ପ୍ରାଥମିକତା ଅନୁସାରେ କୋଭିଡ ନମୁନା ସଂଗ୍ରହ କରାଯିବ

ଭୁବନେଶ୍ବର : ରାଜ୍ୟର ଅଣସଂକ୍ରମିତ ଜିଲ୍ଲାରେ କୋଭିଡ ନମୁନା ସଂଗ୍ରହକୁ ଜୋରଦାର କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ନିର୍ଦେଶାବଳୀ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୬୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ୯ଟି ଜିଲ୍ଲାରେ ସୀମିତ ରହିଛି। ରାଜ୍ୟର ଅନ୍ୟ ୨୧ଟି ଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଏହି ଜିଲ୍ଲାଗୁଡ଼ିକରେ ପ୍ରତି ୧୦ହଜାର ଜନସଂଖ୍ୟାରେ ଗୋଟିଏ କୋଭିଡ ନମୁନା ସଂଗ୍ରହ କରାଯିବ। ଫଳରେ ୧୦ଲକ୍ଷ ଜନସଂଖ୍ୟା‌ରେ ୧୦୦ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ଅଜିତ ମହାନ୍ତି ସୂଚନା ଦେଇଛନ୍ତି। ଡା.ମହାନ୍ତିଙ୍କ ସୂଚନା ଅନୁସାରେ, ଗତ ୩/୪ଦିନ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ ନିର୍ଦେଶାବଳୀ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ତେବେ ଯେଉଁ ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାରେ ପୂର୍ବଭଳି ନମୁନା ସଂଗ୍ରହ ସହିତ ସଂକ୍ରମଣ ଅବରୋଧ ଅଞ୍ଚଳ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅନୁସନ୍ଧାନ ଜାରି ରହିବ। ଏହାସହ ଯେଉଁ ଡାକ୍ତର, ଷ୍ଟାଫନର୍ସଙ୍କ ସମେତ ଯେଉଁ ସ୍ବାସ୍ଥ୍ୟକର୍ମୀମାନେ ସିଧାସଳଖ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି କିମ୍ବା ‌ସଂକ୍ରମିତ ଅଞ୍ଚଳକୁ ଗସ୍ତ କରୁଛନ୍ତି ସେମାନଙ୍କର ନମୁନା ପରୀକ୍ଷା ଆରମ୍ଭ ହୋଇସାରିଛି।

ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଖୋର୍ଧା ଓ ଭଦ୍ରକ ଜିଲ୍ଲା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି। ଏହି ଜିଲ୍ଲାରେ କିଭଳି କୋଭିଡ ନମୁନା ପରୀକ୍ଷା ହେବ ସେଥିପାଇଁ ଏକ ବୈଷୟିକ କମିଟି ୩ଟି କ୍ଷେତ୍ରକୁ ପ୍ରାଥମିକତା ଦେଇଥିଲା। ପ୍ରଥମ ପ୍ରାଥମିକତାରେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ଓ ସଂକ୍ରମିତଙ୍କ ପରିବାର ବର୍ଗଙ୍କୁ ରଖାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ପୁଲିସ ଓ ମ୍ୟୁନସିପାଲଟିର ସଫେଇ କର୍ମଚରୀ ରହିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କର ରୢାଣ୍ଡମ୍ ନମୁନା ସଂଗ୍ରହ କରାଯିବ। ତେବେ ପ୍ରାଥମିକତା ଦୃଷ୍ଟିରୁ ପ୍ରଥମ କ୍ଷେତ୍ରରେ ରହିଥିବା ବ୍ୟକ୍ତିମାନଙ୍କୁ ହିଁ ସବୁବେଳେ ଗୁରୁତ୍ବ ଦିଆଯିବ। ଡା.ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ସିଧାସଳଖ କୋଭିଡ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କ ସ୍ବାବ୍ ନମୁନା ପରୀକ୍ଷା ହେବା ସହିତ ହସ୍ପିଟାଲର ସଙ୍ଗରୋଧ ବ୍ୟବସ୍ଥାରେ ରଖାଯିବ। ଯଦି ସେମାନଙ୍କ ନମୁନା ପରୀକ୍ଷା ନେଗେଟିଭ୍ ରହିଥିବା ଜଣାପଡ଼‌େ ତାହାଲେ ୧୫ଦିନ ପରେ ପୁଣିଥରେ ସେମାନେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର