ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ ହେବ ୨୫୦୦ ନମୁନା
୨୮ଦିନ ପରେ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ

Advertisment

ଭୁବନେଶ୍ୱର : ରାଜଧାନୀବାସୀଙ୍କ ଶରୀରରେ କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଅଛି କି ନାହିଁ, ବ୍ୟକ୍ତି ଜଣଙ୍କ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ, ଶରୀରରେ ରୋଗ ପ୍ରତି‌ରୋଧ ଶକ୍ତି ବିକଶିତ ହୋଇଛି କି ନାହିଁ, ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି କି ନାହିଁ, ଯଦି ଗୋଷ୍ଠୀ ସଂକ୍ରମଣ ହୁଏ ତାହାର ମୁକାବିଲା କରିବା ସହଜ ହେବ କି ନାହିଁ ତାହା ଜାଣିବା ପାଇଁ ଆଜିଠାରୁ ରାଜଧାନୀରେ ସେରୋଲୋଜିକାଲ ଟେଷ୍ଟ ବା ସେରୋ ସର୍ଭେ ଆରମ୍ଭ ହୋଇଛି। ଏଥିରେ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୨୫ଟି ୱାର୍ଡରେ ଏହି ସର୍ଭେ ହେବାକୁ ଥିବାବେଳେ ଏଥିରେ ଅତି ସମ୍ବେଦନଶୀଳ ବର୍ଗର ୧୬୦୦ ଜଣଙ୍କର ଏବଂ ଗୋଷ୍ଠୀରୁ ୯୦୦ ଜଣଙ୍କର ନମୁନା ସଂଗ୍ରହ ହେବ। ଶନିବାର ଓ ରବିବାର ବିଭିନ୍ନ ଗୋଷ୍ଠୀର ଲୋକଙ୍କର ନମୁନା ସଂଗ୍ରହ ହେବ। ଏଥିରେ ମୋଟ୍‌ ୯୦୦ ଜଣଙ୍କର ନମୁନା ସଂଗ୍ରହ ହେବାକୁ ଥିବାବେଳେ ଆଜି ୫୩୦ଜଣଙ୍କର ସଂଗ୍ରହ ହୋଇଛି। ରବିବାର ବାକି ୩୭୦ଜଣଙ୍କର ସଂଗ୍ରହ ହେବ। ଏହାପରେ ଅତି ସମ୍ବେଦନଶୀଳ ବର୍ଗର ଲୋକଙ୍କର ନମୁନା ସଂଗ୍ରହ ହେବ। ନମୁନା ସଂଗ୍ରହ ହେବା ପରେ ଆର୍‌ଏମ୍‌ଆର୍‌ସିରେ ଏହା ଉପରେ ଗବେଷଣା ହେବ। ୪ରୁ ୫ଦିନ ପରେ ଆର୍‌ଏମ୍‌ଆର୍‌ସି ତା’ର ରିପୋର୍ଟ ବିଏମ୍‌ସିକୁ ଦେବ ବୋଲି ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକ ବି (ମେଡିକାଲ) ଡାକ୍ତର ଜୟସିଂହ କ୍ଷେତ୍ରି କହିଛନ୍ତି।

publive-image

ଏହି ସର୍ଭେ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ରାଜଧାନୀବାସୀ କରୋନା ମୁକାବିଲାରେ କେତେ ଆଗରେ ଅଛନ୍ତି। ରାଜଧାନୀରେ କରୋନା ସ୍ଥିତି କ’ଣ ଅଛି।

ଆର୍‌ଏମ୍‌ଆର୍‌ସି ଓ ବିଏମ୍‌ସି ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ୫ଟି ସର୍ଭେଲାନ୍ସ ଟିମ୍‌ ଗଠନ ହୋଇଛି। ୧୦ରୁ ୧୨ଦିନରେ ୨୫୦୦ ଲୋକଙ୍କର ନମୁନା ସଂଗ୍ରହ ହେବ। ୨୮ଦିନ ପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହେବ। ଏଥିରେ ବି ୨୫୦୦ ଲୋକଙ୍କର ନମୁନା ସଂଗ୍ରହ ହେବ। ଏବେ କେଉଁ ଅଞ୍ଚଳରେ କିପରି ନମୁନା ସଂଗ୍ରହ ହେବ ତାହା ବିଏମ୍‌ସିର ତିନି ଜୋନାଲ ଡେପୁଟି କମିସନରଙ୍କ ରିପୋର୍ଟକୁ ଅଧାର କରି ପ୍ରସ୍ତୁତ କରାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ କୋଭିଡ୍‌-୧୯ ଗାଇଡଲାଇନ୍ ଅନୁଯାୟୀ ରାଜଧାନୀରେ ସେରୋଲୋଜିକାଲ୍‌ ସର୍ଭେ ହେଉଛି। ରାଜଧାନୀର ୨୫ଟି ୱାର୍ଡର ୨୫ଟି ଅଞ୍ଚଳରେ ଏହି ସର୍ଭେ ହେବ। ଆଜିଠାରୁ ୱାର୍ଡ ନଂ- ୨,୪,୭,୧୪,୧୭,୧୯,୨୭,୨୯, ୩୨, ୪୦, ୪୨, ୪୫, ୫୪, ୫୬ ଏବଂ ୫୯। ରବିବାର ଠାରୁ ୱାର୍ଡ ନଂ- ୯,୧୨,୨୨,୨୪,୩୫,୩୭,୪୮,୫୧, ୬୨ ଏବଂ ୬୫ରେ ଏହି ସର୍ଭେ ହେବ। ଏଥିପାଇଁ ୫ଟି ସର୍ଭେଲାନ୍ସ ଟିମ୍‌ ଗଠନ ହୋଇଛି। ଜୁଲାଇ ୧୧ ଓ ୧୨ ଦୁଇ ଦିନ ଏହି ୱାର୍ଡର ଗୋଷ୍ଠୀ ଅଞ୍ଚଳରୁ ନମୁନା ସଂଗ୍ରହ ହେବ।

ଏହାପରେ ୧୩ତାରିଖରୁ ୧୩ଟି ବର୍ଗର ଅତି ସମ୍ବେଦନଶୀଳ ଲୋକଙ୍କର ନମୁନା ସଂଗ୍ରହ ହେବ। ଏଥିରେ ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସିକ୍ୟୁରିଟି ଗାର୍ଡ, ସାମ୍ବାଦିକ, ବିଏମ୍‌ସି କର୍ମଚାରୀ, ଡ୍ରାଇଭର, ଜେଲ୍ ଅନ୍ତେବାସୀ ଓ ତାଙ୍କ ସହ ସଂପୃକ୍ତ ବ୍ୟକ୍ତି, ଦୋକାନୀ/ବ୍ୟବସାୟୀ, ବିମାନ ବନ୍ଦର କର୍ମଚାରୀ, ବସ୍ତି, ପ୍ରବାସୀ ଶିବିର ଏବଂ ଆବଦ୍ଧ ଅଞ୍ଚଳର ଲୋକଙ୍କର ନମୁନା ସଂଗ୍ରହ ହେବ। ଏଥିରେ ମୁଖ୍ୟତଃ ଲକ୍‌ଡାଉନ୍ ସମୟରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଟାର୍ଗେଟ୍‌ କରାଯାଇଛି।

ସେରୋଲୋଜିକାଲ୍‌ ସର୍ଭେ ପାଇଁ ପ୍ରତ୍ୟେକ ଟିମ୍‌ରେ ୭ରୁ ୧୦ଜଣ ଲେଖାଏ ସଦସ୍ୟ ରହିଥିବା ବେଳେ ଏଥିରେ ଲ୍ୟାବ୍ ଟେକ୍‌ନିସିଆନ୍, ଆଶା କର୍ମୀ, ବିଏମ୍‌ସି କର୍ମଚାରୀ ରହିଛନ୍ତି। ଏମାନଙ୍କୁ ବୈଷୟିକ ପରାମର୍ଶ ଏବଂ ତଦାରଖ କରିବା ପାଇଁ ଆର୍‌ଏମ୍‌ଆର୍‌ସିର ବିଶେଷଜ୍ଞମାନେ ଅଛନ୍ତି।