ରାଜ୍ୟରେ କରୋନା ଆକ୍ରାନ୍ତ ସାଢ଼େ ୪ ହଜାର ପାର୍

ଦିନକରେ ୧୭୪ ଚିହ୍ନଟ, ସୁସ୍ଥ ହେଲେ ୯୭, ୧୮ଦିନରେ ୨୭୦ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ସାଢ଼େ ୪ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪ ପଜିଟିଭ୍ ଚିହ୍ନଟ ହେବା ଫଳରେ ରାଜ୍ୟରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଚଳିତମାସରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୭୦ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି। ଅପରପକ୍ଷରେ ଆଜି ୯୭ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୮ଟି ଜିଲ୍ଲାରୁ ୧୭୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୬ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ଏହାପରେ ବାଲେଶ୍ବର ୩୪, ପୁରୀ ୧୬, ଖୋର୍ଧା ୧୦, ଯାଜପୁର ୯, ନବରଙ୍ଗପୁର, କେନ୍ଦ୍ରାପଡ଼ାର ୭ଜଣ ଲେଖାଏ, କୋରାପୁଟ, କଳାହାଣ୍ଡିରୁ ୬ଜଣ ଲେଖାଏ, କେନ୍ଦୁଝର ୫, ବରଗଡ଼ ୪, କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ୩ଜଣ ଲେଖାଏ, ବୌଦ୍ଧ ୨, ବଲାଙ୍ଗୀର, ନୂଆପଡ଼ା ଓ ମାଲକାନାଗିରିରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ୧୭୪ ଭିତରେ ୧୪୬ଜଣ ସଙ୍ଗରୋଧ କେନ୍ଦ୍ର ଓ ୨୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ୨୮ଜଣ ସ୍ଥାନୀୟ ସଂକ୍ରମିତ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୭୦ଜଣ ଚିହ୍ନଟ ହୋଇ ସାରିଲେଣି।

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ରୋଗୀଙ୍କ ସଂଖ୍ୟା ୭୫୫‌ରେ ପହଞ୍ଚିଛି। ଏହାବାଦ୍ ଖୋର୍ଧା ୪୦୪, ଯାଜପୁର ୩୫୦, କଟକ ୩୪୬, ବାଲେଶ୍ବର ୨୫୬, ପୁରୀ ୨୦୪, କେନ୍ଦ୍ରାପଡ଼ା ୧୯୩, ଭଦ୍ରକ ୧୮୦, ଜଗତସିଂହପୁର ୧୭୪, ଗଜପତି ୧୬୩, ବଲାଙ୍ଗୀର ୧୪୮, କନ୍ଧମାଳ ୧୪୭, ସୁନ୍ଦରଗଡ଼ ୧୪୦, ମୟୂରଭଞ୍ଜ ୧୨୬, ନୟାଗଡ଼ରେ ୧୧୨ ଆକ୍ରାନ୍ତ ରହିଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଆଜି ୯୭ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ କଟକ ୧୭, ଖୋର୍ଧା ଓ ଗଞ୍ଜାମ ୧୬ଜଣ ଲେଖାଏ, କନ୍ଧମାଳ ୧୪, ୯ ମୟୂରଭଞ୍ଜ ୯, ଯାଜପୁର ୭, ପୁରୀ ୫, ନୟାଗଡ଼ ୪, କେନ୍ଦ୍ରାପଡ଼ା ୩, ବରଗଡ଼ ଓ କେନ୍ଦୁଝର ୨ ଜଣ ଲେଖାଏ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୧୪୪ରେ ପହଞ୍ଚିଛି। ତେବେ କଟକ ଜିଲ୍ଲାରେ ଏବେ ୧୪୫ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏହାବାଦ୍ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୧୯୫, ଗଞ୍ଜାମ ୧୧୩, ଖୋର୍ଧା ୧୦୨ ଓ ପୁରୀରେ ୯୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର