ଭଞ୍ଜନଗରରେ ଭୁଲିଗଲେଣି ମାସ୍କ୍, ସାମାଜିକ ଦୂରତା
ଦଣ୍ଡନାଚ ପାଇଁ ସୁରତରୁ ଆସିବେ ପ୍ରବାସୀ, ବଢ଼ିଲା ଚିନ୍ତା
ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଗତବର୍ଷ ତାଣ୍ଡବ ରଚାଇଥିଲା କରୋନା ମହାମାରୀ। ଶତାଧିକ ଜୀବନ ଅକାଳରେ ଝଡ଼ି ଯାଇଥିବା ବେଳେ ଅନେକ ନିଜର ଜୀବନଜୀବିକା ହରାଇ ବେସାହାରା ପାଲଟିଥିଲେ। ତେବେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି କରୋନା ଯୋଦ୍ଧାଙ୍କ ଆପ୍ରାଣ ଉଦ୍ୟମ ଓ ବଳିଦାନ ଅତୁଳନୀୟ ଥିଲା। ବ୍ୟାପକ ପଦକ୍ଷେପ ଗ୍ରହଣ ସାଙ୍ଗକୁ କଟକଣାକୁ କଡ଼ାକଡ଼ି ପାଳନ କରିବା ପରେ ଗତବର୍ଷ ଅକ୍ଟୋବର ମାସଠୁ ସ୍ଥିତି ନିୟନ୍ତ୍ରଣକୁ ଆସିପାରିଥିଲା। ଆଉ ଜୀବନଜୀବିକା ସ୍ବାଭାବିକ ହୋଇଥିଲା। ତେବେ ସମସ୍ତ ନିୟମକୁ ଆଗଭଳି ପାଳନ କରିବାକୁ ସରକାର ସଚେତନ କରିଥିଲେ।
ଏହାମଧ୍ୟରେ ବର୍ଷେ ପୂରିସାରିଛି। କିନ୍ତୁ ବର୍ତ୍ତମାନ ଗୁଜରାଟ, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବା ଏକ ସତର୍କ ଘଣ୍ଟି ସଦୃଶ ସାବ୍ୟସ୍ତ ହୋଇଛି। କିଛି ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ବି ଜାରି ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଧ୍ୟ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଅଣ୍ଟା ଭିଡ଼ିଛି। ଏଥିପାଇଁ କିଛି ଗାଇଡ୍ଲାଇନ୍ ବି ଜାରି ହୋଇଛି।
ହେଲେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ବ ରକ୍ଷା ଓ ପଞ୍ଚସୂତ୍ରୀ ନିୟମ ପାଳନକୁ ଜନସାଧାରଣ ଏବଂ ବ୍ୟବସାୟୀ ଯେମିତି ଭୁଲିସାରିଲେଣି। ଏହି ଦୃଶ୍ୟ ହେଉଛି ଭଞ୍ଜନଗରର। ବର୍ତ୍ତମାନର ଚିତ୍ର ଦେଖିଲେ ଯେମିତି ଲାଗୁଛି, ଯେମିତି ଏଠାରେ କୌଣସି ପ୍ରତିବନ୍ଧକ କି କଟକଣା ନାହିଁ। ସାହି, ଗଳିକନ୍ଦି, ରାସ୍ତାଘାଟ ଓ ଦୋକାନବଜାର ସବୁଠି ଖଚାଖଚ୍ ଭିଡ଼। ନିୟମ ମାନିବାକୁ ସମେସ୍ତ ନାରାଜ୍। ଆଉ କଟକଣା କୋହଳ ପରଠାରୁ ସ୍ଥିତି ସଂପୂର୍ଣ୍ଣ ହୁଗୁଳି ଯାଇଛି। ଅର୍ଦ୍ଧାଧିକ ମାସ୍କ୍ ବ୍ୟବହାର ଭୁଲି ଗଲେଣି। ଆଉ ଯେଉଁ ମାନେ ବ୍ୟବହାର କରୁଛନ୍ତି, ତାହା କେବଳ ନାମକୁ ମାତ୍ର ଥୋଡ଼ି ତଳେ ଝୁଲୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଦୋକାନ ସାମ୍ନାରୁ ବାଉଁଶ ବାଡ଼ ଉଭେଇ ଗଲାଣି। ଲକ୍ଡାଉନ୍ ଓ ସଟ୍ଡାଉନ୍ ବେଳେ ଜୀବନଜୀବିକାକୁ ବାଜିରେ ଲଗାଇଥିବା ବ୍ୟବସାୟୀ ବେଫିକର୍ ହୋଇଯାଇଛନ୍ତି।
କରୋନା ପ୍ରାଦୁର୍ଭାବ ବେଳେ ଭଞ୍ଜନଗର ଉପକଣ୍ଠର ୮ ବ୍ଳକ୍ ଓ ୫ ଏନ୍ଏସିର ପ୍ରାୟ ୪୫ଟି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। କେବଳ ଭଞ୍ଜନଗର ସହର ମୁଖ୍ୟବଜାରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଇଲାକାକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ତଥାପି ଏହି ଅଞ୍ଚଳରୁ ପ୍ରତିଦିନ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଆଉ ଅନେକଙ୍କ ମୃତ୍ୟୁ ହୋଇଥିଲା। ପରେ ଏକ ମାସ ପର୍ଯ୍ୟନ୍ତ ମୁଖ୍ୟ ବଜାରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଦିଆଯାଇଥିଲା। କିନ୍ତୁ ପୁରୁଣା ସ୍ଥିତି ନ ଫେରିବା ପାଇଁ ବର୍ତ୍ତମାନ ଠାରୁ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି। ଏଦିଗରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ ନକଲେ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଚଳିତବର୍ଷ କଟକଣା ମଧ୍ୟରେ ଦଣ୍ଡଯାତ୍ରା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ପରେ ସୁରତ, ତାମିଲନାଡ଼ୁ ଓ ହାଇଦ୍ରାବାଦ ଭଳି ବିଭିନ୍ନ ସହରରେ କାମ କରୁଥିବା ପ୍ରବାସୀ ଗାଁକୁ ଫେରିବାକୁ ସଜବାଜ ହେଉଛନ୍ତି। ବିଶେଷକରି ସୁରତର ସୂତାକଳରେ କାମ କରୁଥିବା ଲକ୍ଷାଧିକ ପ୍ରବାସୀ ଫେରିବାର ସମ୍ଭାବନା ରହିଛି। କାରଣ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକଡାଉନ୍ ଜାରି ହେଲେ ସେମାନେ ପୁଣି ଗାଁକୁ ଫେରି ଦଣ୍ଡଯାତ୍ରାରେ ସାମିଲ ହେବେ। ହେଲେ ଏହା ପୂର୍ବରୁ ପ୍ରଶାସନ ତ୍ବରିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ନଚେତ୍ ଆଗାମୀ ଦିନରେ ପୁଣି ସ୍ଥିତି ଅସମ୍ଭାଳ ହେବା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ଲୋକ ମାନେ ବି ନିଜର ଆଭିମୁଖ୍ୟ ବଦଳାଇବାର ସମୟ ଆସିଛି। ତେବେ ବ୍ୟାପକ ଚଢ଼ଉ ସହ କଟକଣା କଠୋର କରିବା ପାଇଁ ଜିଲ୍ଲା ପ୍ରଶାସନ କେବଳ ଘୋଷଣା କରି ନିଜ ଦାୟିତ୍ବ ସାରି ଦେଇଥିବା ମନେ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/BNJ-BJ-market-2.jpg)