ଆଗାମୀ ୨୧ରୁ ବିନା କୋଭିଡ ପରୀକ୍ଷାରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆଗାମୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି। ଧୀରେ ଧୀରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରଶାସନ ପ୍ରସ୍ତୁତ ହୋଇଛି। ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ତେବେ ଜାନୁଆରି ୨୧ ତାରିଖଯାଏ ପୂର୍ବ ଏସଓପି ଜାରି ରହିବ। ଏହାସହ ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ୭ଟା ଯାଏଁ ଦର୍ଶନ ସୁବିଧା ଦିଆଯିବ। ଏହାଛଡ଼ା ବରିଷ୍ଠ ନାଗରିକଙ୍କ ପାଇଁ ହେବ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହେବ। ଅପରପକ୍ଷରେ ରବିବାର ଦର୍ଶନ ବନ୍ଦ ରହିବ। କିନ୍ତୁ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର କଟକଣା ବଳବତ୍ତର ରହିବ। ଏଣେ ଖରା ବଢ଼ୁଥିବାରୁ ପିଇବା ପାଣିର ଅଧିକ ବ୍ୟବସ୍ଥା କରାଯିବ ଓ ବିଶ୍ରାମ ପାଇଁ ଅଧିକ ସେଡ ଲାଗିବ ବୋଲି କ୍ରିଷନ କୁମାର ସୂଚନା ଦେଇଛନ୍ତି।

ଦୀର୍ଘଦିନ ହେବ କରୋନା ମହାମାରୀ ପାଇଁ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ହେଲେ ରାଜ୍ୟର କରେନା ସ୍ଥିତି ଟିକେ ସ୍ୱାଭାବିକ ହେବା ପରେ ଡିସେମ୍ବର ୨୩ ତାରିଖରୁ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ। କୋଭିଡ କଟକଣା ଭିତରେ ସମସ୍ତ ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇ ନଥିଲା। ଯେଉଁମାନେ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଉଥିଲେ ସେହିମାନଙ୍କୁ କେବଳ ଦର୍ଶନର ସୁବିଧା ମିଳୁଥିଲା। ହେଲେ ଏନେଇ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ କୋଭିଡ୍ ଟେଷ୍ଟ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସମ୍ଭବ ହୋଇପାରୁ ନଥିଲା।
ଏହାର ସମାଧାନ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହୋଇଥିବା ଏସଓପିରେ କିଛି ପରିବର୍ତ୍ତନ କରାଯାଇ ଚଳିତ ମାସ ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର