୧୦ଲକ୍ଷରେ ଓଡ଼ିଶାରେ ୧,୧୮,୮୮୪ଜଣଙ୍କ ନମୁନା ପରୀକ୍ଷା

ଜାତୀୟସ୍ତରରେ ପରୀକ୍ଷାଠାରୁ ଓଡ଼ିଶାରେ ଅଧିକ, ଦୈନିକ ସଂକ୍ରମଣ ସ୍ଥିର, ମୃତ୍ୟୁ ଅପରିବର୍ତିତ

ଭୁବନେଶ୍ୱର : ଜାତୀୟ ସ୍ତରରେ ୧୦ଲକ୍ଷ ଜନସଂଖ୍ୟାରେ ଯେତିକି ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି ଓଡ଼ିଶାରେ ତା’ଠାରୁ ଅଧିକ ଲୋକଙ୍କ ପରୀକ୍ଷା ହେଉଛି। ୧୦ଲକ୍ଷ ଜନସଂଖ୍ୟାରେ ଦେଶରେ ୯୪,୬୭୯ ଲୋକଙ୍କ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ୧ଲକ୍ଷ ୧୮ହଜାର ୮୮୪ ରହିଛି। ଓଡ଼ିଶା ଉପରେ ୭ଟି ରାଜ୍ୟ ରହିଛନ୍ତି। ଦିଲ୍ଲୀରେ ସର୍ବାଧିକ ୩ଲକ୍ଷ ୮ହଜାର ୧୭୧ ରହିଛି। ଓଡ଼ିଶାରେ ଏ ପର୍ଯ୍ୟନ୍ତ ୫୫ଲକ୍ଷ ୧୮ହଜାର ୬୪୪ କୋଭିଡ୍‌ ନମୁନା ପରୀକ୍ଷା ହୋଇ ସାରିଛି।

କିଛିମାସ ପୂର୍ବରୁ କୋଭିଡ୍‌ ନମୁନା ପରୀକ୍ଷା କରିବାରେ ଓଡ଼ିଶା ପଛରେ ରହିଥିଲା। କିଛି ହାତଗଣତି ମେଡିକାଲରେ ନମୁନା ପରୀକ୍ଷା କରାଯାଉଥିଲା। ରାଜ୍ୟରେ ଏବେ ୫୪ଟି ପରୀକ୍ଷାଗାରରେ କୋଭିଡ୍‌ ନମୁନା ପରୀକ୍ଷା ପାଇଁ ଆଇସିଏମ୍‌ଆର ଅନୁମତି ଦେଇଛି। ଏଥିରେ ୪୩ ସରକାରୀ ଓ ୧୧ଟି ବେସରକାରୀ ପରୀକ୍ଷାଗାର ରହିଛି। ତେବେ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ପାଇଁ ଆଇସିଏମ୍‌ଆର ପକ୍ଷରୁ ଅନୁମତି ମିଳିବା ପରେ ରାଜ୍ୟରେ ଏହାର ବ୍ୟାପକ ବ୍ୟବହାର କରାଯାଉଛି। ଯାହାଫଳରେ ଅଧିକ ଲୋକଙ୍କ ପରୀକ୍ଷା ହେବା ସହିତ ତୁରନ୍ତ ରିପୋର୍ଟ ଆସିପାରୁଛି।

କେବଳ ୧୦ଲକ୍ଷ ଜନସଂଖ୍ୟାରେ ସାମଗ୍ରିକ ଭାବେ ଅଧିକ ନମୁନା ପରୀକ୍ଷା ନୁହେଁ, ୧୦ଲକ୍ଷ ଜନସଂଖ୍ୟାରେ ଓଡ଼ିଶା ମଧ୍ୟ ଦୈନିକ ୧୪୦ରୁ ଅଧିକ ନମୁନା ପରୀକ୍ଷା କରୁଥିବା ରାଜ୍ୟମାନଙ୍କ ଭିତରେ ସାମିଲ ହୋଇପାରିଛି। ଜାତୀୟ ସ୍ତରରେ ୧୦ଲକ୍ଷରେ ଦୈନିକ ୭୮୫ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ୧୦୬୮ ରହିଛି। ଓଡ଼ିଶାଠାରୁ ଗୋଆ, କେରଳ, ହରିୟାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଦିଲ୍ଲୀରେ ଅଧିକ ପରୀକ୍ଷା ହେଉଛି। ଦିଲ୍ଲୀରେ ୧୦ଲକ୍ଷରେ ଦୈନିକ ୩୪୮୧ ନମୁନା ପରୀକ୍ଷା କରାଯାଉଛି। ରାଜସ୍ଥାନରେ ସବୁଠାରୁ କମ୍ ୨୭୧ଜଣଙ୍କ ପରୀକ୍ଷା ହେଉଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ରାଜ୍ୟମାନଙ୍କୁ ଅଧିକରୁ ଅଧିକ କୋଭିଡ୍‌ ନମୁନା ପରୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି। ୟୁରୋପ ଓ ଆମେରିକାରେ ସଂକ୍ରମଣ ବଢ଼ୁଥିବାକୁ ନଜରରେ ରଖି କେନ୍ଦ୍ର ସରକାର ଏଭଳି ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟରେ ୧୦ଲକ୍ଷ ଜନସଂଖ୍ୟାରେ ହେଉଥିବା ନମୁନା ପରୀକ୍ଷା ଆଗାମୀ ଦିନରେ ଆହୁରି ବଢ଼ିବା ନେଇ ଆଶା ରହିଛି।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ୭୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ସୋନପୁର ଓ ଗଜପତିରେ ୨ ଲେଖାଏଁ, ବୌଦ୍ଧ ୩, ନୟାଗଡ଼, କନ୍ଧମାଳ, ମାଲକାନଗିରି ଓ ରାୟଗଡ଼ାରେ ୪ ଲେଖାଏଁ, ନୂଆପଡ଼ା ୫ ଓ ଭଦ୍ରକରେ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୬୮, ବାଲେଶ୍ବର ୬୧, ବରଗଡ଼ ୩୦, ବଲାଙ୍ଗୀର ୨୯, କଟକ ୫୪, ଢେଙ୍କାନାଳ ୧୨, ଗଞ୍ଜାମ ୧୮, ଜଗତସିଂହପୁର ୪୦, ଯାଜପୁର ୨୧, ଝାରସୁଗୁଡ଼ା ୩୦, କଳାହାଣ୍ଡି ୧୩, କେନ୍ଦ୍ରାପଡ଼ା ୩୬, କେନ୍ଦୁଝର ୫୩, ଖୋର୍ଧା ୬୧, କୋରାପୁଟ ୧୦, ମୟୂରଭଞ୍ଜ ୫୮, ନବରଙ୍ଗପୁର ୧୦, ପୁରୀ ୨୦, ସମ୍ବଲପୁର ୪୦, ସୁନ୍ଦରଗଡ଼ ୬୪ ଓ ଷ୍ଟେଟ୍‌ ପୁଲରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୩ହଜାର ୩୨୩କୁ ବୃଦ୍ଧି ପାଇଛି।

କରୋନାରେ ୧୭ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ଜଣ ରହିଛନ୍ତି। କେନ୍ଦୁଝର ୩, କଟକ, ଗଞ୍ଜାମରୁ ୨ଜଣ ଲେଖ‌ାଏଁ, ଜଗତସିଂହପୁର, ଖୋର୍ଧା, ଦେବଗଡ଼ ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୬୨୫କୁ ବୃଦ୍ଧି ପାଇଛି। ୧୦୧୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୪ହଜାର ୯୦୮କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୭୩୭କୁ ଖସି ଆସିଛି। ଅନୁଗୁଳରୁ ଆଜି ସର୍ବାଧିକ ୧୩୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର