୫ ହଜାର ତଳେ ଚିକିତ୍ସାଧୀନଙ୍କ ସଂଖ୍ୟା, ୬୦ ଲକ୍ଷ ଟପିଲା କୋଭିଡ ନମୁନା ପରୀକ୍ଷା

ଭୁବନେଶ୍ୱର : ଗତ ସାଢ଼େ ୪ ମାସ ପରେ ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୫ ହଜାର ତଳକୁ ଖସି ଆସିଛି। ରାଜ୍ୟରେ ଏବେ ୪୧୮୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଜୁଲାଇ ୧୫ ତାରିଖ ପରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଖସିବା‌‌ରେ ଲାଗିଛି। ରାଜ୍ୟରେ ଏବେ ମାତ୍ର ୧ ପ୍ରତିଶତ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ଅପରପକ୍ଷରେ ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷଣ ସଂଖ୍ୟା ୬୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ହଜାର ୮୮୫ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମୁଦାୟ ସଂଖ୍ୟା ୬୦ଲକ୍ଷ ୧୯ହଜାର ୮୫୫କୁ ବୃଦ୍ଧି ପାଇଛି। ଦେଶରେ ଅଧିକ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା କରିବାରେ ଓଡ଼ିଶା ଆଗରେ ୯ଟି ରାଜ୍ୟ ରହିଛନ୍ତି।
ଦିନକରେ ରାଜ୍ୟରେ ୪୩୪ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବା ଫଳରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ହ୍ରାସ ପାଇଛି। ଗତ ସେପ୍ଟେମ୍ବରରେ ରାଜ୍ୟର ସାମଗ୍ରିକ ଟିପିଆର୍‌ ପ୍ରାୟ ୭ ପ୍ରତିଶତ ନିକଟରେ ପହଞ୍ଚିଥିଲା। ମାତ୍ର ଏବେ ଏହା ୫.୩୨ ପ୍ରତିଶତକୁ ଖସି ଆସିଛି ଓ କ୍ରମାଗତ ଭାବେ ଖସି ଚାଲିଛି।

ରାଜ୍ୟରେ ୫ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ୩ଜଣ ରୋଗୀ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି। ଏହାସହ ଖୋର୍ଧା ଓ ନୟାଗଡ଼ରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୫୫କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୨୯୯ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମରେ ୨୪୫, ସୁନ୍ଦରଗଡ଼ ୧୪୯, କଟକ ୧୩୪ ଓ ପୁରୀରେ ୧୦୪ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆଜି ୬୨୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୪ହଜାର ୨୩କୁ ବୃଦ୍ଧି ପାଇଛି। ଅନୁଗୁଳରୁ ସର୍ବାଧିକ ୭୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର