ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଦ୍ବୈତନଗରୀରେ ତତ୍ପରତା : କଠୋର ହେବ କୋଭିଡ୍ କଟକଣା

ଜଗିବେ ଆଉ ୫ ପ୍ଲାଟୁନ୍‌ ଫୋର୍ସ, ୫୦ ଅଧିକାରୀ, ସମସ୍ତଙ୍କୁ ପିପିଇ କିଟ୍‌, ଫେସ୍‌ ସିଲ୍ଡ

ଭୁବନେଶ୍ୱର/କଟକ : କୋଭିଡ୍‌-୧୯ ନିୟମ ପାଳନ ନେଇ କମିସନରେଟ୍‌ ପୁଲିସର କାର୍ଯ୍ୟାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ପରେ ପୁଲିସ ଆଜି ତତ୍ପର ହୋଇଉଠିଛି। କଟକ-ଭୁବନେଶ୍ବର ଦୈତନଗରୀରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଆଜି ପୁଲିସ ଡିଜି ଅଭୟ ଭିଡିଓ କନ୍‌ଫରେନ୍ସିଂରେ ସମୀକ୍ଷା କରିବା ଅବସରରେ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭୁବନେଶ୍ୱର କମିସନରେଟ୍‌ ପୁଲିସ ଅଞ୍ଚଳକୁ ୩ଟି ଜୋନ୍‌ରେ ବିଭକ୍ତ କରି ଚଢ଼ଉ ଜୋରଦାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳ ସବୁକୁ ଜଣେ ଜଣେ ଡିସିପିଙ୍କୁ ଦାୟିତ୍ବ ଦିଆଯିବ। ବିଭିନ୍ନ ସମ୍ବେଦନଶୀଳ ଜାଗା ବୁଲି କାର୍ଯ୍ୟାନୁଷ୍ଠାନ ସହ ସଚେତନ କରିବାକୁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ଏଥିପାଇଁ ଅଧିକ ୫ ପ୍ଲାଟୁନ୍‌ ଫୋର୍ସ ଓ ୫୦ଅଫିସର୍‌ ଯୋଗାଇଦେବା ପାଇଁ ଡିଜି ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ସମୟରେ ସିଧାସଳଖ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ପିପିଇ କିଟ୍‌ ଓ ଫେସ୍‌ସିଲ୍ଡ ଯୋଗାଇ ଦିଆଯିବ। କମିସନରେଟ୍‌ ପୁଲିସ ଏହି ସବୁକୁ ରାଜ୍ୟ ସେଣ୍ଟ୍ରାଲ ଷ୍ଟୋର୍‌ରୁ ସଂଗ୍ରହ କରିବ ଓ ଏ ସବୁ ବ୍ୟବହାର କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଡିଜି କହିଛନ୍ତି।

ଏହାଛଡ଼ା ହଜାରରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ କୋଭିଡ୍‌ ସଂକ୍ରମିତ ହେଲେଣି। ଏହି ସଂଖ୍ୟା ବଢ଼ି ବଢ଼ି ଯାଉଥିବାରୁ ଚିନ୍ତା ବଢ଼ିଛି। ଅନ୍ୟ କର୍ମଚା‌ରୀମାନେ ମଧ୍ୟ ଭୟଭୀତ ହେଉଛନ୍ତି। ଏଣୁ ସଂକ୍ରମିତ କର୍ମଚାରୀ ବା ଅଧିକାରୀ ଯେଭଳି ଉତ୍ତମ ସେବା ପାଇପାରିବେ, ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ସେମାନଙ୍କର ଯେଭଳି ଉଚିତ ଯତ୍ନ ନିଆଯିବ, ତାହା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ଡିଜି ଅଭୟ। ବୈଠକରେ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଆଇଜି(ଆଇନ ଶୃଙ୍ଖଳା) ଏସ୍‌ ପ୍ରବୀଣ କୁମାର, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

କଟକ ସହରରେ ନିୟମ କଡାକଡି ପାଳନ ପାଇଁ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇଛି। ପ୍ରତି ଥାନାରେ ଗୋଟିଏ ସ୍କ୍ୱାଡ ରହିବ। ଥାନା ଆଇଆଇସି ସ୍କ୍ୱାଡର ମୁଖ୍ୟ ରହିବେ। ଏହି ସ୍କ୍ୱାଡରେ ଗୋଟିଏ ସେକ୍ସନ ଓଏସଏପି ପୁଲିସ ଫୋର୍ସ ନିୟୋଜିତ ହେବେ। ସହରରେ ଅଧିକ ୨୦ ପୁଲିସ ଅଫିସର ନିୟୋଜିତ ହେବେ। ସେମାନଙ୍କୁ ସହଯୋଗ କରିବାକୁ ୮ ପ୍ଲାଟୁନ ଅତିରିକ୍ତ ପୁଲିସ ଫୋର୍ସ ଆସନ୍ତାକାଲିଠାରୁ ନିୟୋଜିତ ହେବାକୁ ଯାଉଛନ୍ତି।

ଡିଜିଙ୍କ ସମୀକ୍ଷା ପରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ଡିସିପି, ଅତିରିକ୍ତ ଡିସିପି, ଏସିପି ଓ ସମସ୍ତ ଆଇଆଇସିଙ୍କ ସହ ଆଲୋଚନା କରିଛନ୍ତି। ଯେଉଁ ଦୋକାନୀ ନିୟମ ମାନୁନାହାନ୍ତି, ସେହି ଦୋକାନ ସବୁ ବନ୍ଦ କରିବା ପାଇଁ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯିବ। ଭିଡ଼ ସମୟରେ ଏହି ସ୍କ୍ବାଡ୍‌ ଦୋକାନଗୁଡ଼ିକରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

କମିସନର ସୂଚନା ଦେଇଛନ୍ତି ଯେ ପୂର୍ବରୁ ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଞ୍ଚଳକୁ ତିନୋଟି ଜୋନ୍‌ରେ ଭାଗ କରାଯାଇଛି। ଏଥିରେ ଚିହ୍ନଟ ୨୪ଟି ସମ୍ବେଦନଶୀଳ ଜାଗାରେ ୨୪ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୩ ଜଣ ଡିସିପି ଏହାକୁ ତଦାରଖ କରୁଛନ୍ତି। ତେବେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଆସୁଥିବା ୫୦ ଅଫିସର୍‌ଙ୍କୁ ମଧ୍ୟ ଏଥିରେ ନିୟୋଜିତ ହେବେ। ଏବେ ୧୪ସେକ୍ସନ ଫୋ‌ର୍ସ ଲାଗିଥିବା ବେଳେ ଆଉ ୫ପ୍ଲାଟୁନ୍‌ ଫୋର୍ସ ମଧ୍ୟ ମୁତୟନ କରାଯିବ। ଜୋନ୍‌ ଏସିପି ନିଜ ନିଜ ଅଞ୍ଚଳରେ ସମ୍ବେଦନଶୀଳ ଜାଗା ଚିହ୍ନଟ କରିବା ସହ ଟିମ୍‌ ଗଠନ କରି ଚଢ଼ଉ କରିବେ। ସକାଳୁ ରାତି ପର୍ଯ୍ୟନ୍ତ ଏହି ଟିମ୍‌ଗୁଡ଼ିକ କାମ କରିବ। ଏହି ଜାଗାଗୁଡ଼ିକ ମଧ୍ୟରେ ଏକ ନମ୍ବର ହାଟ, ମାର୍କେଟ୍‌ ବିଲ୍ଡିଂ, ସୁନ୍ଦରପଦା ହାଟ, ଭିଏସ୍‌ଏସ୍‌ ନଗର ହାଟ, ପଳାସୁଣି, ଇନ୍ଦ୍ରଧନୁ ମାର୍କେଟ୍‌, ପ୍ରିୟଦର୍ଶିନୀ ମାର୍କେଟ୍‌, ପଟିଆ ହାଟ ପ୍ରମୁଖ ରହିଛି।

ଡିଜିଙ୍କ ସମୀକ୍ଷା ପରେ ଭୁବନେଶ୍ବରରେ ଚଢ଼ଉ ଜୋରଦାର ହୋଇଛି। ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନରେ ଅମାନିଆଙ୍କ ସଂଖ୍ୟା ଅଧିକ ଥିବା ପରିଲକ୍ଷିତ ହୋଇଛି। ବାପୁଜୀନଗରରେ ଏକ ଦୋକାନକୁ ସିଲ୍‌ ମଧ୍ୟ କରାଯାଇଛି। ଗତକାଲି ହୋଇଥିବା ଚଢ଼ଉରେ ସାମାଜିକ ଦୂରତା ପାଇଁ ୧୧୩୬ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ମାସ୍କ ପାଇଁ ୧୨୨ଜଣ ତଣ୍ଡ ଗଣିଛନ୍ତି।

ସମ୍ବନ୍ଧିତ ଖବର