ଜିଲ୍ଲାପାଳ, ଏସ୍‌ପିଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ : କୋଭିଡ୍‌ ନିୟମ କଡ଼ାକଡ଼ି କର

ଅମାନିଆ ଜରିମାନା ଦେବେ

ଭୁବନେଶ୍ବର : ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣ ରୋକିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ସଂକ୍ରମଣ ପ୍ରତିରୋଧର ଏକ ଗୁରୁତ୍ବପୂର୍ଣ୍ଣ ଉପାୟ ହେଉଛି ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ପୃଥକବାସ ନିମନ୍ତେ ଆବଶ୍ୟକ ପରାମର୍ଶ ଦେବା। ତା’ ଛଡ଼ା ଅଧିକ ଲୋକ ଯାତାୟାତ ସ୍ଥାନ, ହାଟ, ବଜାର, ସହର ଓ ଗ୍ରାମଗୁଡ଼ିକରେ ମାସ୍କ ପିନ୍ଧିବା ଓ ପରସ୍ପର ଠାରୁ ଦୂରତା ରକ୍ଷା କରିବା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଆବଶ୍ୟକ। ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରିଚାଳନାରେ ଜିଲ୍ଲା ଓ ପଞ୍ଚାୟତଗୁଡ଼ିକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଓଡ଼ିଶା ଅପେକ୍ଷାକୃତ ଭଲ ସ୍ଥିତି‌‌ରେ ଅଛି। ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନିମନ୍ତେ ଅଧିକ ଦକ୍ଷତାର ସହ ଟିମ୍‌ ମନୋଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ, ସରପଞ୍ଚ, ୱାର୍ଡମେମ୍ବର ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷାରେ ଯୋଗ ଦେଇ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ‌ଜେନା ସରପଞ୍ଚ ଓ ୱାର୍ଡମେମ୍ବରମାନଙ୍କ ବୈଠକ ଡାକି କୋଭିଡ୍‌ ସଂକ୍ରମଣ, ନିରାକରଣ, ସଂକ୍ରମିତ ଲୋକଙ୍କର ଚିହ୍ନଟ, ସ୍ବ-ଗୃହରେ ପୃଥକବାସ ଓ ଚିକିତ୍ସା ଆଦି ବିଷୟରେ ବିଶେଷ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଗାଁ ଓ ସହରରେ ମାଇକ୍ ମାଧ୍ୟମରେ ପ୍ରଚାର ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ନିୟମ ଉଲ୍ଲଂଘନକାରୀମାନଙ୍କ ଠାରୁ ଜରିମାନା ଆଦାୟ ଆରମ୍ଭ କରିବାକୁ କୁହାଯାଇଥିଲା।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ ଓ ନିଜ ଗୃହରେ ପୃଥକ୍‌ବାସ ଉପରେ ଗୁରୁତ୍ବାରୋପ କରିଥିଲେ। କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଆଦି ରାଜ୍ୟରେ ଦେଖାଦେଇଥିବା ଦ୍ବିତୀୟ ପର୍ଯ୍ୟାୟ ଭୂତାଣୁ ଅଧିକ କ୍ଷତିକାରକ ବୋଲି ଶ୍ରୀ ମହାପାତ୍ର ସତର୍କ କରାଇ ଦେଇଥିଲେ। ପ୍ରତି ଜିଲ୍ଲାରେ ଅଧିକରୁ ଅଧିକ ଆର୍‌ଟିପିସିଆର୍‌ ଟେଷ୍ଟ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ଚିହ୍ନଟ, ପରୀକ୍ଷା ଓ ସ୍ବ-ଗୃହରେ ପୃଥକବାସ ଆଦି କାମରେ ସରପଞ୍ଚ, ୱାର୍ଡ‌େ‌ମମ୍ବର, ଜନପ୍ରତିନିଧି ଓ ସ୍ବେଚ୍ଛାସେବୀମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଝାରସୁଗୁଡ଼ା ବିମାନ ବନ୍ଦର ଓ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନ୍‌ରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ‘ଥର୍ମାଲ ସ୍କ୍ରିନିଂ’ ସହ ଆବଶ୍ୟକ ମନେ ହେଲେ ଆର୍‌ଟିପିସିଆର୍‌ ଟେଷ୍ଟକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମହାନଗର ନିଗମ କମିସନର୍‌ ଓ ପୂର୍ବତଟ ‌େରଳବାଇର ମହାନିର୍ଦ୍ଦେଶକଙ୍କୁ କୁହାଯାଇଥିଲା। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର