ ଲେଖାଏଁ, ପୁରୀ ୨, ଦେବଗଡ଼, ଝାରସୁଗୁଡ଼ା, ମାଲକାନାଗିରି, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୭୦୫ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ହାର ୭୦% ରହିଛି। ଏହା ଜାତୀୟ ହାରଠାରୁ ମଧ୍ୟ ଭଲ। ୨୩୬୪ ସକ୍ରିୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି। ୨୫୬୭ଜଣ ରୋଗୀ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର