କୋଭିଡ୍‌ ନମୁନା ପରୀକ୍ଷାରେ ଓଡ଼ିଶା ଆଗୁଆ

ଦେଶରେ ପ୍ରଥମ, ୧୦ ଲକ୍ଷ ଲୋକରେ ୧୦୯୬ ନମୁନା ପରୀକ୍ଷା

ସଂକ୍ରମଣରେ ୧୫ ହଜାର ଟପିଲା ଗଞ୍ଜାମ
ଦିନକରେ ୨୨୪୪ ପଜିଟିଭ୍,୧୫୦୩ ସୁସ୍ଥ
ଆଉ ୧୦ ମୃତ, ମୃତ୍ୟୁ ସଂଖ୍ୟା ୩୫୩

ଭୁବନେଶ୍ୱର : ଗୋଟିଏ ଦିନରେ ଆଜି ୫୦ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ୧୬ ତାରିଖରେ ୫୦ ହଜାର ୪୨୧ କୋଭିଡ୍ ଟେଷ୍ଟ ହୋଇଛି ଓଡ଼ିଶାରେ। ଏଥିସହିତ ଦେଶରେ ଓଡ଼ିଶା ସର୍ବାଧିକ ନମୁନା ପରୀକ୍ଷଣରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଓଡ଼ିଶା ଉପରେ କର୍ଣ୍ଣାଟକ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ଅଛନ୍ତି। କେବଳ ସେତିକି ନୁହେଁ, ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୧୦୯୬ ନମୁନା ପରୀକ୍ଷା ହେଉଛି, ଯାହା ଦେଶରେ ପ୍ରଥମ। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ପ୍ରମୁଖ ଅଛନ୍ତି। ଏ କ୍ଷେତ୍ରରେ ଜାତୀୟ ହାର ୫୪୨ ରହିଛି।

ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ କରୋନା ସଂକ୍ରମଣରେ ୧୫ ହଜାର ସଂଖ୍ୟାକୁ ଅତିକ୍ରମ କରିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୨୪୩ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୧୦ରେ ପହଞ୍ଚିଛି। ଏହା ପୂର୍ବରୁ ୫ ହଜାର ଓ ୧୦ ହଜାର ସଂଖ୍ୟା ଅତିକ୍ରମ କରିବାରେ ମଧ୍ୟ ଗଞ୍ଜାମ ପ୍ରଥମ ଜିଲ୍ଲା ରହିଥିଲା। ରାଜ୍ୟର ସମୁଦାୟ ସଂକ୍ରମଣର ୨୪ ପ୍ରତିଶତ ରୋଗୀ ଗଞ୍ଜାମରୁ ରହିଛନ୍ତି।

NewsroomPost

ଅପରପକ୍ଷରେ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ନିୟମିତ ଭାବେ ବଢ଼ି ବଢ଼ି ଚାଲିଛି। ସମୁଦାୟ ସଂଖ୍ୟା ତୁଳନାରେ ଯଦିଓ ଖୋର୍ଧା ଜିଲ୍ଲା ଗଞ୍ଜାମ ତୁଳନାରେ କମ୍ ରହିଛି, ମାତ୍ର ସକ୍ରିୟ ରୋଗୀଙ୍କ କ୍ଷେତ୍ରରେ ଖୋର୍ଧା ଆଗରେ ରହିଛି। ଏବେ ଜିଲ୍ଲାରେ ସାଢ଼େ ୩ ହଜାରରୁ ଅଧିକ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଏପରିକି ଖୋର୍ଧାରେ ସୁସ୍ଥ ହାର ମଧ୍ୟ ଉତ୍ସାହଜନକ ନୁହେଁ। ଜିଲ୍ଲାରେ ସୁସ୍ଥ ହାର ୫୫ ପ୍ରତିଶତ ଥିବା ବେଳେ ଗଞ୍ଜାମରେ ଏହା ୮୩ ପ୍ରତିଶତ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୦୪୨୧ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି ଓ ଏଥିରେ ୨୨୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୪.୪୫ ପ୍ରତିଶତକୁ ଖସିଆସିଛି। ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରୁ ଶହେରୁ ଅଧିକ ରୋଗୀ ରହିଛନ୍ତି। ଏକାଧିକ ଜିଲ୍ଲା ଶହେର ଅତି ନିକଟତର ରହିଛନ୍ତି। ତେବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୮ ପ୍ରତିଶତରେ ପହଞ୍ଚିବା ନିଶ୍ଚିତ ଚିନ୍ତାର ବିଷୟ।

ଆଜି ୧୦ଜଣ କରୋନା ‌ରୋଗୀଙ୍କ ମୃତ୍ୟୁ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି।

VectorStock

ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ ରହିଛନ୍ତି। ବରଗଡ଼ର ୪୨ବର୍ଷର ପୁରୁଷ, ଭୁବନେଶ୍ବରର ୬୫ ଓ ୬୮ବର୍ଷର ପୁରୁଷ, ସୁନ୍ଦରଗଡ଼ର ୫୨ବର୍ଷର ପୁରୁଷ, ପୁରୀର ୬୦ବର୍ଷର ମହିଳା, ଗଞ୍ଜାମର ୮୫ବର୍ଷର ବୃଦ୍ଧ ଓ ଖୋର୍ଧାର ୫୦ବର୍ଷର ମହିଳା ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ ଜଟିଳ ରୋଗ ଥାଇ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫୩ ଛୁଇଁଛି। ଏହାସହ ଅଣ କରୋନା ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୫୫, ଖୋର୍ଧାରେ ୪୮, ସୁନ୍ଦରଗଡ଼ ୨୨, କଟକ ୧୮, ଗଜପତି ୧୬, ରାୟଗଡ଼ା ୧୫କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ରହିଛି। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ରେକର୍ଡ କରାଯାଇଛି।

ଗତ ୨୪ଘଣ୍ଟାରେ ‌ଚିହ୍ନଟ ରୋଗୀଙ୍କ ମଧ୍ୟରେ ଗଞ୍ଜାମ ଓ ଖୋର୍ଧାକୁ ବାଦ୍ ଦେଲେ କଟକ ୧୯୪, ରାୟଗଡ଼ା ୧୬୦, ବାଲେଶ୍ବର ୧୪୨, ସୁନ୍ଦରଗଡ଼ ୧୩୬, କନ୍ଧମାଳ ୧୨୧, ଭଦ୍ରକ ୧୦୪, ଯାଜପୁର ଓ ମାଲକାନାଗିରିରେ ୯୮ ଲେଖାଏଁ, କୋରାପୁଟ ୯୪, ମୟୂରଭଞ୍ଜ ୯୧, ପୁରୀ ୬୮, କଳାହାଣ୍ଡି ୬୭, ବୌଦ୍ଧ ୪୯, ବଲାଙ୍ଗୀର ୩୭, ବରଗଡ଼ ଓ ସମ୍ବଲପୁର ୩୫ ଲେଖାଏଁ, କେନ୍ଦ୍ରାପଡ଼ା ୨୭, ନବରଙ୍ଗପୁର ୨୧, ଢେଙ୍କାନାଳ ୧୮, ଅନୁଗୁଳ ୧୫, ନୟାଗଡ଼ ୧୩, ଝାରସୁଗୁଡ଼ା ୧୨, ସୋନପୁର ୧୧, ନୂଆପଡ଼ା ୯ ଓ ଗଜପତିରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୯୦ ସଙ୍ଗରୋଧରୁ ୮୫୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି।

Personnel Today

ଆଜି ରାଜ୍ୟରେ ଆଉ୧୫୦୩ କ‌ରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ସର୍ବାଧିକ ୨୩୨ଜଣ ଗଞ୍ଜାମରୁ ଥିବା ବେଳେ କଟକ ୧୩୧, ରାୟଗଡ଼ା ୧୧୨, ବାଲେଶ୍ବର ୧୦୧, ଖୋର୍ଧା ୯୯, ଢେଙ୍କାନାଳ ୬୩, ମୟୂରଭଞ୍ଜ ୫୧, ଗଜପତି ଓ କୋରାପୁଟରୁ ୪୯ଜଣ ଲେଖାଏଁ, ମାଲକାନାଗିରି ୪୨, ଭଦ୍ରକ ଓ ଜଗତସିଂହପୁର ୩୮ଜଣ ଲେଖାଏଁ, କନ୍ଧମାଳ ୩୭, ବଲାଙ୍ଗୀର ଓ ଯାଜପୁରରୁ ୩୬ଜଣ ଲେଖାଏଁ, ସମ୍ବଲପୁର ୩୫, ନୟାଗଡ଼ ୩୪, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରୁ ୩୧ଜଣ ଲେଖାଏଁ, ସୋନପୁର ୩୦, କେନ୍ଦୁଝର ୨୦, ଅନୁଗୁଳ ୧୮, ବରଗଡ଼ ୧୫, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୧୪ଜଣ ଲେଖାଏଁ, ଦେବଗଡ଼ ୪ ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୩୭୮୦ରେ ପହଞ୍ଚିଛି। ରାଜ୍ୟ‌ରେ ଏବେ ବି ୧୮୧୦୮ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର