ଛତର ପାଇଁ କଟକଣା, ଲାଖମରା ବେଳେ ନିୟମକୁ ଫୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଗତକାଲି ରାତି ଠାରୁ ୧୪୪ ଧାରା ହଟା ଯାଇଛି। କୋଭିଡ କଟକଣା ଯୋଗୁ ସହରରେ ପୁଲିସ ପକ୍ଷରୁ ୭୨ ଘଣ୍ଟିଆ କଡା଼ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଆଜି ସକାଳୁ ୧୪୪ ଧାରା ହଟିବା ପରେ ଦୋକାନ ବଜ଼ାର ଖୋଲିଛି। ପୂର୍ବରୁ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜ଼ାର ଖୋଲୁଥିବା ବେଳେ ଆଜି ଠାରୁ ସକାଳୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ହୋଇଛି। ବହୁଦିନ ପରେ ସନ୍ଧ୍ୟାରେ ଖୋଲା ରହିଛି ଦୋକାନ ବଜ଼ାର।

ଭବାନୀପାଟଣା ସହରରେ ଚଳିତବର୍ଷ ୯ଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଟିତ ହୋଇଥିଲା। କୋଭିଡ କଟକଣା ଯୋଗୁ ଲୋକେ ଦୁର୍ଗା ମଣ୍ଡପ ଯାଇ ଦେବୀଙ୍କୁ ଦର୍ଶନ କରିପାରିନଥିଲେ। ଚଳିତ ବର୍ଷ ଛତର ଯାତ୍ରା ବେଳେ ୧୪୪ ଧାରା ଯୋଗୁ ଭକ୍ତ ମାନେ ଦର୍ଶନ କରିପାରିନଥିଲେ। ସକାଳ ୬ଟାରେ ଛତର ମନ୍ଦିରରେ ପହଂଚିବା ଯୋଗୁ ରାସ୍ତା କଡରେ ରହୁଥିବା ଲୋକେ ମଧ୍ୟ ଦର୍ଶନରୁ ବଂଚିତ ହୋଇଥିଲେ। କିନ୍ତୁ ୧୪୪ ଧାରା ସତ୍ତ୍ୱେ ନକଟିଗୁଡା ଠାରେ ଗତକାଲି ଲାଖମରା ବେଳେ ଏହାର ବ୍ୟତିକ୍ରମ ଦେଖା ଦେଇଛି।

ଭବାନୀପାଟଣା ସହରସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରୁ ଛତର ବାହାରିବା ପରେ ନକଟିଗୁଡା ଲାଖବିନ୍ଧା ପଡ଼ିଆରେ ପହଞ୍ଚିଥିଲା। ପୁଜାର୍ଚ୍ଚନା ପରେ ଲାଖମରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଓ ପୂର୍ବ ସାଂସଦ ଅର୍କକେଶରୀ ଦେଓ ଉପସ୍ଥିତ ଥିଲେ। ମହାରାଜା ଅନନ୍ତ ପ୍ରତାପ ଦେଓ ସମସ୍ତ ରୀତିନୀତି ଓ ପୂଜାର୍ଚ୍ଚନା କରିଥିଲେ। ପରେ ଅର୍କକେଶରୀ ଦେଓ ବନ୍ଧୁକରେ ଗୋଟିଏ ଥରେ ଲାଖ ବିନ୍ଧିଥିଲେ। ଏହାପରେ ଲାଖମରା ଶେଷ ହୋଇଥିଲା। ଲାଖମରା ପଡ଼ିଆରେ ବାରିକେଡ ନିର୍ମାଣ ହୋଇ ଥିଲା। ବ୍ୟାରିକେଡ ବାହାରେ ୧୪୪ ଧାରା ସତ୍ତ୍ୱେ ପ୍ରବଳ ଭିଡ ଦେଖାଯାଇଥିଲା। ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ବହୁ ଲୋକ ମୁହଁରେ ତୁଣ୍ଡି ବାନ୍ଧିନ ଥିଲେ। ସାମାଜିକ ଦୂରତା ମଧ୍ୟ ଭୁଲି ଯାଇଥିଲେ। କୋଭିଡ କଟକଣା ଓ ୧୪୪ ଧାରା ଥିବା ବେଳେ କିଭଳି ପ୍ରବଳ ଭିଡ ଦେଖାଯାଇଥିଲା ସେ ନେଇ ପୁଲିସର ଅପାରଗତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମାଜିକ ଦୂରତ୍ୱ ନ ଥିବା ଯୋଗୁ କୋଭିଡର ସଂକ୍ରମଣ ଆଶଙ୍କା ପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର