ଏମ୍ସରେ ଉପରେ କମୁନି କୋଭିଡ୍‌ ଚାପ

୭୩୭ କୋଭିଡ ଆକ୍ରାନ୍ତଙ୍କ ସର୍ଜରି, ୧୬୪ ପ୍ରସୂତିଙ୍କ ପ୍ରସବ
ଆସିଲା ଆଉ ୧୫ ଭେଣ୍ଟିଲେଟର

ଭୁବନେଶ୍ବର : ରାଜ୍ୟରେ ସ୍ଥିତ ବିଭିନ୍ନ କୋଭିଡ ଡାକ୍ତରଖାନାରେ ରୋଗୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମାତ୍ର ଏମ୍ସରେ କୋଭିଡ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଦୁଇ ମାସରେ ଦ୍ବିତୀୟ ଲହରରେ ଏଠାରେ କୋଭିଡ ୱାର୍ଡରେ ୧୫୩୬ ଜଣ ଏବଂ ଆଇସିୟୁରେ ୩୮୨ ଚିକିତ୍ସିତ ହୋଇଛି। ୭୩୭ କୋଭିଡ ଆକ୍ରାନ୍ତଙ୍କ ସର୍ଜରି ହୋଇଥିବାବେଳେ ୧୬୪ ପ୍ରସୂତିଙ୍କ ପ୍ରସବ କରାଯାଇଛି। ମ୍ୟୁକରମାଇକୋସିସର ୧୪ ଜଣ ରୋଗୀଙ୍କ ଚିକିତ୍ସା ମଧ୍ୟ ଏଠାରେ କରାଯାଇଛି। ୧୩ ଜଣ ଗୁରୁତର ସ୍ଥିତିରେ ଅନ୍ୟ ଡାକ୍ତରଖାନାରୁ ସ୍ଥାନାନ୍ତର ହୋଇ ଏଠାକୁ ଆସିଛନ୍ତି।

ଆଜି ଏମ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ କୋଭିଡର ପ୍ରଥମ ଲହରରେ (ଗତବର୍ଷ ୧ ଏପ୍ରିଲରୁ ଚଳିତ ବର୍ଷ ୩୦ ଏପ୍ରିଲ ପର୍ଯ୍ୟନ୍ତ) ଏଠାରେ ବିଭିନ୍ନ ୱାର୍ଡରେ ସମୁଦାୟ ୪୨୨୨ ଜଣ ଏବଂ ଆଇସିୟୁରେ ୯୫୩ ଚିକିତ୍ସିତ ହୋଇଥିଲେ। ଦ୍ବିତୀୟ ଲହରରେ ଆକ୍ରାନ୍ତ ବିଶେଷକରି ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରି କୋଭିଡ ୱାର୍ଡ ସଂଖ୍ୟା ୨୭ ଶଯ୍ୟାରୁ ୩୬୨ ଏବଂ ଆଇସିୟୁ ଶଯ୍ୟା ୭୦କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏଠାରେ କୋଭିଡ ଏବଂ ଅଣକୋଭିଡ ପାଇଁ ସମୁଦାୟ ୭୦ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିଲା। ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଜୁନ ମାସରେ ଆଉ ୧୫ ଭେଣ୍ଟିଲେଟର ଲଗାଯାଇଛି। ଏକ ବର୍ଷ ମଧ୍ୟରେ ଏଠାରେ ୨୩୧୬ ସନ୍ଦିଗ୍ଧଙ୍କୁ ଆଇସୋଲେସନ, ୪୦ ହଜାର ୧୫୧ ସ୍କ୍ରିନିଂ କରାଯାଇଛି।

ଆଇସିଏମଆରର ଅନୁମୋଦନରେ ଏଠାରେ ଓଡ଼ିଶା ସହିତ ପଶ୍ଚିମବଙ୍ଗର ଆରଟିପିସିଆର ଟେଷ୍ଟିଂ ହୁଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ସମୁଦାୟ ୧ ଲକ୍ଷ ୧୯ ହଜାର ୯୯୮ ନମୁନା ପରୀକ୍ଷଣ ହୋଇଛି। ଏହା ସହିତ ୨୫୦ରୁ୩୦୦ ସ୍ଥାନୀୟ ଅଧିବାସୀଙ୍କ ଆରଟିପିସିଆର ପରୀକ୍ଷଣ ହୁଏ। କୋଭିଡ ଚିକିତ୍ସା ପାଇଁ ଏଠାରେ ୩୫୦ ନର୍ସିଂ ଅଫିସର, ଆବାସିକ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଟେଲି ନର୍ସିଂ ସର୍ଭିସ, ୱେବ୍‌ ସାଇଟ ଜରିଆରେ ଏଠାରେ ଭର୍ତ୍ତି ରୋଗୀ ରୋଗର ସ୍ଥିତି ନେଇ ଅବଗତ ହେଉଛନ୍ତି।

ସମ୍ବନ୍ଧିତ ଖବର