ମୟୂରଭଞ୍ଜ: ଏକ ଲକ୍ଷ ଟପିଲା ନମୁନା ପରୀକ୍ଷା ସଂଖ୍ୟା

ଲକ୍ଷଣ ଥିବା ସମସ୍ତଙ୍କର କରୋନା ପରୀକ୍ଷା ହେବ: ଜିଲ୍ଲାପାଳ

ବଢ଼ିଛି ପରୀକ୍ଷା, ବଢ଼ୁଛି କରୋନା
ଆଜି ୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ବୟସ୍କ ଓ ଶିଶୁଙ୍କ ପାଇଁ ବଢ଼ୁଛି ଅଡ଼ୁଆ

ବାରିପଦା : ନମୁନା ପରୀକ୍ଷା କରିବାରେ ରେକର୍ଡ କରିଛି ମୟୂରଭଞ୍ଜ। ଜିଲ୍ଲାରେ କରୋନା ଚିହ୍ନଟ ନିମନ୍ତେ ନମୁନା ପରୀକ୍ଷା ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି। ଆଜି ସୁଦ୍ଧା ଜିଲ୍ଲାରୁ ପ୍ରାୟ ୧ଲକ୍ଷ ୫ହଜାର ନମୁନା ପରୀକ୍ଷା କରାଯାଇସାରିଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଏଥିନିମନ୍ତେ ସେ ସମସ୍ତ ଜିଲ୍ଲାବାସୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକ୍ରିୟାକୁ ଆଗାମୀ ଦିନରେ ମଧ୍ୟ ତ୍ବରାନ୍ବିତ କରାଯିବ। ଜିଲ୍ଲାରେ ଲକ୍ଷଣ ଥିବା କୌଣସି ବ୍ୟକ୍ତି ଯେପରି କରୋନା ପରୀକ୍ଷାରୁ ବଞ୍ଚିତ ନହେବେ ସେନେଇ ସମସ୍ତ ପ୍ରଚେଷ୍ଟା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ଏହି ମହାମାରୀ ସହିତ ଲଢ଼ି ପରାସ୍ତ କରିବାକୁ ଜିଲ୍ଲାପାଳ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ବିନା କୌଣସି ଜରୁରୀ କାମ ନଥିଲେ ଘରୁ ବାହାରକୁ ନଯିବା, ସବୁବେଳେ ମାସ୍କ ପିନ୍ଧିବା ଏବଂ କରୋନାକୁ ନେଇ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ଥାନୀୟ ଆଶା ଦିଦିଙ୍କୁ ସୂଚନା ଦେବା ଭଳି କିଛି ମୌଳିକ ନିୟମକୁ ମାନିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ କରୋନା ଚିହ୍ନଟରେ ଆଣ୍ଟିଜେନର ଉପଯୋଗ ପରେ ନମୁନା ପରୀକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦିନକୁ ହାରାହାରି ୯ହଜାରରୁ ଊର୍ଧ୍ବ ପରୀକ୍ଷା କରାଯାଉଛି। ଯାହାକି ପୂର୍ବାପେକ୍ଷା ବେଶ୍ ବହୁଗୁଣ ଅଧିକ। ତେବେ ନମୁନା ପରୀକ୍ଷା ବଢ଼ିବା ସହିତ ତାଳ ଦେଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ଆଜି ଜିଲ୍ଲାରେ ୧୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିପରି ୫ଜଣ କରୋନା ଯୋଦ୍ଧା ମଧ୍ୟ ଏଥିରେ ଅର୍ନ୍ତଭୁକ୍ତ ଅଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୬୮୩ରେ ପହଞ୍ଚିଛି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଶୁଳିଆପଦାରୁ ୧୭, ବହଳଦାରୁ ୧୮ ଏବଂ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରୁ ଜଣେ ୪୯ ବର୍ଷ ବୟସର ପୁରୁଷଙ୍କ ସମେତ ମୋଟ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କଟକ ଓ ଭୂବନେଶ୍ୱରଠାରେ ଜିଲ୍ଲାରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ୨୬ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୪୧୯ ରହିଥିବା ସମୟରେ ଆଜି ସୁଦ୍ଧା ଜିଲ୍ଲାରେ ସକ୍ରିୟଙ୍କ ସଂଖ୍ୟା ୧୨୫୮ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ତେବେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧ରୁ ୬୭ ବର୍ଷ ବୟସ ମଧ୍ୟରେ ରହିଥିବା ବେଳେ ଉଦଳା ବ୍ଲକ୍ ଅଞ୍ଚଳରୁ ୧-୪ ବର୍ଷ ବୟସର ୩ଜଣ ଶିଶୁ, ବାରିପଦା ପୌରପରିଷଦ ଓ ଶ୍ୟାମାଖୁଣ୍ଟା ବ୍ଲକରୁ ୨ ଜଣ ୬ ବର୍ଷ ବୟସର ଶିଶୁଙ୍କ ସହ ବହଳଦା ବ୍ଲକ ଅଞ୍ଚଳରେ ଜଣେ ବାଳିକା କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର