ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ବଢ଼ିଲା

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ବଢ଼ିଛି। ଲଗାତାର ଦୁଇଦିନ ଧରି ରାଜ୍ୟରେ ପୂର୍ବ ତୁଳନାରେ ଯଥେଷ୍ଟ ଅଧିକ ସଂଖ୍ୟକ ପରୀକ୍ଷା କରାଯାଉଛି। ତେବେ ଆରଟି-ପିସିଆର ଅପେକ୍ଷା ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ଅଧିକ ସଂଖ୍ୟକ ପରୀକ୍ଷା ହେଉଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

ଗତ ୬ ତାରିଖରେ ରାଜ୍ୟରେ ୧୬୦୫୫ ନମୁନା ପରୀକ୍ଷା ହୋଇଥିଲା। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭୪୪୪ ନମୁନା ପରୀକ୍ଷା ହୋଇଛି। କୋଭିଡ୍‌ ନମୁନା ପରୀକ୍ଷାରେ ୧୩୮୯ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୧୦.୬ ପ୍ରତିଶତ ରେକର୍ଡ କରାଯାଇଛି। ଯାହାକି ବେଶ୍ ଚିନ୍ତାଜନକ। ରାଜ୍ୟରେ ଏ ପର୍ଯ୍ୟନ୍ତ ୬ଲକ୍ଷ ୩୪ହଜାର ୯୦ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏଥିରେ ସମୁଦାୟ ନମୁନାରୁ ଟିପିଆର ୬.୯୭ ପ୍ରତିଶତ ରହିଛି।

ଅପରପକ୍ଷରେ ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ଦୈନିକ ୨୦ ହଜାର ନମୁନା ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ପ୍ରଥମ ସପ୍ତାହ ପରେ ମଧ୍ୟ ଏହି ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇନାହିଁ। ମାତ୍ର ପ୍ରତ୍ୟେକ ଦିନ ନମୁନା ସଂଖ୍ୟାରେ ବୃଦ୍ଧି ହେଉଥିବାରୁ ୨୦ହଜାର ନମୁନା ସଂଖ୍ୟା ମଧ୍ୟ ଶୀଘ୍ର ପୂରଣ ହେବ ବୋଲି ଆଶା କରାଯାଉଛି। ତେବେ କରୋନା ପାଇଁ ଆରଟି-ପିସିଆର ପରୀକ୍ଷାକୁ ସବୁଠାରୁ ଉନ୍ନତ ପରୀକ୍ଷା ବୋଲି ଧରାଯାଉଛି। ମାତ୍ର ରାଜ୍ୟରେ ଜିଲ୍ଲାସ୍ତରରେ ଏହି ପରୀକ୍ଷା ଅପେକ୍ଷା ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ପରୀକ୍ଷାକୁ ଅଧିକ ପସନ୍ଦ କରୁଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି। ରାପିଡ୍‌ କିଟ୍‌ରେ ତୁରନ୍ତ ପରୀକ୍ଷା ରିପୋର୍ଟ ମିଳିବା ଓ ଲ୍ୟାବ୍‌ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ୁ ନ ଥିବାରୁ ରାପିଡ୍‌ କିଟ୍‌କୁ ଜିଲ୍ଲାସ୍ତରରେ ଅଧିକ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର