ଫେବ୍ରୁଆରି ୨୧ରୁ ବିନା କୋଭିଡ ପ୍ରମାଣପତ୍ରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ, ଏସ୍‌ଓପି ଜାରି

ପୁରୀ : ସର୍ବସାଧାରଣଙ୍କ ଦର୍ଶନ ପାଇଁ ଫେବ୍ରୁଆରି ୧ରୁ ଶ୍ରୀମନ୍ଦିର ଖୋଲିଛି। କିନ୍ତୁ ପୂର୍ବ କଟକଣା ବଳବତ୍ତର ରହିଛି। କୋଭିଡ୍‌ କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ଆଗାମୀ ୨୧ ତାରିଖ ଠାରୁ ଶ୍ରୀମନ୍ଦିରରୁ କୋଭିଡ କଟକଣା ଉଠିବ। ଏଥି ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଶ୍ରୀମନ୍ଦିର ପ୍ରବେଶ କରିବା ପାଇଁ ଆଉ କୋଭିଡ ଟିକାର ପ୍ରମାଣପତ୍ର ଦରକାର ପଡ଼ିବ ନାହିଁ। ସେହିଭଳି ଶ୍ରଦ୍ଧାଳୁ ବିନା ଆରଟିପିସିଆର ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ।  ବିଶୋଧନ ଓ ଭିଡ଼ ଏଡ଼ାଇବା ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ।  ରାତ୍ରକାଳୀନ କର୍ଫ୍ୟୁ ଯୋଗୁ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଏନେଇ ଗତ ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଜି ଏସ୍‌ଓପି ଜାରି ହୋଇଛି। ଶ୍ରୀମନ୍ଦିରରେ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଲାଇନ୍‌ ହେବ। ଏନେଇ ସ୍ବତନ୍ତ୍ର ଆଦେଶନାମା ଜାରି ହେବ।

ସୂଚନାଯୋଗ୍ୟ, ବର୍ତ୍ତମାନ ପରୀପ୍ରେକ୍ଷିରେ କୋଭିଡ କଟକଣା ମଧ୍ୟରେ ଶ୍ରୀନ୍ଦିରରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ଭକ୍ତମାନେ ୯୬ ଘଣ୍ଟା ଭିତରର ଆର୍‌ଟିପିସିଆର୍‌ ରିପୋର୍ଟ କିମ୍ବା କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରଛନ୍ତି। ଫେବ୍ରୁଆରି ମାସରେ ୪ଟି ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରୁଛନ୍ତି। କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି। ସମସ୍ତ ଭକ୍ତ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।

ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଛି। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶରେ ବି କଟକଣା ଜାରି କରାଯାଇଛି। ଭକ୍ତମାନେ ପୂର୍ବଭଳି ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବାକୁ ଅନୁମତି ମିଳୁଛି। ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍‌ଖା ସେବନରେ ବି କଟକଣା ଜାରି ହୋଇଛି। ଅମାନିଆଙ୍କୁ ୫ଶହ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ୍‌ ବ୍ୟବହାର ବି ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର