ଭୁବନେଶ୍ବର : ଚିନ୍ତା ବଢ଼ାଉଛି ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏଚ୍୩ଏନ୍୨ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏ ନେଇ କେନ୍ଦ୍ର ସରକାର ସତର୍କ କରିବା ପରେ ରାଜ୍ୟ ସରକାର ସବୁ ଜିଲ୍ଲା ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। ତେବେ ଏଚ୍୩ଏନ୍୨ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି। ବିଶେଷକରି ଇନ୍ଫ୍ଲୁଏଞ୍ଜା ଭଳି ରୋଗ(ଆଇଏଲ୍ଆଇ) ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ(ଏସ୍ଏଆରଆଇ) ଉପରେ ନଜର ରଖିବା ଲାଗି ରାଜ୍ୟ ସରକାର ଜିଲ୍ଲାମାନଙ୍କୁ କହିଛନ୍ତି।
ନିକଟରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜାରି ଚିଠିରେ ଇନ୍ଫ୍ଲୁଏଞ୍ଜା ସମେତ କୋଭିଡ୍ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କିଛି ରାଜ୍ୟରେ କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଇବା ନିଶ୍ଚିତ ଚିନ୍ତାର ବିଷୟ। ଏପରିକି ରାଜ୍ୟମାନେ କୋଭିଡ ସଂପର୍କିତ ସଂଶୋଧିତ ଗାଇଡଲାଇନ୍ ଜାରି କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଥିଲେ। କେନ୍ଦ୍ର ସରକାରଙ୍କଠାରୁ ଚିଠି ପାଇବା ପରେ ଏବେ ରାଜ୍ୟ ସରକାର ନିଜର ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ଇନ୍ଫ୍ଲୁଏଞ୍ଜା ସମେତ କୋଭିଡ୍ ଉପରେ ଗୁରୁତ୍ବ ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେଉଁମାନଙ୍କର ଥଣ୍ଡା କାଶ ଅଛି, ସେମାନେ କୋଭିଡ ପରୀକ୍ଷା କରନ୍ତୁ। ଏଥିପାଇଁ ଫିଭର କ୍ଲିନିକ୍ ଜାରି ରହିବା ଆବଶ୍ୟକ। ଇନ୍ଫ୍ଲୁଏଞ୍ଜା ଏର ପରୀକ୍ଷା ପାଇଁ ସିଡିଏମ୍ଓମାନେ ଆରଟି-ପିସିଆର କିଟ୍ କିଣିପାରିବେ। ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଟିକାକରଣ-କୋଭିଡ ନିୟମାବଳୀ ପାଳନ କରିବା ସହିତ କୋଭିଡ ମାମଲା ଉପରେ ନଜର ରଖିବା ଲାଗି କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ଦୈନିକ ପ୍ରାୟ ୫ହଜାର କୋଭିଡ ନମୁନା ପରୀକ୍ଷା ହେଉଛି। ଥଣ୍ଡାକାଶ ଥିବା ବ୍ୟକ୍ତିମାନେ କୋଭିଡ ପରୀକ୍ଷା କରିନେବା ଉଚିତ୍। ଇନ୍ଫ୍ଲୁଏଞ୍ଜାର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ତେବେ ଏହା ବୟସ୍କ, ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଏଭଳି କୌଣସି ଲକ୍ଷଣ ରହିଛି ତାହାଲେ ସେମାନେ ନିଜକୁ ଅଲଗା ରଖିବା ସହିତ ମାସ୍କ ପିନ୍ଧିବା ଜରୁରୀ। ତେବେ ଇନ୍ଫ୍ଲୁଏଞ୍ଜା ଓ କୋଭିଡ ସଂକ୍ରମଣ ଉପରେ ରାଜ୍ୟ ସରକାର ନଜର ରଖିଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/covid-test-3a.jpg)