ମନ୍ଦିର ପାଇଁ କୋଭିଡ୍‌ ରିପୋର୍ଟ ଯୁକ୍ତିସଙ୍ଗତ ତ?

ଅଧିକାରୀଙ୍କ ମନମାନି, ଭକ୍ତ ମହଲରେ ଅସନ୍ତୋଷ

ଭୁବନେଶ୍ବର: ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ପ୍ରବେଶ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟର ସର୍ତ ରଖି ନାହାନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ, ମଲ୍‌, ଭୋଜି, ରାଜନୈତିକ ସଭାସମିତିରେ କୋଭିଡ୍‌ ରିପୋର୍ଟ ଦେଖାଇବାକୁ ପଡ଼ୁନି। କିନ୍ତୁ ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବା ଧାର୍ମିକ ପୀଠରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯିବା ପ୍ରସ୍ତାବକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ବାସ୍ତବ ପରିସ୍ଥିତି ସହ ଆଦୌ ଅବଗତ ନ ଥାଇ ଏମିତି କଟକଣା ଜାରି କରୁଥିବା ଅଧିକାରୀମାନଙ୍କ ମନମାନିକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଲା ବେଳେ ମନ୍ଦିର ପ୍ରଶାସନ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହେବ ବୋଲି ଏକ ସର୍ତ୍ତ ରଖିଛି। ଏହି ମର୍ମରେ ଏସ୍‌ଓପି ଜାରି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା ପରେ ସେହି ଧାରାରେ ଚାଲିଲା ଭୁବନେଶ୍ବର ମହାନଗର ନିଗମ। ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ମଧ୍ୟ କୋଭିଡ୍‌ ରିପୋର୍ଟକୁ ବାଧ୍ୟତାମୂଳକ କରିଛି ବିଏମ୍‌ସି। ଆଗକୁ ଏହି ଧାରା ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିରର ପରିଚାଳନା ସଂସ୍ଥା ଚାଲିବାର ସମ୍ଭାବନା ରହିଛି। କିନ୍ତୁ କୋଭିଡ୍‌ ନେଗେଟିଭ୍ ରିପୋର୍ଟ କେତେଦୂର ଯୁକ୍ତିସଙ୍ଗତ ଓ ବାସ୍ତବବାଦୀ, ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

ସରକାରୀ ଡାକ୍ତରଖାନାରେ ଅଯଥା ଭିଡ଼ ବଢ଼ିବ
ଘରୋଇ ଲାବ୍‌କୁ ଗଲେ ଲୋକେ ଖର୍ଚ୍ଚାନ୍ତ ହେବେ

ମନ୍ଦିରରେ ପ୍ରବେଶ ପାଇଁ ନିଶ୍ଚିତ ଭାବେ କୋଭିଡ୍‌ ନିୟମାବଳୀ ମାନିବା ଆବଶ୍ୟକ। ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ସାମାଜିକ ଦୂରତା, ସାନିଟାଇଜ୍‌ ଆଦି କଟକଣାକୁ ଆହୁରି ଢେର୍‌ ଦିନ ମାନିବାକୁ ପଡ଼ିବ। ଯେହେତୁ ମନ୍ଦିରରେ ଭିଡ଼ ଜମିବ, ତେଣୁ ଏସବୁ ନିୟମକୁ କଡ଼ାକଡ଼ି ପାଳନ ନେଇ କାହାରି ଆପତ୍ତି ନାହିଁ। କିନ୍ତୁ ଏହି ଆଳରେ ଶ୍ରଦ୍ଧାଳୁଙ୍କ ଉପ‌ରେ ଅବାସ୍ତବ କଟକଣା ଲଦି ଦେବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯେହେତୁ ମନ୍ଦିର ପ୍ରବେଶ ପାଇଁ କୋଭିଡ୍‌ ରିପୋର୍ଟ ମଗାଯିବ, ତେଣୁ ଆସନ୍ତା ମାସରେ କୋଭିଡ୍‌ ‌େଟଷ୍ଟ୍‌ ପାଇଁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ଗହଳି ଆରମ୍ଭ ହୋଇଯିବ। ଲକ୍ଷଣ ନ ଥିଲେ ବି ଲୋକ ଲାଇନ୍‌ରେ ଠିଆ ହୋଇ କୋଭିଡ୍‌ ଟେଷ୍ଟ କରାଇବେ। ଥରେ ଟେଷ୍ଟ୍‌ କରିବା ପାଇଁ ଯିବେ ଓ ପୁଣି ଥରେ ରିପୋର୍ଟ ପାଇଁ ଯିବେ। ଶ୍ରୀମନ୍ଦିର କିମ୍ବା ଲିଙ୍ଗରାଜ ମନ୍ଦିର ଯିବାକୁ ହେଲେ କୋଭିଡ୍‌ ଟେଷ୍ଟ ପାଇଁ ଗୋଟିଏ ଦିନ ଅପଚୟ ହେବା ନିଶ୍ଚିତ। ଯଦି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନ ଯିବେ, ତେବେ ଘରୋଇ ପାଥୋ ଲାବ୍‌କୁ ଗଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ବର୍ତ୍ତମାନ ଆଣ୍ଟିଜେନ୍‌ ‌େଟଷ୍ଟ୍ ପାଇଁ ୪୫୦ ଓ ଆର୍‌ଟିପିସିଆର୍‌ ପାଇଁ ୪୦୦ ଟଙ୍କା ଦେବାକୁ ପଡ଼ୁଛି। କେବଳ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବାକୁ ଏତିକି ଟଙ୍କା ଗଣିବାକୁ ପଡ଼ିବ। ପୁଣି ପରିବାର ସହ ଗଲେ କୋଭିଡ୍‌ ଟେଷ୍ଟ୍‌ ପାଇଁ ଆହୁରି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ଯଦି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଅନ୍ୟ ପ୍ରମୁଖ ମନ୍ଦିରରେ କଟକଣା ଜାରି ହୁଏ, ତେବେ ଲୋକମାନେ କେବଳ ହନ୍ତସନ୍ତ ହେବା ଥୟ। ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍‌ ଟେଷ୍ଟ୍‌ କଲା ବେଳେ କେତେ ସମୟ ଯାଏ ଓ କିପରି ସମସ୍ୟା ଭୋଗିବାକୁ ହୁଏ, ତାହା ସମ୍ଭବତଃ ନିୟମ କରୁଥିବା ଅଧିକାରୀମାନେ ‌କେବେ ଅନୁଭବ କରିନାହାନ୍ତି। ତାହା ଜାଣିଥିଲେ ହୁଏତ ସାଧାରଣ ଶ୍ରଦ୍ଧାଳୁମାନଙ୍କୁ ଏପରି ସମସ୍ୟା ଭିତରକୁ ଠେଲିବାକୁ ଆସ୍ପର୍ଦ୍ଧା କରି ନ ଥା’ନ୍ତେ। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମାଇବା ପାଇଁ ପ୍ରଶାସନ କୋଭିଡ୍‌ ନେଗେଟିଭ୍ ରିପୋର୍ଟର କଟକଣା ଲାଗୁ କରିଥିବା କୁହାଯାଉଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଅନ୍ୟ ବାଟ ଆପଣାଇପାରିବ ପ୍ରଶାସନ। କିନ୍ତୁ ଶ୍ରଦ୍ଧାଳୁଙ୍କୁ ହସ୍ପିଟାଲ୍‌, ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଇନ୍ ଲଗାଇବାକୁ ବାଧ୍ୟ କରାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଉଛି।

ଉଭୟ ପୁରୀ ଓ ଭୁବନେଶ୍ବରରେ ଯେତିକି ଦିନ କେବଳ ସ୍ଥାନୀୟ ଲୋକଙ୍କୁ ସୁଯୋଗ ମିଳିବ, ସେତିକି ଦିନ ସେମାନେ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟ କରାଯାଇ ନାହିଁ। କିନ୍ତୁ ଯେବେ ଠାରୁ ବାହାରର ଶ୍ରଦ୍ଧାଳୁ ଆସିବେ, ସେମାନଙ୍କୁ କୋଭିଡ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ। ସେହି ସମୟରେ ସ୍ଥାନୀୟ ଲୋକଙ୍କ ପାଇଁ କୋଭିଡ୍‌ ରିପୋର୍ଟ ଆବଶ୍ୟକ କି ନାହିଁ, ତାହା ସ୍ପଷ୍ଟ କରାଯାଇ ନାହିଁ। ସ୍ଥାନୀୟ ଲୋକଙ୍କ ପାଇଁ ଗୋଟିଏ ଓ ବାହାର ଲୋକଙ୍କ ପାଇଁ ଆଉ ଗୋଟିଏ ନିୟମ କରି ପ୍ରଶାସନ ଅଯଥାରେ ବିବାଦର ମଞ୍ଜି ବୁଣୁଛି ବୋଲି ସଚେତନ ନାଗରିକମାନେ ମତ ‌େଦଇଛନ୍ତି।

ଲିଙ୍ଗରାଜ ମନ୍ଦିର କ୍ଷେତ୍ରରେ ଆଉ ଏକ ଉଦ୍ଭଟ କଥା ଦେଖିବାକୁ ମିଳିଛି। ମନ୍ଦିରରେ ପ୍ରବେଶର ପୂର୍ବ ପାଞ୍ଚ ଦିନ ମଧ୍ୟରେ କୋଭିଡ୍‌ ରିପୋର୍ଟ ଦେଖାଇବାକୁ କୁହାଯାଇଛି। କିନ୍ତୁ ୪ ଦିନ ତଳେ ଯେଉଁ ଲୋକ ନେଗେଟିଭ୍ ରିପୋର୍ଟ ପାଇଥିବ, ତାହାର ପର ଦୁଇ ତିନି ଦିନ ଭିତରେ ସଂକ୍ରମଣ ହୋଇ ନ ଥିବ ବୋଲି କିଏ ଗ୍ୟାରେଣ୍ଟି ଦେବ ? ଏହା କେବଳ ଉପର ଠାଉରିଆ ନିୟମ ବୋଲି ଚର୍ଚ୍ଚା ଚାଲିଛି। ଭଗବାନ ଓ ଭକ୍ତଙ୍କ ମଧ୍ୟରେ କରୋନା ଏକ ବଡ଼ ବ୍ୟବଧାନ ସୃଷ୍ଟି କରିଥିଲା। ପାଖାପାଖି ୯ ମାସ ମନ୍ଦିରର ଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ରହିଲା। ଏବେ ପୁଣି ଖୋଲିବା ସମୟରେ ପ୍ରଶାସନିକ ଅଧିକାରୀମାନଙ୍କର ଏପରି ସର୍ତ୍ତ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି। ସରକାର ଏ ଦିଗରେ ଯୁକ୍ତିସଙ୍ଗତ ଓ ବାସ୍ତବବାଦୀ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ଉଠୁଛି।

ସମ୍ବନ୍ଧିତ ଖବର