ଭୁବନେଶ୍ୱର : କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନ୍କୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତୃତୀୟ ଲହରର ପ୍ରତିରୋଧ ନିମନ୍ତେ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଯେପରି ଅଣାୟତ୍ତ ନହେବ ସେଥିପାଇଁ କୋଭିଡ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତେ ଯେପରି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ, ସାନିଟାଇଜର୍ ବ୍ୟବହାର କରିବେ ତାହାକୁ କଡ଼ାକଡ଼ି ପାଳନ କରାଯିବ। ଯିଏ ନିୟମ ମାନିବେନି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ବେଳେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏବେ ସ୍କୁଲ, କଲେଜରେ ପାଠପଢ଼ା ଆରମ୍ଭ ହୋଇଛି। ସବୁ ଦୋକାନ ବଜାର ଖୋଲିଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି । ଜୀବିକା ନିର୍ବାହ ସହ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି। ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ। ତୃଣମୂଳସ୍ତରରୁ ଯେପରି କୋଭିଡ ଆକ୍ରାନ୍ତଙ୍କୁ ସଙ୍ଗେସଙ୍ଗେ ଚିହ୍ନଟ କରାଯିବ, ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ। ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଞ୍ଚାୟତସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବିଷୟରେ ଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିଲେ ବା ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ଏହାସହ ଘରକୁ ଘର ବୁଲି କୋଭିଡ ଟିକାକରଣକୁ ଅଧିକ ତ୍ବରାନ୍ବିତ କରିବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2021/11/vo.jpg)
ଏଥିରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଥିଲେ, କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି। କୋଭିଡ୍ ଟିକାକରଣରେ ଆଗୁଆ ହୋଇ ସେହି ସୁନାମ ବଜାୟ ରଖିବା ପାଇଁ ଗ୍ରାମସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା କହଥିଲେ ଯେ କେତେକ ଦେଶରେ କୋଭିଡର ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି। ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି। ତେଣୁ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ। କୋଭିଡ୍ ପରୀକ୍ଷା କଲାବେଳେ ସମସ୍ତ ଆକ୍ରାନ୍ତଙ୍କର ‘ଜିନମ୍ ସିକ୍ବେନସିଂ’ କରାଇବା ପାଇଁ ମଧ୍ୟ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଏହି ବୈଠକରେ କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ ନେଇ ଆଲୋଚନା ହୋଇଥିଲା। ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଯେପରି ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବନି ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା।
ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟଯୋଜନା ଏବଂ ଅନୁକମ୍ପା ରାଶି ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।