କୋରାପୁଟରେ କରୋନା କଟକଣା: ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମାନୁଷ୍ଠାନ ବନ୍ଦ 

କୋରାପୁଟ: କୋରାପୁଟ ଜିଲ୍ଲାକୁ ପୁଣି ଫେରିଛି ବନ୍ଦ। ଆଜି ଅନିର୍ଦ୍ଧିଷ୍ଟ କାଳ ଜିଲ୍ଲାରେ ରହିଥିବା ସବୁ ଧର୍ମାନୁଷ୍ଠାନକୁ ବନ୍ଦ କରିଛନ୍ତି କୋରାପୁଟ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଚିଠି ନମ୍ବର ୬୧/୨୦୨୦ ଅନୁସାରେ ଆଜିଠା‌ରୁ ଜିଲ୍ଲାରେ ରହିଥିବା ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ବାର ପରି ଧର୍ମାନୁଷ୍ଠାନ ସବୁକୁ ବନ୍ଦ ରଖିବା ସହ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। କୌଣସି ଧର୍ମାବଲମ୍ବୀଙ୍କୁ ଧର୍ମାନୁଷ୍ଠାନ ମଧ୍ୟକୁ ପ୍ରବେଶ କରିବା, ଧର୍ମଉପାସନା କରିବା ଇତ୍ୟାଦିକୁ ବନ୍ଦ କରାଯାଇଛି। ଅତି ଜରୁରୀ ରୀତିନିତିକୁ ପୂଜକ/ଇମାମ୍‌/ପ୍ରିଷ୍ଟଙ୍କ ସହ ମୋଟ ୫ ଜଣ କରିବାକୁ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ନିର୍ଦ୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟା ୬ଟାରୁ ଏହା ଲାଗୁ କରାଯାଇଛି।

ଅନ୍ୟପକ୍ଷରେ ଆଜି କୋରାପୁଟ ଜିଲ୍ଲାରେ ୧୬୧ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ଜିଲ୍ଲାରେ ୪୯୪ଜଣ କରୋନା ସହ ଲଢୁଛନ୍ତି। ଏବେ ଯାଏ ଜିଲ୍ଲାରେ ୧୯ହଜାର୬୭୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇସାରିଥିବାବେଳେ ୧୯ହଜାର ୧୦୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି।  ଆଜି ଜୟପୁର ପୌରାଞ୍ଚଳରୁ ୫୦ଜଣ, କୋରାପୁଟ ପୌରପାଳିକାରୁ ୧୫ଜଣ, କୋଟପାଡ‌ ପୌରାଞ୍ଚଳରୁ ୪ଜଣ, ସୁନାବେଢା ପୌରାଞ୍ଚଳରୁ ୧୮ଜଣ, ବନ୍ଧୁଗାଁରୁ ୨ଜଣ ବୈପାରିଗୁଡାରୁ ୨ଜଣ, ବୋରିଗୁମ୍ମାରୁ ଜଣେ, ଦଶମନ୍ତପୁରରୁ ଦୁଇ ଜଣ, ଜୟପୁର ବ୍ଲକରୁ ୨୫ଜଣ, କୋରାପୁଟରୁ ୧୯ଜଣ, କୁନ୍ଦୁରାରୁ ଜଣେ, ଲମତାପୁଟରୁ ୮ଜଣ, ଲକ୍ଷ୍ମୀପୁରରୁ ୬ଜଣ, ନନ୍ଦପୁରରୁ ଜଣେ, ପଟାଙ୍ଗୀରୁ ୫ଜଣ ଓ ସେମିଳିଗୁଡାରୁ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୩ଜଣ ପୁରୁଷ ଓ ୪୮ଜଣ ମହିଳା ରହିଛନ୍ତି।

ସମ୍ବନ୍ଧିତ ଖବର