କନ୍ଧମାଳରେ ହୁହୁ ବଢୁଛି ସଂକ୍ରମଣ, ଚିନ୍ତାରେ ପ୍ରଶାସନ

ଆଜି ସର୍ବାଧିକ ୪୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ଛୁଇଁଲା

ଭୟଭୀତ ନ ହେବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ
ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ବି ନିବେଦନ

ଫୁଲବାଣୀ : କନ୍ଧମାଳରେ ହୁହୁ ହୋଇ ବଢି ଚାଲିଛି ସଂକ୍ରମଣ। ଏହା ଜିଲ୍ଲାର ଜନସାଧାରଣଙ୍କ ଚିନ୍ତାକୁ ବେଶୀ ବଢାଇ ଚାଲିଛି। ଅନୁରୂପ ଭାବେ ଜିଲ୍ଲା ପ୍ରଶାସନର ବି ଚିନ୍ତା ବଢି ଯାଇଛି। ଗତକାଲି ସୁଦ୍ଧା ଜିଲ୍ଲାରେ ସମୁଦାୟ ପଜିଟିଭ୍ ସଂଖ୍ୟା ୮୯ ଥିବା ବେଳେ ଆଜି ରାଜ୍ୟରୁ ସର୍ବାଧିକ ୪୮ ଜଣ ଆକ୍ରାନ୍ତ କନ୍ଧମାଳରୁ ଚିହ୍ନଟ ହୋଇଛନ୍ତି। ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଆଜି ଚିହ୍ନଟ ୪୮ରୁ ଜଣେ କରୋନା ଯୋଦ୍ଧା ରହିଛନ୍ତି। ସେ ଏକ ସଙ୍ଗରୋଧ କେନ୍ଦ୍ରରେ ସ୍ବେଛାସେବୀ ଭାବେ କାମ କରୁଥିଲେ। ସଙ୍ଗରୋଧ କେନ୍ଦ୍ରରୁ ଆଜି ଚିହ୍ନଟ ୪୮ରୁ କେବଳ ୪୨ ଜଣ ଅଛନ୍ତି। ସେହିଭଳି ଜିଲ୍ଲା କୋଭିଡ ହସପିଟାଲରେ ୫ ଓ ଜଣେ ଘୁ.ଉଦୟଗିରିର ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଆଜି ନୂଆ ଚିହ୍ନଟ ସମସ୍ତେ ପୁରୁଷ। ବୟସ ୧୮ରୁ ୫୬ ବର୍ଷ ମଧ୍ୟରେ ହେବ।

ଚିହ୍ନଟ ୪୮ରୁ ୨୧ ଜଣ ତାମିଲନାଡୁ, ୧୭ କେରଳ, ୬ ଗୁଜୁରାଟ, ୨ ଆନ୍ଧ୍ରପ୍ରଦେଶ ଓ ଜଣେ ତେଲେଙ୍ଗାନା ଫେରନ୍ତା ଅଛନ୍ତି। ଆଜି ସୂଦ୍ଧା ସମୁଦାୟ ୧୩୭ ପଜିଟିଭ୍ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୧୦୭ ଜଣ ଚିକିତ୍ସାଧୀନ ରହିଛନ୍ତି। ସେଥି ମଧ୍ୟରୁ ଜଣେ ଷ୍ଟାପନର୍ସ କିମସ କୋଭିଡ ହସପିଟାଲରେ ଚିକିତ୍ସିତ ଥିବା ବେଳେ ବାକି ୧୦୬ ଜଣ କନ୍ଧମାଳ ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବାହାର ରାଜ୍ୟରୁ କନ୍ଧମାଳକୁ ପ୍ରବାସୀଙ୍କ ଫେରନ୍ତା ସଂଖ୍ୟା ବଢି ଚାଲିଛି। କନ୍ଧମାଳକୁ ଫେରିବାକୁ ୩୦ ହଜାରରୁ ଉର୍ଦ୍ଧ୍ବ ପଞ୍ଜିକରଣ ହେଲାଣି। ସେଥି ମଧ୍ୟରୁ ଗତକାଲି ସୁଦ୍ଧା ୯ ହଜାରରରୁ ଉର୍ଦ୍ଧ୍ବ ଆସିଲେଣି। ବାକି ପଞ୍ଜିକୃତ ୨୧ ହଜାରରୁ ପାଖାପଖି ୧୧ ହଜାର ଜଣ ପ୍ରବାସୀ ଆସିବେ ବୋଲି ପ୍ରଶାସନ ଆଶା ରଖିଛି। ବାକି ଆସି ପାରନ୍ତି ନ ଆସି ପାରନ୍ତି। ଜିଲ୍ଲାକୁ ପ୍ରବାସୀଙ୍କ ଆସିବା ବଢି ଚାଲିଥିବା ବେଳେ ସେହି ଅନୁଯାୟୀ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

Regeneration International

ବିଶେଷତଃ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନରୁ ପ୍ରଥମ ଥର ପାଇଁ ବାହାରିଥିବା ପଜିଟିଭ୍ ସଂଖ୍ୟା ଜିଲ୍ଲାରେ ହୁହୁ ହୋଇ ବଢି ଚାଲିଛି। ଏଥି ଯୋଗୁ ପୁଣି କନ୍ଧମାଳରେ ଲକ୍ କିମ୍ବା ସଟ ଡାଉନ ହେବାର ଆଶଙ୍କା ଦେଖା ଦେଇଛି। ସଂକ୍ରମିତ ସବୁ ବାହାର ରାଜ୍ୟରୁ ଆସିଛନ୍ତି। ସେମାନେ ବିଭିନ୍ନ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଓ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ଆଗକୁ ଆସିବାକୁ ଥିବା ପ୍ରବାସୀ ବି ଆସିଲେ ସେହିଭଳି ରହିବେ। ତେଣୁ ଏଠାରେ ଗୋଷ୍ଠୀ ସଂକ୍ରମଣ ହେବାର ନାହିଁ। ଏଥି ନିମନ୍ତେ ଭୟଭୀତ ନ ହେବାକୁ ଟୁଇଟ୍ ଯୋଗେ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଡା.ବୃନ୍ଦା ଡି। ଏଥି ସହ କରୋନାରୁ ମୁକ୍ତି ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର