ଆଗକୁ କୋଭିଡ୍ ପରିସ୍ଥିତି ଭୟାବହ, ବିଧାନସଭାରେ ଡରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଯଦି ବିଫଳ, ତେବେ ରୋଗୀ ଭଲ ହେଉଛନ୍ତି କିପରି
କୋଭିଡ୍ ମୁକାବିଲା ଚିତ୍ର ରଖିଲେ, ହିସାବ ଦେଲେ

ଭୁବନେଶ୍ୱର : ଆଗକୁ ଭୟାବହ ପରିସ୍ଥିତି। ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରୁଛି। ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ ହେଉଛନ୍ତି କିପରି? ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ହେଉଛି କରୋନା ହାରିବ ଓ ଓଡ଼ିଶା ଜିତିବ। ”କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାସୀନତା ସମ୍ବନ୍ଧରେ” ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଶେଷରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।

ଏଥିସହିତ ଏମ୍‌ସ ଓ ଓ ଅନ୍ୟ ହସ୍ପିଟାଲରେ କଳାହାଣ୍ଡି ର ଲୋକଙ୍କୁ ଚିକିସ୍ଥା ମିଳୁ ନଥିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେବା ସହିତ ସମ୍ବଲପୁରରେ ଅଣକୋଭିଡ୍ ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ଘଟଣାରେ ଅନୁଧ୍ୟାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ସେହିପରି ବଲାଙ୍ଗୀରରେ ମହିଳା କରୋନା ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେଉଁ ଅଭିଯୋଗ ଆଣିଛନ୍ତି, ତାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାସ ଆଜି ଗୃହରେ ତଥ୍ୟ ରଖି କହିଥିଲେ, କରୋନା ଭୂତାଣୁ ସମଗ୍ର ବିଶ୍ବକୁ ଗ୍ରାସ କରି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବିଶ୍ବ ମହାମାରୀ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାର୍ଚ୍ଚ ୧୩ ତାରିଖ ଦିନ ରାଜ୍ୟ ବିପର୍ଯ୍ୟୟ ଭାବେ ବିଜ୍ଞପ୍ତି ଜାରି କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏକ ଅଧିସୂଚୀତ ଜାତୀୟ ବିପର୍ଯ୍ୟୟର ମାନ୍ୟତା ଦେଇଛନ୍ତି। ରାଜ୍ୟ ସରକାର ଏହାର ମୁକାବିଲା କରିବାରେ ଆଦୌ ବିଫଳ ନୁହନ୍ତି। ବରଂ ରାଜ୍ୟରେ ରୋଗର ପ୍ରସାରକୁ ରୋକିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସବୁଠାରୁ ଉତ୍କୃଷ୍ଟ।

ଗତ ବିଧାନସଭାରେ ଅଧିବେଶନ ଚାଲୁଥିବା ବେଳେ ଏହି ମହାମାରୀକୁ ବ୍ୟାପିବାର ରୋକିବା ପାଇଁ ହାତଧୁଆ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ ଗୁରୁତ୍ବ ଅନୁଭବ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସଦସ୍ୟଙ୍କ ଦ୍ବାରା ସଂକଳ୍ପ ନିଆଯାଇଥିଲା। ଏହା ସହିତ ରାଜ୍ୟବାସୀଙ୍କୁ ଏହି ତିନିଟି ଉପାୟ ପାଳନ ପାଇଁ ଅନୁରୋଧ କରାଯାଇଥିଲା। ରାଜ୍ୟରେ ମାର୍ଚ୍ଚ ୨୧ ତାରିଖ ଦିନ ପ୍ରଥମ ଲକ୍‌ ଡାଉନ୍ ଘୋଷଣା କରିଥିଲେ। ପରବର୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ରାଜ୍ୟ ପାଇଁ ଲାଗୁ କରାଯାଇଥିଲା। ରାଜ୍ୟରେ ମାର୍ଚ୍ଚ ୧୩ ତାରିଖ ଦିନ ପ୍ରଥମ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା। ପ୍ରଥମ ଦୁଇମାସ କେନ୍ଦ୍ର ଓ ରାଜ୍ୟ ସିବି-ଏନଏଟି ପରୀକ୍ଷା କେନ୍ଦ୍ରକୁ ମିଶାଇ ସମୁଦାୟ ୫୧ଟି ପରୀକ୍ଷଣ କେନ୍ଦ୍ର କୋଭିଡ୍ ନମୁନା ପରୀକ୍ଷା କରୁଛନ୍ତି। ବର୍ତମାନ ଦୈନିକ ହାରାହାରି ୫୦ହଜାର ନମୁନା ପରୀକ୍ଷା କରାଯାଉଛି। ରାଜ୍ୟ ସରକାର ଇଚ୍ଛୁକ ଜନସାଧାରଣଙ୍କ ବେସରକାରୀ ପରୀକ୍ଷାଗାରରେ ଆରଟିପିସିଆର୍ ପରୀକ୍ଷା ପାଇଁ ପ୍ରତି ଟେଷ୍ଟକୁ ୧୨ଶହ ଟଙ୍କା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ୪୫୦ ଟଙ୍କା ମୂଲ୍ୟ ନିର୍ଧାରଣ କରିଛନ୍ତି।

ମନ୍ତ୍ରୀ କହିଥିଲେ, କୋଭିଡ୍ ୧୯ରୁ ଉପୁଜିଥିବା ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ଅର୍ଥ ବିଭାଗ ଓ ରାଜ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କେତେକ ବିଶେଷ ବ୍ୟବସ୍ଥା କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ, ଏକ ଜରୁରୀ କ୍ରୟ କମିଟି ଗଠନ କରାଯାଇଥିଲା। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ବି ଗଠନ ହୋଇଥିଲା। ଏହା ବ୍ୟତୀତ କେନ୍ଦ୍ର ସରକାର ତାଙ୍କ ସ୍ମାରକପତ୍ରରେ କେତେକ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାକି ରାଜ୍ୟ ସରକାରଙ୍କର ବ୍ୟବସ୍ଥା ସହିତ ପ୍ରାୟ ସମାନ ଥିଲା। ଏହି ଅନୁଯାୟୀ ରାଜ୍ୟ ସରକାରଙ୍କ ଔଷଧ ନିଗମ ଯୁଦ୍ଧକାଳୀନ ଭିତ୍ତିରେ ଏହି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ କ୍ୟାବିନେଟ୍, ମନ୍ତ୍ରୀସ୍ତରୀୟ କମିଟି ଆଦି ଜରିଆରେ ସମୟୋଚିତ ପଦକ୍ଷେପ ନେଇଥିଲା। ସେପ୍ଚେମ୍ବର ୨୯ ତାରିଖ ସୁଦ୍ଧା ଗଚ୍ଛିତ ସାମଗ୍ରୀର ତଥ୍ୟ ମନ୍ତ୍ରୀ ଗୃହରେ ରଖିଥିଲେ।

ରାଜ୍ୟ ଔଷଧ ନିଗମ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ନୋଡାଲ ଏଜେନ୍ସି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉନ୍ନତମାନର ଔଷଧ କିଣିବା ଏବଂ ବିତରଣ କରିବା। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯନ୍ତ୍ରପାତି, ଆସବାବ ପତ୍ର ଆଦିର ସ୍ବଚ୍ଛ, ପ୍ରତିଯୋଗିତା ମୂଳକ ଉପାୟରେ କ୍ରୟ କରି ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିବା। ତେଣୁ କୋଭିଡ୍-୧୯ ପରିଚାଳନାରେ ଏହା ଗୁରୁଦାୟିତ୍ବ ବହନ କରିଛି। ସରକାର ଜରୁରୀ କାଳୀନ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକତା ଅନୁସାରେ ଆମ୍ବୁଲାନ୍ସ ନିୟୋଜିତ ପାଇଁ କ୍ଷମତା ଦେଇଛନ୍ତି। ରାଜ୍ୟରେ ଯଥେଷ୍ଟ ଆମ୍ବୁଲାନ୍ସ ରହିଛି। ସରକାର ଜୁନ୍ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ଆଶା, ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ଦୁଆର ଦୁଆର ଯାଞ୍ଚ କରି ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଚିହ୍ନଟ କରି ପରୀକ୍ଷଣ ଏବଂ ଚିକିତ୍ସା ସୁବିଧା ଦେଇଛନ୍ତି। ଏହାର ନିରୀକ୍ଷଣ ନିମନ୍ତେ ୬ଜଣ ନୋଡାଲ୍ ଅଫିସର ଏବଂ ୩୦ ଅଫିସର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି।

ମନ୍ତ୍ରୀ କହିଥିଲେ, ଗୃହ ପୃଥକାବାସରେ ବର୍ତ୍ତମାନ ୨୫ ହଜାର ୧୦୯ କୋଭିଡ୍ ପଜିଟିଭ୍ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ଟେଲିମେଡିସିନ୍ ସେବା ମଧ୍ୟ ସେମାନଙ୍କୁ ଦିଆଯାଉଛି। ଏହାବ୍ୟତୀତ ସେମାନଙ୍କ ସ୍ବାସ୍ଥ୍ୟ ସ୍ଥିତି ସଂଗ୍ରହ କରି ଆବଶ୍ୟକ ପରାମର୍ଶ ଦିଆଯାଉଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୧ହଜାର ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିଥିଲେ। ତ୍ରିସ୍ତରୀୟ କୋଭିଡ୍ ସୁବିଧା ଯଥା କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହେଲ୍ଥ ସେଣ୍ଟର ଏବଂ ହସ୍ପିଟାଲ ଗଠନ କରିଛନ୍ତି। ଅଦ୍ୟାବଧି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୨୪୫ ଶଯ୍ୟା ଥିବା ବେଳେ ୪୫୪୪ କୋଭିଡ୍ ରୋଗୀ ଚିିକିତ୍ସିତ ହେଉଛନ୍ତି। ସେହିଭଳି କୋଭିଡ୍ କେୟାର ସେଣ୍ଟରରେ ୧୬ ହଜାର ୮୨୮ ଶଯ୍ୟା ଥିବା ବେଳେ କେବଳ ୨୮୫୯ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ୧୪୨୬ ଆଇସିୟୁ ରହିଛି ଓ ସେଥିରେ ଆଜି ଦିନରେ ୮୦୮ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟର କୋଭିଡ୍ ଭିତ୍ତିଭୂମିରେ ୫୩୧ ଭେଣ୍ଟିଲେଟର ଥିବାସ୍ଥଳେ ୨୨୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ୪୮ଟି କୋଭିଡ୍ ହସ୍ପିଟାଲ ଓ ୧୪ଟି କୋଭିଡ୍ ହେଲ୍ଥ ସେଣ୍ଟର କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଉଛନ୍ତି।

ପ୍ଲାଜ୍‌ମା ଥେରାପି ସଂପର୍କରେ ସୂଚନା ଦେଇଥିଲେ ମନ୍ତ୍ରୀ। କହିଥିଲେ, ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାନିମନ୍ତେ ପ୍ଲାଜ୍‌ମା ଥେରାପି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ କଟକ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆଇଜିଏଚ୍, ରାଉରକେଲା, ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ଏବଂ ସହିତ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କୋରାପୁଟ ଠାରେ ୬ଟି ପ୍ଲାଜ୍‌ମା ବ୍ୟାଙ୍କ କରିଛନ୍ତି।କୋଭିଡ୍ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜ୍‌ମା ଦାନ ପାଇଁ ନିବେଦନ କରାଯାଇଛି।ସେପ୍ଟେମ୍ବର ୨୮ ସୁଦ୍ଧା ୧୭୯୦ଟି ପ୍ଲାଜ୍‌ମା ୟୁନିଟ୍ ପ୍ରସ୍ତୁତ କରାଯାଇଛି। ୧୩୬୨ ରୋଗୀଙ୍କ ଦେହରେ ପ୍ଲାଜ୍‌ମା ଦିଆଯାଇଛି। ପ୍ଲାଜ୍‌ମା ଗ୍ରହଣ କରି ୪୯୪ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ୧୬୪ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ୪୭୨ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିସହିତ ଏହି ସଂକ୍ରମଣ ରୋକିବାକୁ ଅସାଧାରଣ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର