ଭୁବନେଶ୍ବର : କରୋନା ସଂକ୍ରମଣ ଉପରମୁହାଁ ହେଉଥିବାରୁ ରାଜ୍ୟ ସରକାର ଆଜି ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ‌ରେ ଉକ୍ତ ‌ଦୁଇ ଶ୍ରେଣୀ ପାଠପଢ଼ା ବନ୍ଦ ରହିବ। ତେବେ ମେ’ ମାସରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ସେମାନଙ୍କ କ୍ଲାସ ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିବ। ଏହି ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ନିର୍ଦେଶକମାନଙ୍କୁ ନିର୍ଦେଶ ଦେଇଛନ୍ତି।

Advertisment

ଶ୍ରୀ ସାହୁ କହିଛନ୍ତି ଯେ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା ତୁରନ୍ତ ବନ୍ଦ କରାଗଲା। ହଷ୍ଟେଲ/ରେସିଡେନ୍ସିଆଲ୍ ସ୍କୁଲଗୁଡ଼ିକରେ ରହୁଥିବା ଉକ୍ତ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରିଯାଆନ୍ତୁ। ସ୍କୁଲ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବା ସହ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବେ। ଆବଶ୍ୟକ ସ୍ଥଳେ ବିଦ୍ୟାଳୟଗୁଡ଼ିକ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ କ୍ଲାସ୍ ନେବାକୁ କୁହାଯାଇଛି। ଦଶମ ଓ ଦ୍ବାଦଶ(ଯୁକ୍ତ୨ ଦ୍ବିତୀୟ ବର୍ଷ) ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବଭଳି ଚାଲିବ। ‌ତେଣୁ ସ୍କୁଲଗୁଡ଼ିକରେ କୋଭିଡ୍‌ କଟକଣା ପାଳନ ଯଥା ବିଦ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା, ହାତର ସ୍ବଚ୍ଛତା ସୁନିଶ୍ଚିତ କରିବା ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଏପ୍ରିଲ ୨୨ରୁ ୨୪ ପର୍ଯ୍ୟନ୍ତ କରିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ପାଠପଢ଼ା ବନ୍ଦ ରହିଥିବାରୁ ପରୀକ୍ଷା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଭଲ ନିଷ୍ପତ୍ତି ନେଇଛନ୍ତି। ତେବେ ପରୀକ୍ଷା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ଯେ‌ତେବେଳେ କି ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୬୦% ସିଲାବସ୍‌ ପାଠପଢ଼ା ସରିଛି। ଛାତ୍ରଛାତ୍ରୀ କ୍ଲାସରୁମ୍‌ ଶିକ୍ଷା ଗ୍ରହଣ କରିଛନ୍ତି। ତେଣୁ ପରୀକ୍ଷା କରାଯାଇ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କ୍ଲାସ ପ୍ରମୋସନ ଦିଆଯାଉ। ନ ହେଲେ ଏକ ଖରାପ ପରମ୍ପରା ସୃଷ୍ଟି ହେଉଛି। ଆଶା କରୁଛି ରାଜ୍ୟ ସରକାର ଏଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ। ପରୀକ୍ଷା ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବୁ।

ସରକାରୀ ଅଫିସ୍‌ ପ୍ରବେଶରେ କଟକଣା
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବାରୁ ସରକାରୀ ଅଫିସ୍‌ରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭୁବନେଶ୍ବର ଓ କଟକ ସହର ସମେତ ଯେଉଁ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ଅଧିକ ରହୁଛି, ସେଠାରେ ଏମିତି କଟକଣା ଲାଗୁ ହେବ। ଯଦି କୌଣସି ଜରୁରି କାମ ଥିବ, ତେବେ ଅଫିସ୍‌ର ବରିଷ୍ଠ ଅଧିକାରୀଙ୍କ ଅନୁମତି ନେଇ ସାଧାରଣ ଲୋକ ଭିତରକୁ ଯାଇପାରିବେ। ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଇ-ଅଭିଯୋଗ ପୋର୍ଟାଲ୍‌ର ବହୁଳ ବ୍ୟବହାର ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି। ସରକାରୀ ଅଫିସ୍‌ଗୁଡ଼ିକରେ ବୈଠକ ଯଥାସମ୍ଭବ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅତ୍ୟନ୍ତ ଜରୁରି ନ ଥିବ, ତେବେ ଅନ୍‌ଲାଇନ୍ ମାଧ୍ୟମରେ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି। ସିଧାସଳଖ ବୈଠକ ହେଉଥିଲେ ପରସ୍ପର ମଧ୍ୟରେ ଅତି କମ୍‌ରେ ୨ ମିଟର୍‌ ବ୍ୟବଧାନ ରଖାଯିବା ବାଧ୍ୟତାମୂଳକ। ସମସ୍ତ ପ୍ରଶାସନିକ ବିଭାଗ ନିଜ ନିଜ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ କୋଭିଡ୍‌ ନିୟମାବଳୀ ଠିକ୍ ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଛି।